ଲକ୍ଷ୍ନୌ: କାରଗିଲ ଯୁଦ୍ଧକୁ ଆଜି 20 ବର୍ଷ ପୁରିଛି । ଏହି ଯୁଦ୍ଧରେ ଅନେକ ବୀର ଯବାନ ଶହୀଦ ହୋଇଥିଲେ । ଆଜି ବି ଦେଶ ସେମାନଙ୍କ ବଳିଦାନକୁ ଶତ ଶତ ପ୍ରଣାମ ଜଣାଉଛି । ତେବେ ଏହି ଶହୀଦଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ଇନ୍ଦିରା ନଗର ଅଞ୍ଚଳର ମେଜର ରିତେଶ ଶର୍ମାଙ୍କ ନାମ ମଧ୍ୟ ସାମିଲ ଅଛି । ପୁଅକୁ ହରାଇବାର କୋହ ଆଜି ମଧ୍ୟ ବାପା ଓ ମା’ଙ୍କ ଲୁହରେ ବାରି ହୋଇପଡ଼ୁଛି ।
କୋହଭରା କଣ୍ଠରେ ପୁଅକୁ ହରାଇବାର ଦୁଃଖ ବଖାଣିଛନ୍ତି ‘ଇଟିଭି ଭାରତ’ ନିକଟରେ । କହିଛନ୍ତି କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ସରକାର ବାହାର କରନ୍ତୁ । ଶହୀଦ ରିତେଶ ଶର୍ମାଙ୍କ ବାପା ସତ୍ୟା ପ୍ରକାଶ ଶର୍ମା କହିଛନ୍ତି, ଏବେ ସେନାବାହିନୀର ବେଶ ଶକ୍ତିଶାଳୀ । ସରକାର ମଧ୍ୟ ବଦଳି ସାରିଛନ୍ତି । ସରକାର ଏବେ ତାଙ୍କ ହିସାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ସରକାର ସେନା ଓ ଶହୀଦଙ୍କ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ସେପଟେ ପାକିସ୍ତାନର ଔଦ୍ଧତ୍ୟ ମଧ୍ୟ ଜାରି ରହିଛି । ବାରମ୍ବାର ସୀମା ଡେଇଁ ଦେଶ ମଧ୍ୟକୁ ପଶିଆସୁଥିବା ଦେଖିବାକୁ ମିଳୁଛି । ସୀମାରେ ସବୁବେଳେ ଉତ୍ତେଜନା ଲାଗି ରହୁଛି । ଏହି ମାମଲାର ଯଥାଶୀଘ୍ର ସ୍ଥାୟୀ ପ୍ରତିକାର କରିବାକୁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।
ପିଲାବେଳୁ ସେନାରେ ସାମିଲ ହେବାକୁ ଥିଲା ଇଚ୍ଛା-
ସତ୍ୟ ପ୍ରକାଶ ଆହୁରି ମଧ୍ୟ କହିଛନ୍ତି କି, ରିତେଶର ପିଲାବେଳୁ ସେନା ପ୍ରତି ଦୁର୍ବଳତା ରହିଥିଲା । ଷଷ୍ଠ ଶ୍ରେଣୀରୁ ସେ ଆର୍ମି ସ୍କୁଲରେ ନାଁ ଲେଖାଇଥିଲା । ଏହା ପରେ ସେ ଦ୍ବାଦଶ ଶ୍ରେଣୀରେ ପହଞ୍ଚିବା ବେଳକୁ ଏନଡିଏରେ ଭର୍ତ୍ତି ହେବାକୁ ଇଚ୍ଛା ପ୍ରକାଶ କରିଥିଲା । ପରେ ସେ ସ୍ନାତକ ଉତ୍ତୀର୍ଣ୍ଣ ହେଉ ହେଉ ସିଡ଼ିଏସରେ ଭର୍ତ୍ତି ହୋଇଥିଲେ ।
ସେପଟେ ରିତେଶଙ୍କ ମା' ଦୀପା ଶର୍ମା କହିଥିଲେ ରିତେଶ ପ୍ରଥମେ 15 ଦିନର ଛୁଟିରେ ଘରକୁ ଆସିଥିଲା । କିନ୍ତୁ ଯୁଦ୍ଧ ଆରମ୍ଭ ହୋଇଯିବାରୁ ସେ କର୍ମକ୍ଷେତ୍ରକୁ ବାହୁଡ଼ିଥିଲା । ତେବେ ଯିବାର 3 ଦିନ ପରେ ତାର ଶହୀଦ ହେବାର ଖବର ଆସି ପହଞ୍ଚି ଥିଲା ।
ଲଢି ଲଢି ଜୀବନ ହାରିଥିଲେ ରିତେଶ-
ଯୁଦ୍ଧ ସମୟରେ ସେ ଶତୃ ଦେଶର ସୈନିକଙ୍କ ସହିତ ଜୋରଦାର ଲଢେଇ କରିଥିଲେ । ଏହି ସମୟରେ ଶତ୍ରୁ ଗୁଳିର ଶୀକାର ହୋଇ ଶହୀଦ ହୋଇଥିଲେ ରିତେଶ । ଜାଟ୍ ରେଜିମେଣ୍ଟର ମେଜର ରିତେଶ ଶର୍ମା ୟୁନିଟ ଦାୟିତ୍ବରେ ଥିଲେ । ଯୁଦ୍ଧ ସମୟରେ ସେ ମସ୍କୋହ ଘାଟିରେ ଯୁଦ୍ଧ କାର୍ଯ୍ୟର ନେତୃତ୍ବ ନେଇଥିଲେ ।