ପୂର୍ବରୁ ରାଜ୍ୟ ଥିବା ଜାମ୍ମୁ ଓ କାଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପ୍ରତ୍ୟାହାର ପରେ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଗଲା। ଧାରା 370 ଉଚ୍ଛେଦ ପରେ ପୁନର୍ଗଠନ ଆଇନ 2019କୁ କାର୍ଯ୍ୟକାରୀ କରିବାରେ ଅନେକ ଆଇନଗତ ପଦକ୍ଷେପ ଜରୁରୀ ଥିବାରୁ ଏହାର ସଫଳ ପରିଚାଳନା ପାଇଁ ଜଣେ ଦକ୍ଷ ପ୍ରଶାସକଙ୍କ ଆବଶ୍ୟକତା ଥିଲା। ଆଉ ଏହି ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ବ୍ୟତୀତ ଅନ୍ୟ କେହି ଭଲ ଯୋଗ୍ୟ ବ୍ୟକ୍ତି ନଥିଲେ। କାରଣ ଇସରାତ ଜାହାନ ଏନକାଉଣ୍ଟର ମାମଲାରେ ତାଙ୍କ ପ୍ରତି ଥିବା ଆନୁଗତ୍ୟର ସେ ପ୍ରମାଣ ଦେଖାଇ ସାରିଥିଲେ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁର୍ମୁ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାମ କରି ନିଜକୁ ଜଣେ ବିଚକ୍ଷଣ ପ୍ରଶାସକ ଭାବେ ବି ପ୍ରତିପାଦିତ କରିପାରିଥିଲେ।
ଗୁଜରାଟ କ୍ୟାଡର ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜାମ୍ମୁ ଓ କାଶ୍ମୀର ସମ୍ପର୍କରେ ଅନେକ ଜଟିଳ ଆଇନଗତ ବିଷୟ ବୁଝିବାକୁ ପଡିଥିଲା। ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରିବା ସହିତ ଜାମ୍ମୁ ଓ କାଶ୍ମୀର ପାଇଁ ବିଧାନସଭା ଥିବାବେଳେ ଲଦାଖ ପାଇଁ ବିଧାନସଭାର ବ୍ୟବସ୍ଥା ନାହିଁ। ଜାମ୍ମୁ ଓ କାଶ୍ମୀର ପାଇଁ ଦୁଇଟି ରାଜଧାନୀ ସହ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଏବଂ ରାଜଭବନ ଦୁଇଟି ସ୍ଥାନରେ କାର୍ଯ୍ୟ କରିବାକୁ ଆଇନରେ ବ୍ୟବସ୍ଥା କରାଯାଇଛି। ତେବେ ବର୍ତ୍ତମାନ ପାଇଁ ଏହା କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରୁଛି।
ବସ୍ତୁତଃ ନୂଆ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କୌଣସି ପରିବର୍ତ୍ତନ ହୋଇନାହିଁ। ଅଧିକ ଥଣ୍ଡା ବେଳେ ବି ସେଠାରେ ଅବସ୍ଥାପିତ ପ୍ରଶାସକଙ୍କୁ ସେଠାରେ ରହିବାକୁ ପଡିବ। ଶୂନ ତାପମାତ୍ରା ତଳେ ରହି ଲୋକଙ୍କ ପାଇଁ କାମ କରିବା ଆଗରୁ ସେମାନଙ୍କ ଅଭ୍ୟାସ ନଥିଲା। ଜାମ୍ମୁ ଓ କାଶ୍ମୀର ପାଇଁ ଶୀତଦିନେ ସଚିବାଳୟ ଜାମ୍ମୁକୁ ସ୍ଥାନାନ୍ତର କରାଯିବ ଏବଂ ଖରାଦିନେ ଶ୍ରୀନଗରକୁ ଫେରି ଆସିବ। ଏହା ହେଲେ ପ୍ରଶାସନ ଓ ସେମାନଙ୍କ ପରିବାରବର୍ଗ କାଶ୍ମୀର ଏବଂ ଲଦାଖରେ ପ୍ରବଳ ଥଣ୍ଡାରୁ ଦୂରେଇ ରହି ପାରିବେ।
ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ଦମନ କରିବା ଲାଗି ମୁର୍ମୁଙ୍କ ଆଗରେ ଯେଉଁ ଏଜେଣ୍ଡା ଥିଲା ତାହା ମଧ୍ୟରେ ସେନା ବାହିନୀକୁ ଅଧିକ କ୍ଷମତା ପ୍ରଦାନ ଏବଂ ଅଞ୍ଚଳରେ ଦେଶ ବିରୋଧୀ ସ୍ବରକୁ ଦୁର୍ବଳ କରିବା ସହିତ ଭାରତ ସପକ୍ଷ ସ୍ବର ବଢାଇବା ଆଦି ଅଣ-ରାଜ୍ୟ ବିଷୟଗୁଡ଼ିକ ପ୍ରମୁଖ ଥିଲା। ଧାରା 370 ଉଚ୍ଛେଦ ପରବର୍ତ୍ତୀ ସମୟରେ ନୂଆ ପୁନର୍ଗଠନ ଆଇନ ଅଧୀନରେ ବିନା ପ୍ରାଶାସନିକ ସମସ୍ୟା ଓ ହୋହଲ୍ଲାରେ କିପରି ଲୋକଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପ୍ରଦାନ କାମ ଭଳି କାମ କେବଳ ମୁର୍ମୁଙ୍କ ଭଳି ଅଫିସରଙ୍କ ଦ୍ବାରା ହୋଇପାରିଛି। ସରକାରଙ୍କ ଏଜେଣ୍ଡା ମୁତାବକ ନୂଆ ଆଇନକୁ କିପରି ବିଭିନ୍ନ ନିୟମ କାନୁନ ଜରିଆରେ ପ୍ରଣୟନ କରାଯିବ ତାହା ଥିଲା ମୁର୍ମୁଙ୍କୁ ଅଣାଯିବାର ମୂଳ ଉଦ୍ଦେଶ୍ୟ । ମୁର୍ମୁ ଆତ୍ମବିଶ୍ବାସ ସହ କାମ କରି ନୂଆ ଆଇନ ସବୁ ପ୍ରଣୟନ କରିଥିଲେ ଏବଂ ଅସନ୍ତୋଷର ସ୍ବରକୁ ଚାପି ଏଥିରୁ ଦୂରେଇ ରଖିଥିଲେ। କିଛି କାମ ନିଜ ନିଷ୍ପତ୍ତିରେ ଏବଂ ଆଉ କିଛି କୂଟନୈତିକ ଉଦ୍ୟମ ଜରିଆରେ ମୁର୍ମୁ ନୂଆ ଆଇନ କାନୁନ ଲାଗୁ କରିଥିଲେ। ଏହି ସମୟରେ ପ୍ରମୁଖ ରାଜନୈତିକ ଦଳର ଅଧିକାଂଶ ନେତାଙ୍କୁ ଜେଲ୍ କିମ୍ବା ଗୃହବନ୍ଦୀ କରି ରଖାଯାଇଥିଲା।
ଯେଉଁମାନେ ସରକାରୀ ନିୟମକୁ ମାନିବାର ପ୍ରତିଶ୍ରୁତି ଦେଇଥିଲେ ସେମାନଙ୍କୁ ସାବଧାନ ରହିବାକୁ କହିବା ସହ ସେମାନଙ୍କଠାରୁ ଲିଖିତ ପତ୍ର ରଖାଯାଇ ମୁକ୍ତି ଦିଆଯାଇଥିଲା। ପିଡିପିର ଜଣେ ନେତା ମୁକ୍ତି ପାଇବା ପରେ ସରକାର ଯାହା କରୁଛନ୍ତି ତାହାକୁ ମାନିବେ ବୋଲି ଲିଖିତ ଆକାରରେ ଦେଇଥିଲେ। କୂଟନୈତିକ ଉଦ୍ୟମ ଜରିଆରେ ଆଇନ କାନୁନ ପ୍ରଣୟନ କେବଳ ଜଣେ ବ୍ୟକ୍ତିଙ୍କ ଠାରୁ ସମ୍ଭବପର ଥିଲା ଯେ କି ପ୍ରଶାସନର ଅର୍ଥ ବେଶ୍ ବୁଝିଥିଲେ। ଗତ ବର୍ଷେ ହେଲା କାଶ୍ମୀରର ରାଜନୈତିକ ଗତିବିଧି ପୂରା ଠପ୍ ଥିଲା। ପ୍ରଶାସନିକ କାର୍ଯ୍ୟକଳାପ ହିଁ ଚାଲିଥିଲା।
ଏବେ ରାଜନୀତି ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଥିବା ବେଳେ ଏହା ସ୍ପଷ୍ଟ ଯେ, ମୁର୍ମୁଙ୍କୁ ଏଥିପାଇଁ ଅନଫିଟ୍ ଜାଣି ସରକାର ତାଙ୍କୁ ବଦଳାଇଛନ୍ତି। ବିଗତ ବର୍ଷ ଜାମ୍ମୁ ଓ କାଶ୍ମୀରରେ ଉପରାଜ୍ୟପାଳଙ୍କ ଭୂମିକା ମୁଖ୍ୟତଃ ଅଣ ରାଜନୈତିକ କାର୍ଯ୍ୟକଳାପରେ ସୀମିତ ଥିଲା। ଏବେ ଏହି ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ପାଇଁ ବେଳ ଆସିଛି। ନିର୍ବାଚନ, ସୀମା ପୁନଃନିର୍ଦ୍ଧାରଣ ଏବଂ ଇଣ୍ଟରନେଟ ବ୍ଲକ୍ ସମ୍ପର୍କରେ ମୁର୍ମୁ କିଛି ବିବୃତିକୁ ନେଇ କେନ୍ଦ୍ର ସରକାରଙ୍କ ସହ ତାଙ୍କର ଗତିବିଧି ଠିକ୍ ଠାକ୍ ନଥିଲା। ସେହିଦିନଠାରୁ ତାଙ୍କର ବେଳକାଳ ସରି ଆସୁଥିଲା। ହେଲେ ତାଙ୍କର ଆନୁଗତ୍ୟ ଏବଂ ବିଚକ୍ଷଣତା ଯୋଗୁଁ ତାଙ୍କୁ ସିଏଜି ଭାବେ ଏକ ବହୁତ ଭଲ ପଦବୀ ମିଳିଛି। ତାଙ୍କ ସ୍ଥାନରେ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ନିଯୁକ୍ତି ପାଇଥିବା ମନୋଜ ସିହ୍ନା ବିଜେପିର ଜଣେ ଅତି ସାଧାରଣ ନେତା ଭାବେ ପରିଚିତ। ସାଧାରଣ ଲୋକଙ୍କ ସହ ଯୋଡ଼ି ହେବା ଦକ୍ଷତା ତାଙ୍କ ପାଖରେ ରହିଛି। ପ୍ରାୟ ସବୁ ରାଜନୈତିକ ଦଳର ସମସ୍ତ ନେତାଙ୍କୁ ଜେଲରେ ରଖାଯାଇଥିବାରୁ ଅଞ୍ଚଳରେ ରାଜନୈତିକ ଗତିବିଧି ବର୍ଷେ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଏବେ ପୁଣି ରାଜ୍ୟରେ ରାଜନୈତିକ ଧାରା ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖି ଜାମ୍ମୁ ଓ କାଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ସିହ୍ନାଙ୍କୁ ନିଯୁକ୍ତି ଦିଆଯାଇଛି।
ତେବେ ଏ ଅଞ୍ଚଳରେ ସେଭଳି କିଛି ନୂଆ ଦେଖିବାକୁ ମିଳିବନାହିଁ ତାହା ସ୍ପଷ୍ଟ ଜଣାପଡୁଛି, କିନ୍ତୁ ରାଜନୈତିକ ଗତିବିଧି ଚଳଚଞ୍ଚଳ ହେଲେ ଦଳ ମତ ପରିବର୍ତ୍ତନର ଧାରା ଦେଖିବାକୁ ମିଳିବ। ଏଥିରୁ ଏହା ସ୍ପଷ୍ଟ ହୋଇଯିବ ଯେଉଁମାନେ ମୁକ୍ତି ପାଇଛନ୍ତି ସେମାନେ ଏହି ନିଷ୍ପତ୍ତିକୁ ସେମାନଙ୍କର ଭାଗ୍ୟ ବୋଲି ସ୍ବୀକାର କରି ନେବାକୁ ପଡ଼ିବ।
ବିଲାଲ ଭଟ୍ଟ..