ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ 'ଫନୀ' ଏବେ ଘନୀଭୂତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦକ୍ଷିଣ ଭାରତରେ ହାଇ ଆଲର୍ଟ ଜାରି କରିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଉପଦେଶ ଦିଆଯାଇଛି ।
ଏହାସହ ଧୀରେ ଧୀରେ ଏହି ସାମୁଦ୍ରିକ ଝଡ଼ ଉତ୍ତର-ପୂର୍ବ ଦିଗକୁ ଅଗ୍ରସର ହେବ । ବାତ୍ୟା ଯୋଗୁଁ କିଛି ଦିନ ଯାଏଁ ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ବାଂଲାଦେଶର କହିବା ଅନୁସାରେ ଏହାର ନାଁ 'ଫନୀ' ରଖାଯାଇଛି ।
ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆମର ଆକଳନ ଅନୁସାରେ ଏହା ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁର ଉପକୂଳକୁ ପହଞ୍ଚିବ, କିନ୍ତୁ ଏହି ବାତ୍ୟା ଉପକୂଳ ଛୁଇଁବାର ସମ୍ଭାବନା ବହୁତ କମ ରହିଛି । ଉପକୂଳକୁ ଛୁଇଁବା ପୂର୍ବରୁ ଅନ୍ୟ ଦିଗକୁ ଯାଇ ପାରେ ।
ଆସନ୍ତା ୩୦ ବା ମେ’ ୧ ସୁଦ୍ଧା ଉତ୍ତର ତାମିଲନାଡୁ ଉପକୂଳ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏହା ସ୍ଥଳଭାଗ ଛୁଇଁବା ବେଳେ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହୋଇପାରେ ।