ହାଇଦ୍ରାବାଦ: ଆପତ୍ତି ଜନକ ବୟାନ ବିବାଦର ଘେରରେ ରହିଥିବା ଫେସବୁକ ଭାରତୀୟ ଜନତା ପାର୍ଟିର ବିଧାୟକ ଟି ରାଜା ସିଂହଙ୍କ ଆକାଉଣ୍ଟ ଉପରେ ଲଗାଇଛି ପ୍ରତିବନ୍ଧକ । ଆମେରିକା ଖବରକାଗଜ ଓ୍ବାଲ ଷ୍ଟ୍ରିଟ ଜର୍ନାଲରେ ଛପାଯାଇଥିବା ଖବର ଅନୁଯାୟୀ ହିଂସାକୁ ପ୍ରୋତ୍ସାହନ ଦେଉଥିବା ପୋଷ୍ଟକୁ ନେଇ ଫେସବୁକର ନିମୟ ଉଲ୍ଲଂଘନ ଅଭିଯୋଗରେ ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜାଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ପ୍ରାୟ ତିନି ସପ୍ତାହ ପୂର୍ବରୁ ଆମେରିକାର ଖବରକାଗଜ ଦାବି କରିଥିଲା ଯେ ଫେସବୁକର ଭାରତର ନୀତି ମୁଖ୍ୟ ଅଙ୍କୀ ଦାସ ଟି ରାଜା ସିଂଙ୍କ ଅନେକ ବିବାଦୀୟ ପୋଷ୍ଟ ହଟାଇବାକୁ ବିରୋଧ କରିଥିଲେ । ଟି.ରାଜା ସିଂହଙ୍କ ପୋଷ୍ଟଗୁଡିକ ନିର୍ଦ୍ଧିଷ୍ଟ ଧର୍ମ ସହ ଜଡିତ ଥିଲା। 3 ଲକ୍ଷରୁ ଅଧିକ ଫୋଲଅର୍ସଙ୍କ ସହିତ ସିଂହଙ୍କର ଅତି କମରେ ପାଞ୍ଚଟି ପ୍ରୋଫାଇଲ ଅଛି ।
ଫେସବୁକରେ ଆପତ୍ତିଜନକ ପୋଷ୍ଟ ମାମଲାରେ ଉପୁଜିଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ହାଇଦ୍ରାବାଦରୁ ଭାରତୀୟ ଜନତା ପାର୍ଟିର ବିଧାୟକ ରାଜା ସିଂଙ୍କ ସହ ଆଲୋଚନା ମଧ୍ୟ ଜୋରସୋରରେ ଚାଲିଥିଲା। ସେପଟେ ବର୍ତ୍ତମାନ ରାଜା ସିଂହ ଏହି ବିବାଦ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ବିଜେପି ବିଧାୟକ କହିଛନ୍ତି ଯେ ଫେସବୁକ ମୋ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି, କିନ୍ତୁ ଏପ୍ରିଲ 2019 ଠାରୁ ମୁଁ ଫେସବୁକରେ ନାହିଁ।
ଫେସବୁକ ଗୁରୁବାର ଏକ ବିବୃତ୍ତିରେ କହିଛି ଯେ ଆମେ ରାଜା ସିଂଙ୍କ ଫେସବୁକ ପେଜ ଉପରେ ପ୍ରତିବନ୍ଧକ ଲଗାଇଛୁ। ତାଙ୍କ ପୋଷ୍ଟ ଫେସବୁକ ନିୟମକୁ ଉଲ୍ଲଂଘନ କରିଛି। ଗତ କିଛି ଦିନ ହେବ ଫେସବୁକ ବିଜେପି ନେତାଙ୍କ ପକ୍ଷ ନେଇଥିବା ଅଭିଯୋଗ ହୋଇଥିଲା।