ଭୋପାଳ: ସାଧାରଣତଃ ମନ୍ଦିର ମଧ୍ୟକୁ ଚପଲ ଜୋତା ଆଦି ପିନ୍ଧିକି ଯିବା ପାଇଁ ମନା ଥାଏ । କିନ୍ତୁ ଏପରି ଏକ ମନ୍ଦିର ଅଛି, ଯେଉଁଠି ମା’ ଦୁର୍ଗାଙ୍କୁ ଚପଲ ଏବଂ ସ୍ୟାଣ୍ଡଲ ଚଢାଯାଇଥାଏ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଇପାରେ କିନ୍ତୁ କଥାଟି ସମ୍ପୂର୍ଣ୍ଣ ରୂପେ ସତ୍ୟ । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ପଛରେ ଥିବା ନିଆରା ପରମ୍ପରାର କାହାଣୀ ।
ଏହି ମନ୍ଦିରଟି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅବସ୍ଥିତ । କୋଲାର ଅଞ୍ଚଳରେ ଏକ ଛୋଟ ପାହାଡରେ ଥିବା ଏହି ମନ୍ଦିରକୁ ମା ଦୁର୍ଗା ସିଦ୍ଧଦାତ୍ରୀ ପାହାଡୱାଲା ମନ୍ଦିର କୁହାଯାଏ । ଏହାଛଡା ଏହି ମନ୍ଦିରକୁ ଲୋକମାନେ ଜୀଜୀବାଇ ମନ୍ଦିର ନାମରେ ମଧ୍ୟ ଜାଣିଥାନ୍ତି ।
ଲୋକମାନେ ଏହି ମନ୍ଦିରକୁ ମାନସିକ କରିବା ପାଇଁ ଆସିଥାନ୍ତି ଏବଂ ମାନସିକ ପୂରା ହେବା ପରେ ମା ଦୁର୍ଗାଙ୍କୁ ଚପଲ ଚଢାଇଥାନ୍ତି । ତେବେ ଚପଲ ସହ ମା’ଙ୍କୁ ଖରାଦିନେ ଚଷମା, ଟୋପି, ଘଣ୍ଟା ମଧ୍ୟ ଚଢାଯାଇଥାଏ । ଏହି ପରମ୍ପରା ପ୍ରାୟ 20 ବର୍ଷ ହେବ ଚାଲି ଆସୁଛି ।
ତେବେ ଏହି ମନ୍ଦିରରେ ମା ଦୁର୍ଗାଙ୍କୁ ଚପଲ ଚଢାଇବା ପଛରେ କାହାଣୀ ହେଉଛି ଓମ୍ ପ୍ରକାଶ ନାମକ ଜଣେ ବ୍ୟକ୍ତି ଏଠାରେ ମୂର୍ତ୍ତି ସ୍ଥାପନା ସହ ଶିବ-ପାର୍ବତୀଙ୍କ ବିବାହ କରାଇଥିଲେ । ଏବଂ ସେ ନିଜେ ହିଁ କନ୍ୟାଦାନ କରିଥିଲେ । ସେବେ ଠାରୁ ହିଁ ସେ ମା ସିଦ୍ଧଦାତ୍ରୀଙ୍କୁ ନିଜ ଝିଅ ରୂପେ ମାନି ପୂଜା କରନ୍ତି । ଏଥିସହ ସେ ସାଧାରଣ ଲୋକଙ୍କ ପରି ଝିଅର ସବୁ ଇଚ୍ଛା ପୂରଣ କରିଥାନ୍ତି । ତେବେ ଓମ୍ ପ୍ରକାଶ ମା ଦୁର୍ଗାଙ୍କୁ ନିଜ ଝିଅ ପରି ଦେଖାଶୁଣା କରିଥାନ୍ତି ।
ଓମ୍ ପ୍ରକାଶଙ୍କ କହିବା ଅନୁଯାୟୀ , କେତେଥର ତାଙ୍କୁ ଏହା ଆଭାସ ହୁଏ ଯେ, ମା ଦୁର୍ଗା ସେ ପିନ୍ଧାଇଥିବା ଡ୍ରେସରେ ଖୁସି ନାହାଁନ୍ତି । ତେଣୁ ସେ ଦୁଇ ତିନି ଘଣ୍ଟାରେ ମା’ ଙ୍କର ଡ୍ରେସ ବଦଳାଇ ଥାନ୍ତି । ଏଥିସହ ସେ କୁହନ୍ତି ତାଙ୍କ ଭକ୍ତମାନେ ଦେଶବିଦେଶରୁ ମାଙ୍କ ପାଇଁ ଚପଲ ପଠାଇଥାନ୍ତି । ତେବେ ଚପଲ ଚଢାଯିବାର ଗୋଟିଏ ଦିନ ପରେ ସେ ଚପଲକୁ ଲୋକଙ୍କୁ ବାଣ୍ଟି ଦିଆଯାଏ ।