ହାଇଦ୍ରାବାଦ: ଅଟିଜିମ । ଏପରି ଏକ ରୋଗ ଯାହା ଜନ୍ମ ସହିତ ହିଁ ଆରମ୍ଭ ହୋଇଥାଏ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ରହିଥାଏ । ଏହି ରୋଗରେ ପୀଡିତ ବ୍ୟକ୍ତି ମୁଖ୍ୟତଃ ଯୋଗାଯୋଗ କରିବାରେ ଅସୁବିଧା ଅନୁଭବ କରେ । ଏହି ରୋଗର ନିରାକରଣ ପାଇଁ କୌଣସି ଚିକିତ୍ସା ପ୍ରଣାଳୀ ଖୋଜି ପାଇ ନାହାଁନ୍ତି ଡାକ୍ତର । ତେବେ କେତେକ ବ୍ୟାୟାମ ଓ ଔଷଧର ସହାୟତାର ଅଟିଜିମ ସ୍ପେକ୍ଟ୍ରମର ପ୍ରଭାବକୁ କମାଯାଇପାରେ । ଏହାଦ୍ବାରା ସାଧାରଣ ମଣିଷ ପରି ନହେଲେ ବି ସାମାନ୍ୟ ରୂପେ ସାଧାରଣ ମଣିଷ ପରି ଅବସ୍ଥାକୁ ଫେରି ଆସିହୁଏ ।
ତେବେ ଏହି ରୋଗକୁ ନେଇ ଅନେକ ବର୍ଷ ହେବ ବୈଜ୍ଞାନିକ ବିଭିନ୍ନ ପ୍ରୟୋଗ ଜାରି ରଖିଛନ୍ତି । ରୋଗର ପ୍ରକୃତ କାରଣ, ଏହାର ନିରାକରଣ ଆଦି ମଧ୍ୟ ଖୋଜିବାରେ ଲାଗିଛନ୍ତି ବୈଜ୍ଞାନିକଙ୍କ ଟିମ୍ । କେତେକାଂଶରେ ସଫଳ ମଧ୍ୟ ହୋଇଛନ୍ତି । ତେବେ କେମ୍ବ୍ରିଜ ୟୁନିଭର୍ସିଟିର ଏକ ବୈଜ୍ଞାନିକ ଦଳ, ଏନେଇ ଖୋଜି ବାହାର କରିଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସେମାନଙ୍କ ମତରେ ଗର୍ଭରେ ଏସ୍ଟ୍ରୋଜେନ ସେକ୍ସ ହର୍ମୋନର ମାତ୍ରା ଅଧିକ ରହିବା ଅଟିଜିମ ସୃଷ୍ଟିର ଏକ ମୁଖ୍ୟ କାରଣ ହୋଇପାରେ । ଏନେଇ ମୋଲିକ୍ୟୁଲାର ସାଇକ୍ୟାଟ୍ରିରେ ଏକ ସବିଶେଷ ବିବରଣୀ ମଧ୍ୟ ପ୍ରକାଶ ପାଇଛି।
ବର୍ତ୍ତମାନ ବୈଜ୍ଞାନିକ ଖୋଜିଥିବା ତଥ୍ୟ 20 ବର୍ଷ ତଳର ପ୍ରିନାଟାଲ ସେକ୍ସ ଷ୍ଟେରଏଡ ଥିଓରି ଅଫ ଅଟିଜିମ୍ରେ ଗଚ୍ଛିତ ତଥ୍ୟରେ କିଛି ନୂଆ ତଥ୍ୟ ଯୋଡିଛି । ଯାହା ଅଟିଡିମ ରୋଗକୁ ବୁଝିବାରେ ସାମାନ୍ୟ ମାତ୍ରାରେ ସାହାଯ୍ୟ କରିଛି । ତେବେ 2015 ମସିହାରେ ୟୁନିଭର୍ସିଟି ଅଫ୍ କେମ୍ବ୍ରିଜର ଏକ ବୈଜ୍ଞାନିକ ଟିମ୍ ଡେନମାର୍କସ୍ଥିତ ଦି ଷ୍ଟେଟ୍ ସିରମ ଇନଷ୍ଟିଚ୍ୟୁଟରେ ପ୍ରଥମେ ପର୍ଯ୍ୟାୟକ୍ରମେ 4ଟି ପ୍ରିନାଟାଲ ସେକ୍ସ ଷ୍ଟେରଏଡ ହର୍ମୋନକୁ ପରୀକ୍ଷା କରିଥିଲେ ।
ଏହି 4ଟି ପ୍ରିନାଟାଲ ବା ଜନ୍ମ ପୂର୍ବର ଷ୍ଟେରଏଡ ହର୍ମୋନ ମଧ୍ୟରୁ ଗର୍ଭରେ ଥିବା ଆମିନୋଟିକ୍ ଫ୍ଲୁଇଡରେ 2ଟି ଆଣ୍ଡ୍ରୋଜେନ ଚିହ୍ନଟ କରାଯାଇଥିଲା । ଆଣ୍ଡ୍ରୋଜେନ ମୁଖ୍ୟତଃ ପୁରୁଷ ଫଏଟସ ବା ଭ୍ରୃଣରେ ଅଧିକ ପରିମାଣରେ ଦେଖାଦେଇଥାଏ । ଯାହା ପରବର୍ତ୍ତୀ ସମୟରେ ଅଟିଜିମ ଆକାରରେ ଶରୀରରେ ପରିପ୍ରକାଶ ହୋଇଥାଏ। ତେଣୁ ଝିଅଙ୍କ ଅପେକ୍ଷା ପୁଅ ଅଟିଜିମର ଶିକାର ହେଉଥିବା ଅନୁମାନ କରାଯାଇପାରେ । କେବଳ ଅଟିଜିମ ନୁହେଁ ଏହି ହରମୋନ ଦ୍ବାରା ମସ୍ତିଷ୍କର ଶିରା ପ୍ରଶିରା ଫୁଲିବା ସହ ଏହାର କାର୍ଯ୍ୟକାରିତାକୁ ପ୍ରଭାବିତ କରିଥାଏ ।
ଏନେଇ ପୁନଃ ପରୀକ୍ଷା କରାଯାଇ 2019 ମସିହା ଜୁଲାଇ ମାସରେ ସମାନ ଟିମ୍ ଖୋଜି ବାହାର କରିଛନ୍ତି କିଛି ଭିନ୍ନ ତଥ୍ୟ । ଏଥରର ପରୀକ୍ଷାରେ ପ୍ରାୟ ଏକ ଲକ୍ଷ ଗର୍ଭବତୀ ମହିଳାଙ୍କଠାରୁ ସଂଗ୍ରହ କରାଯାଇଥିବା ଆମିନୋଟିକ ଫ୍ଲୁଇଡକୁ ବ୍ୟବହାର କରାଯାଇଥିଲା । ଏଥର ମଧ୍ୟ ପର୍ଯ୍ୟାୟକ୍ରମେ 4ଟି ପ୍ରିନାଟାଲ ସେକ୍ସ ଷ୍ଟେରଏଡ ହରମୋନକୁ ନେଇ ପରୀକ୍ଷା କରାଯାଇଥିଲା । ଏଥିରେ ଅଟିଜିମ ଦ୍ବାରା ପ୍ରଭାବିତ 98 ଭ୍ରୁଣ ଓ ପ୍ରଭାବିତ ନ ହୋଇଥିବା 177ଟି ଭ୍ରୁଣ ମଧ୍ୟରେ ତଫାତ ଖୋଜା ଯାଇଥିଲା ।
ଏହି ପରୀକ୍ଷଣରେ ଆଣ୍ଡ୍ରୋଜେନ ତୁଳନାରେ ଏସ୍ଟ୍ରୋଜେନ ଅଧିକ ସକ୍ରିୟ ଥିଲେ । ଯାହା କି ପରବର୍ତ୍ତୀ ସମୟରେ ଅଟିଜିମ ସୃଷ୍ଟିର କାରଣ ପାଲଟିଥିଲା । ତେଣୁ ପୂର୍ବରୁ ଅଟିଜିମକୁ ନେଇ ରହିଥିବା ଅନେକ ବିଶ୍ବାସ ଭୁଲ ପ୍ରମାଣିତ ହେବା ସହ ଏହା ମସ୍ତିଷ୍କ ଉପରେ ପକାଉଥିବା କୁପ୍ରଭାବ ବିଷୟରେ ଜଣା ପଡିଥିଲା । ଏନେଇ କେମ୍ବ୍ରିଜ ୟୁନିଭର୍ସିଟିସ୍ଥିତ ଅଟିଜିମ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ତଥା ପ୍ରିନାଟାଲ ସେକ୍ସ ଷ୍ଟେରଏଡ ହରମୋନ୍ସ ଥିଓରୀର ସଂସ୍ଥାପକ ପ୍ରଫେସର ସିମୋନ ବାରୋନ-କୋହେନଙ୍କ କହିବା ଅନୁଯାୟୀ ଏହି ନୂଆ ଉପଲବ୍ଧି ଦ୍ବାରା ସ୍ପଷ୍ଟ ହୁଏ କି ଗର୍ଭରେ କେତେକ ପ୍ରିନାଟାଲ ସେକ୍ସ ଷ୍ଟେରଏଡ ହରମୋନର ମାତ୍ରାଧିକ ସ୍ଥିତି ଅଟିଜିମ ସୃଷ୍ଟିର ଏକ ମୁଖ୍ୟ କାରଣ ହୋଇପାରେ ।
କେବଳ ସେତିକି ନୁହେଁ ଏହି ହରମୋନ ଗୁଡିକ ଜେନେଟିକ ଫ୍ୟାକ୍ଟର ସହ ମିଶି ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଫଳରେ ଅଟିଜିମ୍ ରୋଗୀଙ୍କ ପାଖରେ ସାମାନ୍ୟ ମାନସିକ ଅସ୍ଥିରତା ଦେଖାଯାଇଥାଏ । ଅନ୍ୟପଟେ କେମ୍ବ୍ରିଜର ବୈଜ୍ଞାନିକ ଟିମ୍ର ଡ଼ଃ ଆଲେକ୍ସା ପଲ୍ଙ୍କ କହିବା ଅନୁଯାୟୀ ଏହି ପରୀକ୍ଷଣଟି ଏପର୍ଯ୍ୟନ୍ତର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଥିଲା । କାରଣ ଏହା ପୂର୍ବରୁ ଅଟିଜିମରେ ଏସ୍ଟ୍ରୋଜେନର ଅବଦାନକୁ ନେଇ ପୂର୍ବରୁ କୌଣସି ପରୀକ୍ଷା କରାଯାଇ ନଥିଲା । ତେଣୁ ଆଗକୁ ମଧ୍ୟ ଏହା ପୂର୍ବରୁ ଅଧିକରୁ ଅଧିକ ଗବେଷଣା କରିବାକୁ ଖୁସି ଅନୁଭବ କରିବୁ ।
ତେବେ ପରୀକ୍ଷା କରାଯାଇଥିବା ସମସ୍ତ କ୍ଷେତ୍ରରେ ଅଟିଜିମ୍ ପୁରୁଷ ରୋଗୀଙ୍କ ପାଖରେ ମାନସିକ ଅସ୍ଥିରତା ଦେଖାଯାଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସମାନ ପରିଣାମ ହେଉଛି କି ନାହିଁ ତାହା ଦେଖିବା ବାକି ରହିଛି । ଅନ୍ୟପଟେ ଟିମ୍ର ବାୟୋକେମିଷ୍ଟ ଡ଼ଃ ଆରିକ କୋହେନଙ୍କ କହିବା ମୁତାବକ ଏହି ପରୀକ୍ଷାର ପରିଣାମ ଅବିଶ୍ବସନୀୟ । ଏହା ଅନେକ ଚିରାଚରିତ କଥାକୁ ଭୁଲ ପ୍ରମାଣିତ କରିବା ସହ ଏହି ରୋଗକୁ ନେଇ କିଛି ନୂଆ ଉପଲବ୍ଧି ମଧ୍ୟ ଯୋଗାଇଛି । ଯାହା ଆଗକୁ ପରୀକ୍ଷା କରିବା ସମୟରେ ସାହାଯ୍ୟ କରିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ