ନାଗରିକତ୍ବ ସଂଶୋଧନ ଏବଂ କଶ୍ମୀର ବ୍ୟାପାରରେ ଭାରତର ଆଭିମୁଖ୍ୟକୁ ପୂର୍ବରୁ ସମର୍ଥନ ଜଣାଇ ଆସିଛି ମାଳଦ୍ବୀପ । ଭାରତ ଗସ୍ତରେ ଆସିଥିବା ଏହାର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦ୍ କହିଛନ୍ତି, ଧାରା ୩୭୦ ଉଚ୍ଛେଦ ବା କଶ୍ମୀର ରାଜ୍ୟକୁ ଦୁଇଭାଗ କରି ତାହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତି ଭାରତର ସମ୍ପୂଣ୍ଣ ଭାବେ ଏକ ଆଭ୍ୟନ୍ତରୀଣ ବ୍ୟାପର।
ସେହିପରି ନାଗରିକତ୍ଵ ଆଇନ୍ରେ ସଂଶୋଧନ ଆଣିବା ବିଷୟ ମଧ୍ୟ ଭାରତର ନିଜସ୍ଵ ନିଷ୍ପତ୍ତି, ଏଥିରେ ପଡ଼ୋଶୀ ଦେଶମାନେ ମନ୍ତବ୍ୟ ଦେବା ଅନାବଶ୍ୟକ। ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ରାଇଜିନା ଡାଇଲଗ୍ରେ ଯୋଗଦେବାକୁ ଆସିଥିବା ଅବ୍ଦୁଲ୍ଲା, ଆମ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଛନ୍ତି, ଯଦି ମାଳଦ୍ବୀପ ଏହାର ସମ୍ବିଧାନ ଓ ନିଜସ୍ଵ ଆଇନରେ କୌଣସି ପରିବର୍ତ୍ତନ ବା ସଂଶୋଧନ ଆଣିଥାଆନ୍ତା ତେବେ ସେଥିରେ ପଡ଼ୋଶୀ ଦେଶମାନଙ୍କ ହସ୍ତକ୍ଷେପକୁ କଦାପି ତାଙ୍କ ଦେଶ ସୁଯୋଗ ଦେଇନଥଆନ୍ତା।
ଏଣୁ ଭାରତ ବାବଦରେ ପଡ଼ୋଶୀ କାହିଁକି ବୟାନ ଦେବେ? ଏହି ଦୁଇ ପଦକ୍ଷେପକୁ ନେଇ ଦେଶ ଭିତରେ ଯେଉଁ ପ୍ରତିବାଦ ବା ସମର୍ଥନ ଶୋଭାଯାତ୍ରା ସବୁ ଦେଖିବାକୁ ମିଳୁଛି ତାହା ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପକ୍ଵତା ଓ ଶକ୍ତପଣକୁ ବଣ୍ଣନା କରୁଛି। ନିକଟରେ ଜମ୍ମୁ କଶ୍ମୀରର ସ୍ଥିତି ଅନୁଧ୍ୟାନ ପାଇଁ ଭାରତ ଆୟୋଜନ କରିଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ଗସ୍ତରେ ମାଳଦ୍ବୀପର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ।
ସେ ସେଠାରେ ପରିସ୍ଥିତିକୁ ସ୍ଵଭାବିକ କରିବା ପାଇଁ ଭାରତ ସରକାର ନେଉଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ଜାଣି ଖୁସି ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ଏହି ଭାରତ ମହାସାଗରୀୟ ଦ୍ଵୀପ ଦେଶ ଚୀନ ସହ ସ୍ଵାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ( ଏଫ୍ଟିଏ) ତଥା ‘ଅନ୍ଫେୟାର ଡିଲ୍’କୁ ସମୀକ୍ଷା କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି।
ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କରଙ୍କ ସହ ସେ ବାଣିଜ୍ୟ ଓ କୂଟନୀତିକ ସମ୍ପର୍କ ବାବଦରେ ଆଲୋଚନା କରିବା ସହ ତାଙ୍କ ଦେଶରେ ଭାରତ ସହାୟତାରେ ନିର୍ମାଣ ଚାଲିଥିବା କ୍ରିକେଟ୍ ଷ୍ଟାଡିୟମ୍ ବାବଦରେ ମଧ୍ୟ ମତ ବିନିମୟ କରିଛନ୍ତି।
କ୍ରିକେଟ୍ ବାବଦରେ ମତ ଦେଇ ଶାହିଦ୍ କହିଛନ୍ତି, ଥରେ ଏହି ଦ୍ଵୀପ ଦେଶରେ ଷ୍ଟାଡିୟମ୍ ନିର୍ମାଣ ହୋଇଯାଉ ଦେଖିବେ, ସେ ଦେଶର ଖେଳାଳୀଙ୍କ ମାନୋବଳ ବୃଦ୍ଧି ପାଇବ ଏବଂ ତାହା ଭାରତୀୟ ବ୍ଲୁବାହିନୀକୁ ମଧ୍ୟ ହରାଇବାରେ ସକ୍ଷମ ହୋଇପାରିବେ। ଉପସ୍ଥାପନ କରୁଛୁ ତାଙ୍କ ସହ ସାକ୍ଷାତ ଆଲୋଚନାର କିୟଦଂଶ।
ପ୍ରଶ୍ନ: ଆପଣ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ବାର୍ତ୍ତାଳାପ କରିଛନ୍ତି, କ’ଣସବୁ ପ୍ରମୁଖ ପ୍ରସଙ୍ଗ ସେଥିରେ ସାମିଲ୍ ଥିଲା?
ଅବ୍ଦୁଲ୍ଲା ଶାହିଦ୍: ଏହି ଆଲୋଚନାରେ ଭାରତ ସରକାରଙ୍କ ସହାୟତାରେ ମାଳଦ୍ବୀପରେ ନିର୍ମାଣାଧୀନ ତଥା ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ପରି ବିଷୟ ମୁଖ୍ୟତଃ ପ୍ରମୁଖ ବିଷୟ ଥିଲା। ଗଲା ଏକମାସ ତଳେ ମୁଁ ନୂଆଦିଲ୍ଲୀ ଆସିଥିଲି। ଭାରତ-ମାଳଦ୍ବୀପ ସମ୍ପର୍କର ବିଭିନ୍ନ ଦିଗ ତଥା ବିକାଶ ପ୍ରକଳ୍ପଗୁଡ଼ିକ ନିମନ୍ତେ ଗଠିତ ଯୁଗ୍ମ କମିଶନରେ ଯୋଗ ଦେଇଥିଲି। ଆମେ ବହୁତ ନିକଟରୁ ପରସ୍ପର ସହଯୋଗରେ କାମ କରୁଛୁ। ଏବେ ମାଳଦ୍ବୀପ ଫେରିବା ପରେ ମୁଁ ୬ଟି ନୂଆ ପ୍ରକଳ୍ପ ଲାଗି ବୁଝାମଣା ସ୍ଵାକ୍ଷର କରିବି। ଏଥିରେ ଦକ୍ଷିଣ ପ୍ରାନ୍ତରେ ଥିବା ଆଡ୍ଠୁ ଆଟୋଲ୍ ଦ୍ଵୀପର ବିକାଶ କାର୍ଯ୍ୟ ସାମିଲ୍ ରହିଛି। ଭାରତ ସହାୟତାରେ ଏହି ପ୍ରକଳ୍ପ ଚାଲୁଛି ।
ପ୍ରଶ୍ନ: ସ୍ଵତନ୍ତ୍ର ଭାବେ ଦେଖିବାକୁ ଗଲେ କେଉଁ ସବୁ ପ୍ରକଳ୍ପରେ ଆପଣ ଭାରତୀୟ ସହଯୋଗ ଲୋଡ଼ିଛନ୍ତି?
ଅବ୍ଦୁଲ୍ଲା ଶାହିଦ୍: ଭାରତ ଆମ ପାଇଁ ଯଥେଷ୍ଟ ଉଦାର ମନୋଭାବ ପୋଷଣ କରିଆସିଛି। ମାଳଦ୍ବୀପ ରାଷ୍ଟ୍ରପତି ଶୋଲିଙ୍କ ଗସ୍ତ ସମୟରେ ଭାରତ ଆମ ଦେଶ ପାଇଁ ୧.୪ ବିଲିୟନ୍ ଡଲାର୍ର ଏକ ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ। ସେଥିରୁ ୮୦୦ ମିଲିୟନ୍ ଆମେରିକୀୟ ଡଲାର ଋଣ ହୋଇଥିବା ବେଳେ ୨୫୦ ମିଲିୟନ୍ ଡଲାର ଗ୍ରାଣ୍ଟ ଇନ୍ ଏଡ୍ ଥିଲା। ଏହାବାଦ୍ ଦୁଇ ଦେଶର ବ୍ୟାଙ୍କ୍ ଭିତରେ ମୂଦ୍ରା ବିନିମୟ ପାଇଁ ମଧ୍ୟ ଚୁକ୍ତି ହୋଇଥିଲା। ଆମେ ସେହି ପ୍ୟାକେଜ୍ ଅନୁସାରେ କାର୍ଯ୍ୟ କରୁଛୁ। ଆଉ ଏକ ପ୍ରମୁଖ ପ୍ରକଳ୍ପ ଭାବେ ଭାରତ ଯେଉଁଥିପାଇଁ ସହାୟକ ହେଉଛି ତାହା ହେଲା ମାଳଦ୍ବୀପ ରାଜଧାନୀ ସହର ମାଲେଠାରୁ ଅର୍ବାନ୍ ସେଣ୍ଟରକୁ ସଂଯୋଗ। ଏଥିଲାଗି ମଧ୍ୟବର୍ତ୍ତୀ ଜମିକୁ ପୋତିବାକୁ ହେବ। ଯେଉଁ ଋଣ ସହାୟତା ଆମକୁ ମିଳିଛି ସେଥିରେ ଉତ୍ତର ପ୍ରାନ୍ତରେ ଏକ ବିମାନବନ୍ଦର ନିର୍ମାଣ ପାଇଁ ଯୋଜନା କରିଛୁ। ଏହା ହେଲେ ଭାରତୀୟ ପର୍ଯ୍ୟଟକଙ୍କୁ ମାଳଦ୍ବୀପ ଆସିବା ସହଜ ହୋଇପାରିବ। ଏହା ହେଲେ ମାଲେ ବିମାନବନ୍ଦର ଉପରେ ଚାପ କମିପାରିବ।
ପ୍ରଶ୍ନ: ଭାରତମହାସାରୀୟ ଅଞ୍ଚଳ ( ଆଇଓ ଆର)ରେ ସ୍ଥିରତା ତଥା ଏଠାରେ ଆତଙ୍କବାଦକୁ ପ୍ରଶ୍ରୟ ନଦେବା ନେଇ ମାଳଦ୍ବୀପ ଧ୍ୟାନ ଦେଉଛି। କିଛିଦିନ ଇଷ୍ଟର ଚାଲୁଥିବାବେଳେ ଶ୍ରୀଲଙ୍କାରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ମାଳଦ୍ବୀପ ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି ଆତଙ୍କବାଦୀ କାର୍ଯ୍ୟକଳାପକୁ ନିନ୍ଦା କରିଥିଲା। ଏବେ ଆପଣ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ସହ ଯେଉଁ ଆଲୋଚନା କରିଛନ୍ତି ସେଥିରେ ସମ୍ପୃକ୍ତ ବିଷୟ ସ୍ଥାନ ପାଇଛି କି? ମୁଁ ଜାଣିବାକୁ ଚାହିଁବି ଆପଣ କିପରି କଠୋର ତଥା ମୌଳବାଦ ଏବଂ ଆତଙ୍କବାଦ ବିରୋଧରେ କିପରି କାର୍ଯ୍ୟ କରୁଛନ୍ତି?
ଅବ୍ଦୁଲ୍ଲା ଶାହିଦ୍: ଭାରତ ମହାସାଗରରେ ସ୍ଥିରତା ଓ ସୁରକ୍ଷାକୁ ନିଶ୍ଚିତ କରିବା କେବଳ ମାଳଦ୍ବୀପ ପାଇଁ ଗୁରୁତ୍ଵପୂଣ୍ଣ ତା’ ନୁହେଁ, ଭାରତ ପାଇ ମଧ୍ୟ ଏହା ଯଥେଷ୍ଟ ଗୁରୁତ୍ଵପୂଣ୍ଣ। ମାଳଦ୍ବୀପ ପାଇଁ ଏଥିଲାଗି ଗୁରୁତ୍ଵପୂଣ୍ଣ ଯେ ଆମେ ଭାରତ ମହାସାଗର ମଧ୍ୟରେ ଅବସ୍ଥିତ। ଭାରତ ମହାସାଗରରେ ଯେକୌଣସି ଅସ୍ଥିତରତା ବା ସୁରକ୍ଷା ସମ୍ବନ୍ଧୀୟ ଅବ୍ୟବସ୍ଥା ଆମ ପଉପରେ ସିଧାସଳଖ ପ୍ରଭାବ ପକାଇବ। କିନ୍ତୁ ଭାରତ ମହାସଗରରେ ଶାନ୍ତି ଓ ସୁରକ୍ଷା କାଏମ ରଖିବାକୁ ହେଲେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହେବା ସହ ସୁରକ୍ଷିତ ହେବା ଆବଶ୍ୟକ। ଏହା ଭାରତର ସୁରକ୍ଷା ପାଇଁ ବି ଗୁରୁତ୍ଵପୂଣ୍ଣ। ଏଣୁ ଦେଖିବାକୁ ଗଲେ ଆମେ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ବିନ୍ଦୁରେ ଏକାଠି ହୋଇଛୁ। ଏଣୁ ଦୁଇ ଦେଶଯାକ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛୁ।
ପ୍ରଶ୍ନ: ଇସ୍ଲାମିକ୍ ଷ୍ଟେଟ୍ସ ( ଆଇଏସ୍)ର ଉପସ୍ଥିତିକୁ କିପରି ଲକ୍ଷ୍ୟ କରୁଛନ୍ତି ବିଶେଷକରି ଶ୍ରୀଲଙ୍କାରେ ବୋମା ବିସ୍ଫୋରଣ ହେବା ପରବର୍ତ୍ତୀ ପରିସ୍ଥିତିରେ? ଅନ୍ୟପକ୍ଷରେ ବିଗତ ଦିନରେ ମାଳଦ୍ବୀପରୁ ଅନେକ ନାଗରିକ ଆଇଏସ୍ରେ ଯୋଗ ଦେଇଥିବା ଖବର ପ୍ରକାଶିତ ହୋଇଛି।
ଅବ୍ଦୁଲ୍ଲା ଶାହିଦ୍: ଅନ୍ୟ କୌଣସି ଦେଶରେ ଇସ୍ଲାମିକ ଷ୍ଟେଟ୍ସର ଆକ୍ରମଣ ତଥା ଆତଙ୍କକୁ ଆମେ କୌଣସି ରୂପରେ ହେୟ ମନେ କରୁନାହିଁ। ଏଣୁ ଏହା ଗୁରୁତ୍ଵପୂଣ୍ଣ ଯେ, ଆମକୁ ସତର୍କ ରହିବାକୁ ହେବ। ଆମେ ଆଇଏସ୍ ବିରୋଧରେ ଆନ୍ତର୍ଜାତୀୟ ସହଯୋଗରେ ମଧ୍ୟ ସକ୍ରିୟ ରହିଛୁ। ଏହାର କାରଣ ହେଉଛି ଆମେ ଏକ ପର୍ଯ୍ୟଟନ ଭିତ୍ତିକି ରାଷ୍ଟ୍ର। ଏଠାର ଅର୍ଥନୀତିରେ ପର୍ଯ୍ୟଟନ ଏକ ଗୁରୁତ୍ଵପୂଣ୍ଣ ଭୂମିକା ଗ୍ରହଣ କରେ। ଏଣୁ ଆତଙ୍କବାଦ ତଥା ଅସ୍ଥିରତା ଏହାର ଅର୍ଥନୀତିକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଏଣୁ ଆମକୁ ଆମର ପର୍ଯ୍ୟଟନ ଶିଳ୍ପକୁ ଆତଙ୍କବାଦ ମୁକ୍ତ କରିବାକୁ ହେବ ଆଉ ଆମେ ସେଥିଲାଗି ପ୍ରତିଶ୍ରୁତିବଦ୍ଧ। ଇଷ୍ଟରରେ ଶ୍ରୀଲଙ୍କାରେ ଯାହାସବୁ ଘଟିଲା ତାହା ନିନ୍ଦନୀୟ, ସାରା ବିଶ୍ଵ ଏଥିଲାଗି ଉଦ୍ବେଗ ପ୍ରକାଶ କରୁଛି। କିନ୍ତୁ ଆମକୁ ଏହା ଜାଣିବାକୁ ହେବ ଯେ, ଯେଉଁମାନେ ଏହିସବୁ କାଣ୍ଡ ଘଟାଇଲେ ନିଜକୁ ଏଥିରେ ଉଡ଼ାଇଦେଲେ ଓ ଦେଶର ସମ୍ପତ୍ତି ନଷ୍ଟ କଲେ ସେମାନେ ସମାଜରୁ ବଞ୍ଚିତ ବର୍ଗ ନୁହଁନ୍ତି। ବେଶ୍ ଶିକ୍ଷିତ ବର୍ଗର ଲୋକେ ଏହି କାମ କରିଛନ୍ତି। ଏଣୁ ଏଭଳି ଆତଙ୍କବାଦରୁ ମୁକ୍ତ କରିବାକୁ ହେଲେ ଆମକୁ ଗୁଇନ୍ଦା ଓ ବୁଦ୍ଧିମତାର ବିକାଶ କରିବାକୁ ହେବ। କେବଳ ଆମେ ନିଜର ଗୁଇନ୍ଦାରେ ଏଥିଲାଗି ସକ୍ଷମ ହେବୁ ତାହା ନୁହେଁ। ଏଥିଲାଗି ଏ ଅଞ୍ଚଳର ସମସ୍ତ ଦେଶ ଯେମିତି ଶ୍ରୀଲଙ୍କା, ଭାରତ, ମାଲ୍ଡିଭ୍ସ ସମସ୍ତେ ଏକାଠି କାମ କରିବାକୁ ହେବ। ପରସ୍ପର ଭିତରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଓ ସହଯୋଗ ଦ୍ଵାରା ଆମେ ଆତଙ୍କବାଦର ମୁକାବିଲା କରିପାରିବା।
ପ୍ରଶ୍ନ: ଜାକିର୍ ନାଏକ, ଯିଏ ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛି, ତାଙ୍କୁ ମାଲେସିଆ ଶରଣ ଦେଇଛି। ଭାରତକୁ ପ୍ରତ୍ୟାର୍ପଣ ପାଇଁ ମାଲେସିଆ ପ୍ରତ୍ୟାଖ୍ୟାନ କରୁଛି। ଯେତେବେଳେ ସେ ମାଳଦ୍ବୀପରେ ପ୍ରବେଶ କରିବାକୁ ଚାହିଁଥିଲା ତାକୁ ଆପଣଙ୍କ ଦେଶ ପ୍ରବେଶ ଅନୁମତି ଦେଇ ନଥିଲେ। ମାଳଦ୍ବୀପ ଏହି ପ୍ରସଙ୍ଗରେ ଅନ୍ୟତମ ଇସ୍ଲାମିକ୍ ରାଷ୍ଟ୍ର ମାଲେସିଆ ସହ କିଛି ବାର୍ତ୍ତାଳାପ କରିଛନ୍ତି କି? ଯୁବାବର୍ଗଙ୍କୁ ମୌଳବାଦ ଶିକ୍ଷା ଦେଉଥିବା ଜାକୀର ପାଏକ ବିରୋଧରେ କିଛି ଆଲୋଚନା ହୋଇଛି କି?
ଅବ୍ଦୁଲ୍ଲା ଶାହିଦ୍: ଆମେ ଏ ସମ୍ବନ୍ଧରେ ମାଲେସିଆ ସହ କୌଣସି ଆଲୋଚନା କରି ନାହୁଁ। ତାଙ୍କ ଦେଶରେ ସିଏ କାହାକୁ ଅନୁମତି ଦେବେ ବା ନଦେବେ ତାହା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ଆମେ କେବେ ଆମ ଦେଶରେ ଏମିତି ଲୋକଙ୍କୁ ପ୍ରବେଶ ଅନୁମତି ଦେବୁ ନାହିଁ ଯିଏ ଆମ ଯୁବକଙ୍କୁ ମୌଳବାଦୀ ହେବାର ଶିକ୍ଷା ଦେବ, ଆମ ଆଇନର ଉଲ୍ଲଙ୍ଘନ କରିବେ ଏଂବ ସାମାଜିକ ଅସ୍ଥିରତା ପାଇ: ପ୍ରଚେଷ୍ଟା କରିବେ।
ପ୍ରଶ୍ନ: କିନ୍ତୁ ଏହିଭଳି ମୌଳିବାଦ ଅପପ୍ରଚାର କରୁଥିବା ଜାକୀର ନାଏକ ଇସ୍ଲାମ୍କୁ ଅପମାନିତ କରୁ ନାହାନ୍ତି କି?
ଅବ୍ଦୁଲ୍ଲା ଶାହିଦ୍: ଯେକୌଣସି ବ୍ୟକ୍ତି ଇସ୍ଲାମ୍ର ନାଁ ନେଇ ଲୋକଙ୍କ ମନରେ ଘୃଣା ପ୍ରସାର କରୁଛି ସେ ଇସ୍ଲାମ୍ର ଅପମାନ କରୁଛି।
ପ୍ରଶ୍ନ: ଆପଣଙ୍କ ସଂସଦର ବାଚସ୍ପତି ତଥା ପୂର୍ବତନ ରାଷ୍ଟ୍ରପତି ନାଶିଦ୍ ମାଳଦ୍ବୀପରେ ଚୀନର ଜମି ହଡ଼ପକୁ ଇଷ୍ଟ ଇଣ୍ଡିଆ କମ୍ପାନୀର କାର୍ଯ୍ୟକଳାପ ସହ ତୁଳନା କରିଛନ୍ତି। ସେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ, ଗଲା କିଛିମାସ ହେଲା କ୍ଷମତାକୁ ଆସିଥିବା ସୋଲି ସରକାର ଚୀନ ସହ ହୋଇଥିବା ବୁଝାମଣାକୁ ବାଜ୍ୟାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା କରି ନାହାନ୍ତି। ବିଗତ ୟମିନ୍ ସରକାରଙ୍କ ସମୟରେ ଚୀନ୍ ସହ ହୋଇଥିବା ଏହି ବୁଝାମଣାକୁ ସେ ଋଣ ଜାଲ ବୋଲି ବି ତୁଳନା କରିଛନ୍ତି। ଆପଣଙ୍କ ବିଚାର କ’ଣ ରହିବ?
ଅବ୍ଦୁଲ୍ଲା ଶାହିଦ୍: ବାଚସ୍ପତି ତଥା ପୂର୍ବତନ ରାଷ୍ଟ୍ରପତି ନାଶିଦ୍ କ’ଣ କହିଛନ୍ତି ବା ନକହିଛନ୍ତି ମୁଁ ସେ ବିଷରେ ବିଶେଷ କହିବାକୁ ଚାହୁଁ ନାହିଁ। କିନ୍ତୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ବର୍ତ୍ତମାନର ସରକାର ଏହାର ବିକାଶ ଏବଂ ଲୋକଙ୍କ ସାମର୍ଥ୍ୟ ବୃଦ୍ଧି ନେଇ ସଚେତନ ରହିଛନ୍ତି। ଏବେକାର ସରକାର ଚୀନର ଉଦାଦର ସହାୟତାକୁ ପସନ୍ଦ କରିଛନ୍ତି। ପୂର୍ବ ସରକାର ଯେଉଁ ଅଣ ଉତ୍ତରଦାୟୀ କାର୍ଯ୍ୟ କରିଛନ୍ତି ତଥା ଋଣ ଆଣିଛନ୍ତି ତାହାକୁ ସ୍ଵାଧୀନ ରାଷ୍ଟ୍ରପତିସ୍ତରୀୟ କମିଟିଙ୍କ ଦ୍ଵାରା ସମୀକ୍ଷା କରାଯାଉଛି। ଏହାବାସଦ୍ ସମ୍ପତ୍ତି ଫେରାଇ ଆଣିବା ଲାଗି ଏକ ସ୍ଵତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିଙ୍କ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି କୌଣସି ଅନୁଚିତ ବୁଝାମଣା ସ୍ଵାକ୍ଷର ହୋଇଥିବ ତେବେ ତାହାକୁ ଅନୁଧ୍ୟାନ କଲାପରେ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏକ ଗଣତାନ୍ତ୍ରିକ ସରକାର ଭାବେ ଆମେ ଏ ବାବଦରେ ଅଧିକ ମତ ବ୍ୟକ୍ତ କରିବା ଅସମ୍ଭବ।
ପ୍ରଶ୍ନ: କିନ୍ତୁ ଏମିତି କିଛି ଚୁକ୍ତି ରହିଛି କି ଯାହାକୁ ମାଳଦ୍ବୀପ ସରକାର ବ୍ୟାଜାପ୍ତ କରିବାକୁ ଚାହୁଛନ୍ତି? ଚୀନ୍ ସହ ସ୍ଵାକ୍ଷର ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ବାବଦରେ କ’ଣ ମତ ରହିବ?
ଅବ୍ଦୁଲ୍ଲା ଶାହିଦ୍: ଦେଖନ୍ତୁ ସାମାଜିକ ବିକାଶ ପ୍ରକଳ୍ପସବୁ ଜାରି ରହିଛି। ଗତ ସପ୍ତାହରେ ଚୀନ ଏକ ଚକ୍ଷୁ ଚିକିତ୍ସା ହସ୍ପିଟାଲ୍ ହୁଲୁମାଲେଠାରେ ଖୋଲିଛନ୍ତି। ଚୀନର ଏହି ପଦକ୍ଷେପକୁ ସାଧାରଣ ଲୋକେ ପସନ୍ଦ କରିଛନ୍ତି। ମୁଁ ଗତ ସେପ୍ଟମ୍ବରରେ ବେଜିଂରେ ଥିଲି। ସେଠାରେ ପଦାଧିକାରୀଙ୍କ ସହ ଆଲୋଚନା କରିବା ବେଳେ ଜଣାପଡ଼ିଲା ଯେ, ସେମାନେ ସାମାଜିକ ବାସଗୃହ ଯୋଜନାରେ ନିବେଶ କରିବାକୁ ଚାହାନ୍ତି। ଅନ୍ୟ କିଛି ସାମାଜିକ ପ୍ରକଳ୍ପ ଏଂବ ଖେଳ ପ୍ରକଳ୍ପରେ ମଧ୍ୟ ଆଗ୍ରହ ଦେଖିବାକୁ ମିଳିଛି। ଏବେକାର ରାଷ୍ଟ୍ରପତି ସୋଲି ଏବଂ ମୁଁ ସେତେବେଳେ ସାଂସଦ ଥିଲୁ ଯେତେବେଳେ ସେହି ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଅଗ୍ରାହ୍ୟ କରାଯାଇଥିଲା। ଏହା ରେକର୍ଡ଼ ରେ ରହିଛି। ପୁଣି ଏହା ସେତେବଳେ ଏତେ ଗୁରୁତ୍ଵ ବହନ କରିଥିଲା ଓ ଚର୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା ଯେ, ଆମେ ପୁଣିଥରେ ତାହାକୁ ଗ୍ରହଣ କରିବା ଅନୁଚିତ ହେବ। ଆମେ ଏ ବାବଦରେ ଆଲୋଚନା ଚଳାଇଛୁ। ଏଣୁ ବର୍ତ୍ତମାନର ସରକାର ଏ ବାବଦରେ ଚିନ୍ତା କରୁଛନ୍ତି। ଆଲୋଚନା ସରି କିଛି ନିଷ୍କର୍ଷରେ ନ ପହଞ୍ଚି କିଛି କହିବା ଠିକ୍ ହେବନାହିଁ।
ପ୍ରଶ୍ନ: ରାଷ୍ଟ୍ରପତି ସୋଲି ଓ ବାଚସ୍ପତି ନାଶିରଙ୍କ ଭିତରେ କିଛି ମତ ପାଥକ୍ୟ ରହିଛି କି?
ଅବ୍ଦୁଲ୍ଲା ଶାହିଦ୍: ନା, ଆଦୌ ନୁହେଁ। ଏହା ପରସ୍ପରର ମତ ରଖିବାର ଏକ ପ୍ରକ୍ରିୟା। କିନ୍ତୁ ଏକ ଉତ୍ତରଦାୟୀ ସରକାର ଭାବେ ଆମେ ପ୍ରତିଟି ପ୍ରସ୍ତାବର ପୁଙ୍ଖାନୁଙ୍ଖ ଆଲୋଚନା ପରେ ଯାଇ କୌଣସି ମତ ଦେଇପାରିବୁ।
ପ୍ରଶ୍ନ: ମାଳଦ୍ବୀପ ଭାରତକୁ ସିଏଏ ଏବଂ କଶ୍ମୀର ପ୍ରସଙ୍ଗରେ ସମର୍ଥନ କରୁଛି। କିନ୍ତୁ ଏହା ବାସ୍ତବରେ କି ପ୍ରଭାବ ପକାଉଛି ସେନେଇ ବ୍ୟସ୍ତ ରହିଛି, କାହିଁକି?
ଅବ୍ଦୁଲ୍ଲା ଶାହିଦ୍: ମାଳଦ୍ବୀପ ହେଉଛି ପ୍ରଥମ ଦେଶ ଯିଏ ଭାରତୀୟ ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ପ୍ରଥମେ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ସର୍ବ ସମ୍ମୁଖରେ ନିଜର ବକ୍ତବ୍ୟ ରଖିଥିଲା। ସେହିପରି ଯେତେବେଳେ ସଂସଦରେ ସିଏଏ ପାରିତ ହୋଇଥଇଲା ସେତେବେଳେ ମୁଁ ନୂଆଦିଲ୍ଲୀରେ ଥିଲି। ଆମେ ଯେଉଁ ନୀତିରେ ବିଶ୍ଵାସ କରୁ ତାହା ହେଲା ଗଣତନ୍ତ୍ର। ବ୍ୟବସ୍ଥାପିକା ଅନୁସାରେ ଆଇନ କାନୁନରେ ସଂଶୋଧନକୁ ଆମେ ସ୍ଵାଗତ କରୁ ଏବଂ ତାହାରି ଉପରେ ଅଡ଼ି ରହୁ। ଭାରତକୁ ଦେଖନ୍ତୁ ଏହା ବିଶ୍ଵର ଏକ ଉଦାହରଣ ସୃଷ୍ଟିକାରୀ ଗଣତନ୍ତ୍ର। ଏହା ଯଦି ତାହାର ସମ୍ବିଧାନରେ କିଛି ପରିବର୍ତ୍ତନ ଆଣିଲା ତେବେ ତାହାକୁ ଭିତ୍ତି କରି ପଡ଼ୋଶୀ ଦେଶ ଅସନ୍ତୋଷ ବ୍ୟକ୍ତ କରିବା ବା ମତବ୍ୟକ୍ତ କରିବାର କୌଣସି ଆବଶ୍ୟକ ନାହିଁ। ଯଦି ସିଏଏକୁ ନେଇ ଭାରତରେ ପ୍ରଦର୍ଶନ ଦେଖାଦେଉଛି ତେବେ ତାହା ଉତ୍କୃଷ୍ଟ ଗଣତନ୍ତ୍ରର ନିଦର୍ଶନ। ଏଥିରେ ପଡ଼ୋଶୀ ଦେଶ କହିବାର ଅଧିକାର ନାହିଁ। ଉଦାହରଣ ଯଦି ମାଳଦ୍ବୀପ ସରକାର ତାଙ୍କ ଲୋକଙ୍କ ଆବଶ୍ୟକକୁ ରକ୍ଷା କରିବା ଯାଇ ସମ୍ବିଧାନରେ କିଛି ପରିବର୍ତ୍ତନ ଆଣନ୍ତି ତେବେ ଭାରତ, ଶ୍ରୀଲଙ୍କା, ଚୀନ୍ର କିଛି କହିବା ବି ଠିକ୍ ନୁହେଁ। କେବଳ ଗୋଟିଏ କଥା ଚିନ୍ତା କରିବାକୁ ଦେଶର ସମ୍ବିଧାନ ତଥା ଗଣତାନ୍ତ୍ରିକ ନିୟମ ଅନୁସାରେ ସେ କାର୍ଯ୍ୟ ଅନୁପାଳନ କରାଯାଇଛି କି ନା। ଏବେ ଯଦି ଭାରତର ନାଗରିକମାନେ ସିଏଏ ରେ କିଛି ପରିବର୍ତ୍ତନ ପାଇଁ ଦାବି କରିବେ ତେବେ ମୁଁ ଆଶାବାଦୀଯେ ଭାରତ ସରକାର ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବେ। ଏହା ହିଁ ଏକ ଗଣତନ୍ତ୍ରର ପ୍ରକୃତ ସୌନ୍ଦର୍ଯ।
ପ୍ରଶ୍ନ: ଆପଣ କହୁଛନ୍ତି ଭାରତ ବିଶ୍ଵର ସବୁଠାରୁ ବଡ଼ ଗଣତନ୍ତ୍ର। ଏହା ନିଜ ଆଭ୍ୟନ୍ତରୀଣ ନୀତିରେ ପରିବର୍ତ୍ତନ ନିଜେ ଆଣିପାରିବ। କିନ୍ତୁ କଶ୍ମୀରରେ ମାନବାଧିକାର ସ୍ଥିତି, ଯୋଗାଯୋଗରେ ପ୍ରତିବନ୍ଧକ ଲଗୁ ହେବ, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ବଳପୂର୍ବକ ଥମାଯିବା ଆଦି ପ୍ରଶ୍ନ ଉଠିଛି। ଏ ବିଷୟରେ ଅନ୍ୟ ଦେଶମାନେ ଚିନ୍ତିତ ହେବା ଆବଶ୍ୟକ କି?
ଅବ୍ଦୁଲ୍ଲା ଶାହିଦ୍: ମୁଁ ଭାବୁଛି ଭାରତ ସରକାର ଏ ଦିଗରେ ସଚେତନ ଅଛନ୍ତି। କଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଅନୁଧ୍ୟାନ କରି ଯାହା ଆବଶ୍ୟକ ସେଇ ପଦକ୍ଷେପ ନେଉଛନ୍ତି ଏବଂ ସେଠାରେ ପରିସ୍ଥିତି ସ୍ଵଭାବିକ କରିବା ପାଇଁ ଆବଶ୍ୟକ ଚିନ୍ତନ ହେଉଛି। ଏ ବାବଦରେ ବିଶ୍ଵର ଅନ୍ୟ କିଛି ଦେଶର ରାଷ୍ଟ୍ରଦୂତଙ୍କ ସହ ମାଳଦ୍ବୀପର ରାଷ୍ଟ୍ରଦୂତ ମଧ୍ୟ ନିକଟରେ କଶ୍ମୀର ଗସ୍ତ କରିଛନ୍ତି। ଯେଉଁ ଭାରବରେ ଭାରତ ସରକାର ପରିସ୍ଥିତିକୁ ଆୟତ୍ତ କରୁଛନ୍ତି ତାହାକୁ ଭିତ୍ତିକରି ସେ ଭାରତ ସରକାରଙ୍କୁ ଯଥେଷ୍ଟ ପ୍ରଶଂସା କରିଛନ୍ତି।
ପ୍ରଶ୍ନ: ଏ ବାବଦରେ ମାଳଦ୍ବୀପ ଏବଂ ଅନ୍ୟ ଇସ୍ଲାମ ରାଷ୍ଟ୍ର (ଓଆଇସି) ଭିତରେ ମତ ପାର୍ଥକ୍ୟ ରହିଛି କି?
ଅବ୍ଦୁଲ୍ଲା ଶାହିଦ୍: ଆମେ ଆମ ସ୍ଥିତିକୁ ବହୂ ପୂର୍ବରୁ ସ୍ପଷ୍ଟ କରିସାରିଛୁ।
ପ୍ରଶ୍ନ: ‘ସାର୍କ’ ସମ୍ମିଳନୀର ପ୍ରସ୍ତାବକୁ ଆଗକୁ ନେବାକୁ ଭାରତ ଓ ପାକିସ୍ତାନ ଏକାଠି କାମ କରିବେ ଏବଂ ଏସ୍ସିଓ ବୈଠକର ପ୍ରସ୍ତାବଗୁଡ଼ିକ ମଧ୍ୟ ମିଳିତ ପ୍ରତେଚଷ୍ଟାରେ କାର୍ଯ୍ୟକାରୀ ହେବ ତଥା ଦୁଇ ଦେଶ ଏକାଠି ସାମରିକ ଅଭ୍ୟାସରେ ନିୟୋଜିତ ହେବେ ବୋଲି ଆପଣ ଆଶା କରୁଛନ୍ତି? ଅନ୍ୟପକ୍ଷରେ ପଚାରିବାକୁ ଗଲେ ସାର୍କ ରାଷ୍ଟ୍ର ଗୁଡ଼ିକର ସ୍ଵାର୍ଥକୁ ରଖି ଭାରତ ଏବଂ ପାକିସ୍ତାନ ନିଜ ଭିତରେ ମତଭେଦକୁ ଦୂରରେ ରଖିପାରିବେ କି?
ଅବ୍ଦୁଲ୍ଲା ଶାହିଦ୍: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ ( ସାର୍କ) ଏକ ବହୁତ ପୁରୁଣା ସଂଗଠନ। ୧୯୮୫ରେ ଏହାର ସୃଷ୍ଟି। ଏ ଭିତରେ ସମସ୍ତ ସଦସ୍ୟ ରାଷ୍ଟ୍ର ପରସ୍ପରକୁ ସହଯୋଗ କରିବା କ୍ଷେତ୍ରରେ ଅନେକ ବାଟ ଆଗକୁ ଚାଲି ଆସିଲେଣି। ଆମେ ଏହି ସଂଗଠନ ଜରିଆରେ ରାଷ୍ଟ୍ର ତଥା ଏହି ଅଞ୍ଚଳର ମୂଳ ସମସ୍ୟା ତଥା ବିଭେଦଗୁଡ଼ିକୁ ଆଲୋଚନା କରି ସେଥିରେ ସହମତିର ରାସ୍ତା କାଢ଼ିବାକୁ ଚେଷ୍ଟାକରୁ। ପୁଣି ପ୍ରାଥମିକ ଭାବେ ଆମେ ସେହି ପ୍ରସଙ୍ଗକୁ ଆଲୋଚନାକୁ ନେଉ ନାହୁଁ ଯାହା ବାବଦରେ ଭତଭେଦ ତୀବ୍ର ଥିବ ଏବଂ ସେଗୁଡ଼ିକର ଆଲୋଚନା ଅସମ୍ଭବ ହୋଇଥିବ। ଏ ପ୍ରସଙ୍ଗରେ ଦୁଇ ଦେଶ ନିଜ ଭିତରେ ମତବେଭଦକୁ ଦୂର କରିବା ଦାୟିତ୍ଵ ତାଙ୍କର ରହିବ। ଆମେ ଏମିତି ଏକ ସ୍ତରକୁ ଆସିବା ଦରକାର ଯେଉଁଠାରେ ଆମେ ଏସବୁ ପ୍ରସଙ୍ଗ ଆଲୋଚନା କରିପାରିବା।
ପ୍ରଶ୍ନ: ଏସ୍ସିଓରେ ସଦସ୍ୟ ଥାଇ ମଧ୍ୟ ଦୁଇ ପ୍ରମୁଖ ଦେଶ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧୀ ମତରେ ରହିବା ଉଦ୍ବେଗଜନକ ନୁହେଁ କି? ସାର୍କ ଶିଖର ବୈଠକ ନେଇ କୌଣସି ସ୍ଥିରତା ଦେଖାଯାଉ ନାହିଁ। ଉଭୟ ଏସ୍ସିଓ ଏବଂ ସାର୍କ ନିଜର ଲକ୍ଷ୍ୟ ପଥରେ ଆଗକୁ ବଢ଼ିବେ ଏବଂ ନିର୍ଦ୍ଧାରିତ ସମୟରେ ବୈଠକ ହେବ ବୋଲି ଆପଣ ଆଶବାଦୀ କି?
ଅବ୍ଦୁଲ୍ଲା ଶାହିଦ୍: ମୁଁ ଏଥିନେଇ ଆଶାବାଦୀ ରହିଛି। କିନ୍ତୁ ସାର୍କ ଶିଖର ବୈଠକ କେବେ ହେବ ତାହା ସେ ନେଇ କୌଣସି ଆଶଶନୁରୂପକ ଅଗ୍ରଗତି ମୁଁ ଲକ୍ଷ କରିପାରୁ ନାହିଁ। କିନ୍ତୁ ଶିଖର ବୈଠକ ପୂର୍ବରୁ ମନ୍ତ୍ରୀସ୍ତରୀୟ ବୈଠକ ଆମେ ଆୟୋଜନ କରିଥିଲୁ। ଟେକ୍ନିକାଲ ବୈଠକ ଓ ସହଯୋଗ ବୈଠକ ଜାରି ରହିଛି। ଏଣୁ ବାସ୍ତବତା ଯାହା ବି ହେଉ, ରାଜନୀତକି ଓ ଶିଖର ବୈଠକ ବାବଦରେ ଆମକୁ ଆଶାବାଦୀ ହେବାକୁ ପଡ଼ିବ।
ପ୍ରଶ୍ନ: କିନ୍ତୁ ଏହି ମଞ୍ଚକୁ ଆଗକୁ ବଢ଼ାଇବାକୁ ହେଲେ ରାଜନୀତିକ ବୈଠକ ଏକ ଗୁରୁତ୍ଵପୂଣ୍ଣ ଭୂମିକା ନିର୍ବାହ କରିଥାଏ। ବିନା ରାଜନୀତିକ ଓ ଶିଖର ବୈଠକରେ ମଞ୍ଚ ଆଗକୁ ବଢ଼ି ପାରିବ?
ଅବ୍ଦୁଲ୍ଲା ଶାହିଦ୍: କିଛି ସମୟ ପାଇଁ ଏହା ଏମିତି କାର୍ଯ୍ୟ କରୁଛି।
ପ୍ରଶ୍ନ: ଭାରତ ଦ୍ଵାରା ମାଳଦ୍ବୀପରେ ତିଆରିରି ଚାଲିଥିବା କ୍ରିକେଟ୍ ଷ୍ଟାଡିୟମ୍ ବାବଦରେ କିଛି ସୂଚନା?
ଅବ୍ଦୁଲ୍ଲା ଶାହିଦ୍: ମୁଁ ସେ ଡ୍ରଇଁ ଦେଖିଛି। ତାହା ବେଶ୍ ସୁନ୍ଦର। ପାଖାପାଖି ସବୁ ଜିନିଷ ଠିକଣା ଭାବେ ଆଗକୁ ବଢ଼ୁଛି। କିଛିଦିନ ଭିତରେ ଆମେ ଏଥିଲାଗି ଶିଳାନ୍ୟାସ କରିବୁ। ଅପରପକ୍ଷେ ତାଲିମ ଆରମ୍ଭ ହୋଇଗଲାଣି। ଭାରତର କୋଚ୍ମାନେ ସେଠାରେ ପ୍ରତିଭାଙ୍କୁ ତାଲିମ ଦେଉଛନ୍ତି। ଆଉ କିଛି ଦିନ ଅପେକ୍ଷା କରନ୍ତୁ ଆମେ ଆପଣଙ୍କୁ ହରାଇବୁ!
ପ୍ରଶ୍ନ: ରାଷ୍ଟ୍ରପତି ସୋଲିଙ୍କ ଭଳି ଆପଣ କ’ଣ କ୍ରିକେଟ୍ ଫ୍ୟାନ୍?
ଅବ୍ଦୁଲ୍ଲା ଶାହିଦ୍: ରାଷ୍ଟ୍ରପତି ସୋଲି କ୍ରିକେଟ୍ର ଜଣେ ବଡ଼ ଫ୍ୟାନ୍। ସେ କ୍ରିକେଟ୍ ଖେଳନ୍ତି ମଧ୍ୟ। ମୁଁ ମଧ୍ୟ କ୍ରିକେଟ୍ ଦେଖ ଓ ଭଲ ପାଏ। ଗତବର୍ଷ ରାଷ୍ଟ୍ରପତି ସେଲି ଏବଂ ମୁଁ ବେଙ୍ଗାଲୁରୁ କୁ ଯାତ୍ରା କରିସେଠାରେ କ୍ରିକେଟ୍ ଦେଖିବାର ସୁଯୋଗ ପାଇଥିଲୁ। ତାହା ବେଶ୍ ଚମକପ୍ରଦ ଥିଲା। ଆମେ ସତରେ ତାହାକୁ ବହୁତ୍ ଉପଭୋଗ କରିଥିଲୁ।