ମୁମ୍ବାଇ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୟସିଙ୍ଗ ରାଓ ଗାଏକୱାଡ ପାଟିଲ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ମଙ୍ଗଳବାର ତାଙ୍କ ଇସ୍ତଫା ପତ୍ର ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି ।
ଔରଙ୍ଗାବାଦରେ ରହୁଥିବା ଗାଏକୱାଡ ପାଟିଲ କହିଛନ୍ତି ଯେ ସେ ଦଳ ପାଇଁ କାମ କରିବାକୁ ଇଚ୍ଛୁକ କିନ୍ତୁ ଦଳ ତାଙ୍କୁ ଉପଯୁକ୍ତ ଗୁରୁତ୍ବ ସୁଯୋଗ ଦେଉନଥିବାରୁ ସେ ଏପରି ନିଷ୍ପତ୍ତି ନେଉଥିବା କହିଛନ୍ତି । ତେଣୁ ସେ ସଭାପତିଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ରାଜ୍ୟ ବିଜେପି ୟୁନିଟରୁ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଥିବା ସ୍ପଷ୍ଟ କରିଛନ୍ତି ।
ଏହି ବରିଷ୍ଠ ନେତା କହିଛନ୍ତି ଯେ ସେ ପୂର୍ବରୁ ମହାରାଷ୍ଟ୍ର ସରକାର ଓ କେନ୍ଦ୍ରରେ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । କିନ୍ତୁ ବର୍ତ୍ତମାନ ସେ ବିଧାୟକ କିମ୍ବା ସାଂସଦ ଭାବେ କାମ ନକରି ଦଳ ଓ ସଂଗଠନ ପାଇଁ କାମ କରିବାକୁ ଆଗ୍ରହୀ ଥିବା ସେ ପ୍ରକାଶ କରିଥିଲେ । କିନ୍ତୁ ଦଳ ତାଙ୍କୁ ଉପଯୁକ୍ତ ସୁଯୋଗ କିମ୍ବା ଗୁରୁତ୍ବ ଦେଇନଥିବା ସେ ଅଭିଯୋଗ କରିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଯେଉଁ ମାନେ ଦଳର ଉନ୍ନତି ପାଇଁ କାମ କରିବାକୁ ଚାହୁଁଛନ୍ତି ଦଳ ସେମାନଙ୍କୁ ଗୁରୁତ୍ବ ଦେଉନାହିଁ । ଏ ସମ୍ପର୍କରେ ମହାରାଷ୍ଟ୍ର ବିଜେପି ସଭାପତିଙ୍କ ସହ ଯୋଗୋଯୋଗ କରାଯିବାରୁ ସେ ଏବାବଦରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ