କଂଗ୍ରେସ ଦଳରେ ପୁରୁଖା ନେତା ବନାମ ଯୁବ ନେତାଙ୍କ ମଧ୍ୟରେ କୌଣସି ପ୍ରକାର କ୍ଷମତା କନ୍ଦଳ ନାହିଁ ବୋଲି ଦଳର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି। ଦେଶର ସର୍ବପୁରାତନ ଦଳର ନେତୃତ୍ବ ରାହୁଲ ଗାନ୍ଧି ନିଅନ୍ତୁ ବୋଲି ସେ ତାଙ୍କର ମତ ରଖିଛନ୍ତି। ବରିଷ୍ଠ ସାମ୍ବାଦିକ ଅମିତ ଅଗ୍ନିହୋତ୍ରୀଙ୍କୁ ଦେଇଥିବା ଏକ ଏକ୍ସକ୍ଲୁସିଭ ସାକ୍ଷାତକାରରେ ଏହା କହିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାୱତ। ପଢ଼ନ୍ତୁ ସାକ୍ଷାତକାରର ଉଦ୍ଧୃତାଂଶ :
ପ୍ରଶ୍ନ-ବରିଷ୍ଠ 23ଜଣ ନେତା ଏକ ପ୍ରତିବାଦ ପତ୍ର ଲେଖି କଂଗ୍ରେସରେ ଥିବା ନେତୃତ୍ବ ପ୍ରସଙ୍ଗ ଉଠାଇଛନ୍ତି। ପୁରୁଖା ବନାମ ଯୁବ ନେତାଙ୍କୁ ନେଇ ଚାଲିଥିବା ବିତର୍କ କଂଗ୍ରେସର ବିକାଶରେ ବାଧକ ସାଜିବନି ତ?
ଦେଖନ୍ତୁ, ଇତିହାସକୁ ଅବଲୋକନ କଲେ କଂଗ୍ରେସ ଦଲ ଯୁବ ନେତାଙ୍କୁ ସମର୍ଥନ ଦେବା ସହିତ ଆଗକୁ ଆଣିଛି। ଇନ୍ଦିରା ଗାନ୍ଧିଙ୍କ ସମୟରେ ଅନେକ ଯୁବ ନେତା ଦଳରେ ଯୋଗ ଦେଇଥିଲେ। କମଲ ନାଥଙ୍କ ଭଳି ଅନେକ ଯୁବନେତାଙ୍କୁ ସଂଜୟ ଗାନ୍ଧି ଆଣିଥିଲେ। ପରେ ରାଜୀବ ଗାନ୍ଧି ଦାୟିତ୍ବ ନେବା ପରେ ଗୁଲାମ ନବି ଆଜାଦ, ଅହମ୍ମଦ ପଟେଲ, ଆନନ୍ଦ ଶର୍ମା ଏବଂ ମୁକୁଲ ୱାସନିକ ଏବଂ ମୋ ଭଳି ଅନେକ ଯୁବନେତା ଦଳକୁ ଆସିଥିଲେ। ବାସ୍ତବରେ ସଂଜୟ ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ସମୟରେ ଯେଉଁମାନେ କଂଗ୍ରେସରେ ଯୋଗ ଦେଇଥିଲେ ସେମାନେ ଏବେ ଦଳର ପ୍ରମୁଖ ଦାୟିତ୍ବରେ ଅଛନ୍ତି। ଆମ ପରେ ଆସିଥିବା ଅବିନାଶ ପାଣ୍ଡେଙ୍କ ପରି ଅନେକ ଯୁବ ନେତା ଦଳ ପାଇଁ ବହୁତ ଭଲ କାମ କରୁଛନ୍ତି। ସେହିପରି ରାହୁଲ ଗାନ୍ଧି ସକ୍ରିୟ ରାଜନୀତିରେ ଯୋଗ ଦେବା ପରେ ରାଜୀବ ସତଭ ଏବଂ ଗୌରବ ଗୋଗୋଇଙ୍କ ପରି ଅନେକ ଯୁବନେତା ଦଳକୁ ଆସିଛନ୍ତି ଏବଂ ଏହାପରଠାରୁ ସେମାନେ ଆଗକୁ ବଢିଛନ୍ତି। ସାଧାରଣତଃ କଂଗ୍ରେସ ସବୁବେଳେ ଯୁବ ପିଢି ସହିତ ରହି ଆସିଛି। ଦଳରେ କେବେ ବି ପୁରୁଖା ନେତା ବନାମ ଯୁବ ନେତୃତ୍ବକୁ ନେଇ ବିତର୍କ ହୋଇନାହିଁ। ଯୁବ ପିଢିଙ୍କୁ ଦଳରେ ନେଇ ସେମାନଙ୍କୁ ସମର୍ଥନ ଦେବା ପାଇଁ ଆମେ ସମସ୍ତେ ଇଚ୍ଛା ପ୍ରକାଶ କରି ଆସିଛୁ। ଅବଶ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଗୋଟିଏ କିମ୍ବା ଦୁଇଟି ଦୃଷ୍ଟାନ୍ତ ଥାଇପାରେ। ବହୁତ କମ୍ ସମୟରେ ତାଙ୍କୁ ଦଳ ଅନେକ କିଛି ଦେଇଥିଲା। ମୁଁ ମୋର ଏକ ପୂର୍ବ ଅନୁଭୂତି କହୁଛି। 1980ରେ ମୁଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ସ୍ବର୍ଗତ ମାଧବରାଓ ସିନ୍ଧିଆଙ୍କ ସହିତ ସାଂସଦ ଥିଲି ଏବଂ ଏହାର ପ୍ରାୟ ଏକ ଦଶନ୍ଧି ପରେ ମନମୋହନ ସିଂହଙ୍କ ସରକାରରେ ରାଷ୍ଟ୍ର ମନ୍ତ୍ରୀ ଥିଲି ଯେଉଁଥିରେ ଜ୍ୟୋତିରାଦିତ୍ୟ ମଧ୍ୟ ଜଣେ ସଦସ୍ୟ ଥିଲେ। କହିବାର କଥା ଆମ ପାଖରେ ଧୈର୍ଯ୍ୟ ଥିଲା। ଜ୍ୟୋତିରାଦିତ୍ୟ ଯଦି ଅପେକ୍ଷା କରିଥାନ୍ତେ, ହୁଏତ ସେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ। କିନ୍ତୁ ସେ ଅଧୈର୍ଯ୍ୟ ହୋଇ ଦଳ ଛାଡ଼ିଦେଲେ।
ପ୍ରଶ୍ନ- ଯଦି ସେୟା ହୁଏ, ତେବେ ତୁଙ୍ଗ ନେତା ଗୁଲାମ ନବି ଆଜାଦଙ୍କୁ ଅଗଷ୍ଟ 24ରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀରେ କାହିଁକି ଟାର୍ଗେଟ୍ କରାଗଲା?
ଦେଖନ୍ତୁ, ଚିଠି ଲେଖିବା କାହାପାଇଁ ଉଦବେଗର ବିଷୟ ନୁହେଁ। ଯେଉଁ ସମୟରେ ଏବଂ ଯେଉଁଭଳି ଭାବେ ଚିଠିକୁ ଗୁରୁତ୍ବ ଦିଆଗଲା ଏବଂ ଏହାକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଗଲା ତାହା ସିଡବ୍ଲୁସି ସଦସ୍ୟମାନଙ୍କୁ ବିବ୍ରତ କରିବା ସହ ସେମାନଙ୍କୁ ହତୋତ୍ସାହିତ କରିଥିଲା। ଏପରି କାହିଁକି ଘଟିଲା ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଜାଦ୍ ଜଣେ ତୁଙ୍ଗ ଏବେ ଅଭିଜ୍ଞ ରାଜନୀତିଜ୍ଞ। ବାସ୍ତବରେ ଦଳରେ ତିନି ଜଣ ନେତା ଆଜାଦ, ଅହମ୍ମଦ ପଟେଲ ଏବଂ ଅମ୍ବିକା ସୋନିଙ୍କ ସ୍ବତନ୍ତ୍ର ସ୍ଥାନ ରହିଛି। ଆମେ ସବୁବେଳେ ସେମାନଙ୍କୁ ସମ୍ମାନ ଦେଇଆସୁ। ବୈଠକ ବେଳେ ଯଦି ସେମାନେ ଛିଡ଼ା ହୋଇଥାନ୍ତି ତେବେ ଆମେ ଆମ ଚେୟାରରେ ବସୁ ନଥାଉ। ଆଜାଦଙ୍କୁ ଦଳର ଟ୍ରବଲ୍ସୁଟର୍ କୁହାଯାଇଥାଏ। ଆମେ ଯଦି କୌଁଣସି ଭୂଲ୍ କରିଦେଉ, ଆଜାଦ ତାହାର ସଂଶୋଧନ କରିଥାନ୍ତି। ଅହମ୍ମଦ ପଟେଲଙ୍କ ଭୂମିକା ମଧ୍ୟ ସମାନ। ଯେତେବେଳ ପ୍ରତିବାଦ ପତ୍ର ପ୍ରଘଟ ହେଲା ଏବଂ ଏଥିରେ ଆଜାଦଙ୍କ ନାଁ ସର୍ବାଗ୍ରେ ଆଉ ଏହା ପଛରେ ତାଙ୍କର ଭୂମିକା ପ୍ରମୁଖ ବୋଲି ଜଣାପଡ଼ିଲା ସେତେବେଳେ ଆମେ ଆଶ୍ଚର୍ଯ୍ୟ ପ୍ରକାଶ କଲୁ। ପ୍ରଶ୍ନ ଉଠିଲା ସେ କାହିଁକି ଏପରି କଲେ। ଆଜାଦ ସୋନିଆଙ୍କୁ ଭେଟି ପାରିଥାନ୍ତେ କିମ୍ବା ତାଙ୍କ ସହ କଥା ହୋଇପାରିଥାନ୍ତେ। ତାଙ୍କର ପ୍ରତିଟି କଥା ଦଳ ସମ୍ମାନ ଦେଇଥାଏ। ଏହା ବଦଳରେ ଦଳକୁ ନେଇ ସମସ୍ତ ପ୍ରକାର ପ୍ରତିକୂଳ ମନ୍ତବ୍ୟ ଉପରେ ଆଲୋଚନା ଚାଲିଲା ଏବଂ ଏହା ଆମକୁ କଷ୍ଟ ଦେଇଥିଲା। ଏହା ହିଁ ସିଡବ୍ଲୁସି ବୈଠକରେ ପ୍ରତିଫଳିତ ହୋଇଥିଲା। ଏହା କୁହାଯାଇନଥିଲା ଯେ, ଆଜାଦଙ୍କ ଦ୍ବାରା ବିଦ୍ରୋହ ଉଦ୍ୟମ ହୋଇଥିଲା, କିନ୍ତୁ ଯେଉଁଭଳି ଭାବେ ଚିଠି ପ୍ରଘଟ ହୋଇଥିଲା ତାହାକୁ ନେଇ ସିଡବ୍ଲୁସିରେ ଉଦବେଗ ପ୍ରକାଶ ପାଇଥିଲା। ଏହି କାରଣରୁ ହିଁ ବୈଠକ ଦୀର୍ଘ ସମୟ ଚାଲିଥିଲା। କିନ୍ତୁ ଶେଷରେ ସୋନିଆ ଗାନ୍ଧି ଆମ ସମସ୍ତଙ୍କୁ ଆଶ୍ବାସନା ଦେଇଥିଲେ ଯେ, ସମସ୍ତଙ୍କ ଚିନ୍ତାଧାରାକୁ ବିଚାର କରାଯିବ।
ପ୍ରଶ୍ନ-କଂଗ୍ରେସ ସଭାପତି ଭାବେ ରାହୁଲ ଗାନ୍ଧି ପୁନଃନିର୍ବାଚିତ ହେବା ନେଇ ଦଳରେ ସେମାନଙ୍କର କିଛି ଚିନ୍ତା ଥିଲା କି?
ଯଦି ରାହୁଲ ଦାୟିତ୍ବ ନେବାକୁ ଅନିଚ୍ଛା ପ୍ରକାଶ କରନ୍ତି ତେବେ ସମସ୍ତ ପ୍ରସଙ୍ଗର ସମାଧାନ ପାଇଁ ଏଆଇସିସି ଅଧିବେଶନ ଡକାଯିବା ଉଚିତ୍ ବୋଲି ସିଡବ୍ଲୁସିରେ ଆଲୋଚନା ହୋଇଥିଲା। ଆମେ ଚାହୁଁଥିଲୁ ରାହୁଲ ଯେତେଶୀଘ୍ର ଦାୟିତ୍ବ ନିଅନ୍ତୁ। ଏହା ମଧ୍ୟ ସିଡବ୍ଲୁସିର ସର୍ବସମ୍ମତ ମତ ଥିଲା। ଏପରିକି 2019 ଅଗଷ୍ଟରେ ବସିଥିବା ପରିବର୍ଦ୍ଧିତ କଂଗ୍ରେସ କାର୍ଯ୍ୟକାରିଣିରେ ମଧ୍ୟ ରାହୁଲ ତାଙ୍କର ଇସ୍ତଫା ପତ୍ର ଫେରାଇ ନିଅନ୍ତୁ ବୋଲି ଦାବି କରାଯାଇଥିଲା। ତାଙ୍କ ନେତୃତ୍ବ ଉପରେ କଂଗ୍ରେସ କର୍ମୀଙ୍କ ପୂରା ବିଶ୍ବାସ ରହିଛି। ଯେତେବେଳେ ଅନେକ ସମସ୍ୟା ଆସିଛି ରାହୁଲ ଦାୟିତ୍ବ ନେଇଛନ୍ତି ଏବଂ ଆମ ସମସ୍ତଙ୍କର ଏହା ଅନୁଭବ। ଏବେ ଦେଶରେ ସଂସଦୀୟ ବ୍ୟବସ୍ଥା ଏବଂ ସାମ୍ବିଧାନିକ ଗଣତନ୍ତ୍ର ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସରକାରଙ୍କ କାର୍ଯ୍ୟ କରିବାର ପ୍ରଣାଳିକୁ ରାହୁଲ ଉଚିତ୍ ଜବାବ ଦେଇ ଆସୁଛନ୍ତି। ସେ କଂଗ୍ରେସ ନେତା ଭାବେ ଆଗକୁ ଆସିବା ସହ ବିରୋଧୀ ଦଳ ନେତା ସ୍ଥାନ ଦଖଲ କରି ନେଇଛନ୍ତି। ମୁଁ ଭାବୁଛି, ଏପରି ଅବସ୍ଥାରେ କଂଗ୍ରେସକୁ ଜଣେ ଯୁବ ନେତା ଏବଂ ଭାରତକୁ ଜଣେ ଯୁବ ବିରୋଧୀ ଦଳ ନେତା ଆବଶ୍ୟକ। ସେ ଦେଶ ସାରା ବୁଲି ଲୋକଙ୍କୁ ଭେଟୁଛନ୍ତି। ସେ ଅନେକ ଅଭିଜ୍ଞତା ମଧ୍ୟ ହାସଲ କରି ସାରିଲେଣି। ଏବେ ସମୟରେ ପରିବର୍ତ୍ତନ ଘଟୁଛି। ଲୋକେ ଜୀବନ ଜୀବିକା ସହ ଜଡ଼ିତ ସମସ୍ୟା ସବୁ ଉଠାଇବା ଆରମ୍ଭ କଲେଣି। ଏହି ସମୟରେ ରାହୁଲ କଂଗ୍ରେସ ସଭାପତି ଦାୟିତ୍ବ ନେବା ଉଚିତ୍।
ପ୍ରଶ୍ନ-ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା ସିଡବ୍ଲୁସି ନିର୍ବାଚନ ହୋଇନାହିଁ, ଏ ସମ୍ପର୍କରେ କ’ଣ କହିବେ?
ସାଧାରଣରେ ଏହା ଆଲୋଚନା କରିବା ବିଷୟ ନୁହେଁ, ଏହା ଦଳୀୟ ସ୍ତରରେ ଆଲୋଚନା କରାଯିବା କଥା। ଯଦି ଜିଲ୍ଲା ସ୍ତରରୁ ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ କରାଯିବା ବିଚାର କରାଯାଏ ତେବେ ସିଡବ୍ଲୁସି ବୈଠକ ପୁଣି ଥରେ ବସି ନେତାମାନେ ଆଲୋଚନା କରିବା ଉଚିତ୍ । ଆଜାଦ୍ କିଛି ନୂଆ କଥା କହିନାହାଁନ୍ତି, ଏହା ହେଉଛି କଂଗ୍ରେସର ପୁରୁଣା ଚିନ୍ତାଧାରା। ବାସ୍ତବରେ ରାହୁଲ ହିଁ ଯୁବ କଂଗ୍ରେସକୁ ଖୋଲା କରିବା ସହିତ ଦଳର ଯୁବ ସଂଗଠନରେ ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯଦି ରାହୁଲ ଦାୟିତ୍ବ ନେବେ ସେ ନିଶ୍ଚିତ ଭାବେ ଦଳ ଭିତରେ ନିର୍ବାଚନକୁ ପସନ୍ଦ କରିବେ। କିନ୍ତୁ ବର୍ତ୍ତମାନ ଦେଶ ଆଗରେ ରହିଥିବା ଚ୍ୟାଲେଞ୍ଜ ଗୁଡ଼ିକ ଉପରେ ସମସ୍ତଙ୍କର ଦୃଷ୍ଟି ପଡୁନାହିଁ। ଆମେ ସମସ୍ତେ ନୀତିଗତ ଭାବେ ଆଭ୍ୟନ୍ତରୀଣ ନିର୍ବାଚନ ନେଇ ସହମତ, କିନ୍ତୁ ଏହାର ସମୟ ନେଇ ଆମକୁ ସ୍ଥିର କରିବାକୁ ହେବ।
ପ୍ରଶ୍ନ-ସୁତରାଂ ଅସନ୍ତୁଷ୍ଟମାନେ ଉଠାଇଥିବା ପ୍ରସଙ୍ଗର ସମାଧାନ ହୋଇଯାଇଛି ?
ପ୍ରତିବାଦ ପତ୍ରରେ ଉଠାଯାଇଥିବା ପ୍ରସଙ୍ଗ ସବୁ ପରିବର୍ଦ୍ଧିତ ସିଡବ୍ଲୁସିରେ ଆଲୋଚନା ହୋଇସାରିଛି। ମୁଁ ଭାବୁଛି ସୋନିଆଙ୍କ ଉଦଯାପନୀ ମନ୍ତବ୍ୟ ସହ ବିବାଦର ପରିସମାପ୍ତି ଘଟିଛି। କଂଗ୍ରେସ ଦଳ ପାଇଁ ଆଜାଦ ଯେତିକି ଚିନ୍ତିତ, ମୁଁ ମଧ୍ୟ ସେତିକି ଚିନ୍ତିତ। ଏବଂ ମୋ ମତରେ ଏସବୁ ପ୍ରସଙ୍ଗ ଉଠାଇବା ପଛରେ କାହାରି କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା। ଏଆଇସିସି ଅଧିବେଶନ ଆସନ୍ତା ଛଅ ମାସ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ଯାହା କିଛି ନିଷ୍ପତ୍ତି ନିଆଯିବ, କ’ଣ ହେବ ମୁଁ କହିପାରିବି ନାହିଁ କିନ୍ତୁ ରାହୁଲ କଂଗ୍ରେସ ସଭାପତି ଭାବେ ପୁନଃପ୍ରତ୍ୟବର୍ତ୍ତନ କରିବେ। ସେତେଦିନ ଯାଏଁ ଆମକୁ ଏକ ଗଠନମୂଳକ ବିରୋଧୀ ଦଳର ଭୂମିକା ତୁଲାଇ ବେକାରୀ ସମସ୍ୟା, ଅସହିଷ୍ଣତା ଏବଂ ସଂକଟଗ୍ରସ୍ତ ଅର୍ଥନୀତି ଆଦି ଲୋକଙ୍କ ସମସ୍ୟା କଥା ଉଠାଇ ମୋଦି ସରକାରକୁ କଡ଼ା ଆକ୍ରମଣ କରିବାକୁ ପଡ଼ିବ।
ପ୍ରଶ୍ନ-କଂଗ୍ରେସ କାହିଁକି ଏକ ଆକ୍ରମଣାତ୍ମକ ବିରୋଧୀ ଦଳ ହୋଇପାରୁନାହିଁ?
ଦୁର୍ଭାଗ୍ୟବଶତଃ ଗତ ଦୁଇ ବର୍ଷ ହେଲା ଦେଶର ରାଜନୈତିକ ଚିତ୍ର ଏପରି ହୋଇଛି ଯାହାକି କଂଗ୍ରେସର କାମ କରିବା ଶୈଳୀକୁ ସୁହାଉନାହିଁ। ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସାମ୍ପ୍ରଦାୟିକ ଧାରାରେ ଦେଶର ରାଜନୀତିକୁ ଭାଗ ଭାଗ କରିବାରେ ସଫଳ ହୋଇଛନ୍ତି। ଆମେ 2017 ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏହା ଦେଖିଛେ। ଆମେ ଆଶା କରିଥିଲୁ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ଉତ୍ତର ପ୍ରଦେଶରୁ ଆମେ ଶାସନ କ୍ଷମତାକୁ ଫେରିବୁ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଅନୁରୂପ ଆଶା ରହିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପ୍ରଚାର ବେଳେ “କବରିସ୍ତାନ-ଶମଶାନ” ଭଳି ମନ୍ତବ୍ୟ ଦେଇ ନିର୍ବାଚନକୁ ଧ୍ରବିକରଣ କରିଦେଲେ। ଫଳରେ ଆମର ପରାଜୟ ହେଲା। ସେହିବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ବେକାରୀ ବୃଦ୍ଧି ଏବଂ ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଏହାକୁ ନେଇ ଆମେ ଭଲ ସ୍ଥିତିରେ ଥିଲୁ, କିନ୍ତୁ ଦୁର୍ଭାଗ୍ୟ ଥିଲା 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା। ଏହାପରେ ଭାରତୀୟ ବାୟୁସେନା ଦ୍ବାରା ସୀମାରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ହୋଇଥିବା ବାଲାକୋଟ ଆକ୍ରମଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ଓ ଗଣମାଧ୍ୟମ ଅତିରଂଜିତ କରି ଏହାର ପ୍ରଚାର ପ୍ରସାର କରିଥିଲେ। ଦୁଃଖର କଥା କଂଗ୍ରେସକୁ ପାକିସ୍ତାନ ସମର୍ଥିତ ଭାବେ ଚିତ୍ରଣ କରାଯାଇଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଏହାକୁ ନେଇ ବିଜେପି ରାଜନୀତିରେ ଧ୍ରୁବିକରଣ କରିବାରେ ସଫଳ ହୋଇଥିଲା। ଏଭଳି ପରିବେଶ ଆମ ପାଇଁ ଅନୁକୂଳ ନଥିଲା ଯାହାକି ଆମକୁ ସୁହାଇନଥିଲା ଏବଂ ଏହି କାରଣରୁ ଆମେ 2019 ସାଧାରଣ ନିର୍ବାଚନ ହାରିଲୁ।
ପ୍ରଶ୍ନ-ଗତ ଦଶନ୍ଧିରେ କଂଗ୍ରେସ ସଭାପତିଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିଛି କି?
କଂଗ୍ରେସ ଦଳର ନୀତି ଓ ଆଦର୍ଶ ଇନ୍ଦିରା ଗାନ୍ଧିଙ୍କ ବେଳରୁ ସମାନ ରହି ଆସିଛି। ଏହାପରେ ରାଜୀବ ଗାନ୍ଧି, ପିଭି ନରସିଂହ ରାଓ, ସୀତାରାମ କେଶରୀ, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ସମସ୍ତେ ଦଳର ସଭାପତି ହୋଇଛନ୍ତି, କିନ୍ତୁ ନୀତି ଆଦର୍ଶ ବଦଳି ନାହିଁ। ସୋନିଆଙ୍କ ଅଧିନରେ ରାହୁଲ 12 ବର୍ଷ ଧରି ବିଭିନ୍ନ ପଦ ପଦବୀରେ କାମ କରି ଆସିଛନ୍ତି। ଆଜି ଆମର କାର୍ଯ୍ୟଶୈଳୀ ଏବଂ ଦଳୀୟ ବ୍ୟବସ୍ଥାରେ କୌଣସି ସମସ୍ୟା ନାହିଁ। ହେଲେ ଦେଶରେ ବିଗତ ବର୍ଷ ଗୁଡ଼ିକରେ ରାଜନୈତିକ ପରିବେଶରେ ପରିବର୍ତ୍ତନ ଘଟିଛି। ଏହା ପ୍ରଦୂଷିତ ହୋଇଯାଇଛି ଏବଂ କଂଗ୍ରେସ ପାଇଁ ଅନୁକୂଳ ହେଉନାହିଁ।
ପ୍ରଶ୍ନ-ଆପଣ ଆଶା କରୁଛନ୍ତି କି ସ୍ଥିତିରେ ପରିବର୍ତ୍ତନ ହେବ?
ଲୋକେ ଯେବେ ସେମାନଙ୍କର ଜୀବନ ଜୀବିକା କଥା ଭାବିବେ ସେବେ ସ୍ଥିତିରେ ପରିବର୍ତ୍ତନ ଆସିବ। ତାହା ପରେ ସେମାନେ କଂଗ୍ରେସ ଦ୍ବାରା ହୋଇଥିବା କାମର ପ୍ରଶଂସା କରିବା ଆରମ୍ଭ କରିବେ। ମିଳିତ ଭାବେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ପିଏମ୍ ମୋଦିଙ୍କ ଦ୍ବାରା ଦେଶରେ ଏକ ବିଭାଜିତ ବାତାବରଣ ସୃଷ୍ଟି କରାଯାଇଛି। କଂଗ୍ରେସ ପାଖରେ ଏହାର ଉତ୍ତର ଅଛି। କିନ୍ତୁ କଂଗ୍ରେସ ତାହାର ନିଜ ରାସ୍ତାରେ ଚାଲିବ ଏବଂ କେହି ଏଥିରୁ ଦଳକୁ ହଟାଇ ପାରିବ ନାହିଁ।