ନୂଆଦିଲ୍ଲୀ: ପାକିସ୍ତାନ-ଭାରତର ତିକ୍ତତା ମଧ୍ୟରେ ଉଦାରତା ଦେଖାଇଛନ୍ତି ଭାରତୀୟ ଯବାନ । ସୀମାରେ ପାକିସ୍ତାନୀ ସେନାଙ୍କୁ ଇଦ୍ ଶୁଭେଚ୍ଛା ଜଣାଇବା ସହ ମିଠା ନେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପଡୋଶୀ ଦେଶ ପ୍ରତିକ୍ରିୟା ଦେଇନଥିଲା । ଫଳରେ ଭାରତୀୟ ଯବାନ ନିରାଶ ହୋଇ ଫେରିଆସିଥିଲେ ।
ଆଜି ମୁସଲମାନଙ୍କର ପବିତ୍ର ପର୍ବ ଇଦ-ଉଲ-ଜୁହା ପାଳନ ହେଉଛି । ସବୁଠି ଚାଲିଛି ସମୂହ ନମାଜ । ଏହି ଅବସରରେ ପାକିସ୍ତାନ ସେନାକୁ ପ୍ରତି ଥର ଭଳି ଏଥର ମଧ୍ୟ ପଞ୍ଜାବର ଅଟାରୀ-ୱାଘା ସୀମାରେ ଶୁଭେଚ୍ଛା ଜଣାଇଥିଲେ ବିଏସଏଫ ଯବାନ । କିନ୍ତୁ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା ।
ତେବେ ପାରମ୍ପରିକ ପରମ୍ପରା ଭାବେ ଦୁଇ ଦେଶର ଧାର୍ମିକ ଓ ରାଷ୍ଟ୍ରୀୟ ପର୍ବରେ ଉଭୟ ପଟୁ ଶୁଭେଚ୍ଛା ଜଣାଇବା ସହ ମିଠା ଆଦାନ ପ୍ରଦାନ କରାଯାଇଥାଏ । ଜୁନରେ ମଧ୍ୟ ଅଟାରୀ-ୱାଘାରେ ଇଦ୍ର ଶୁଭେଚ୍ଛା ଜଣାଯିବା ସହ ଉଭୟ ଦେଶରେ ମିଠା ବଣ୍ଟନ ହୋଇଥିଲା ।
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା 370 ହଟିବା ପରେ ଭାରତ ସହ ପାକିସ୍ତାନ ସମସ୍ତ ସମ୍ପର୍କ ତୁଟାଇବାରେ ଲାଗିଛି । ବାଣିଜ୍ୟିକ ସମ୍ପର୍କ ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି ପାକିସ୍ତାନ ।