ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷକୁ ନେଇ ଏବେବି ଭାରତୀୟଙ୍କ ମନରେ ତିକ୍ତତା ଭାବ ରହିଛି । ଯାହାର ପରିଣାମ ସ୍ବରୂପ ଚୀନ ସାମଗ୍ରୀକୁ ବହିଷ୍କାର କରିବା ମନୋଭାବ ପ୍ରକାଶ ପାଇଛି । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ, ଏହି ସମୟରେ ଚୀନର ରାକ୍ଷୀକୁ ବ୍ୟବହାର ନକରିବା ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏଭଳି କରିବା ଦ୍ବାରା ଚୀନ ପାଖାପାଖି 4 ହଜାର କୋଟି କ୍ଷତି ସହିବ ବୋଲି କରାଯାଉଛି । ଚଳିତବର୍ଷ 'ଭାରତୀୟ ରାକ୍ଷୀ' ରେ ଏହି ଭାଇ-ଭଉଣୀର ସ୍ନେହର ପର୍ବକୁ ପାଳନ କରାଯିବ ।
ରକ୍ଷା ବନ୍ଧନରେ ଭାଇ ହାତରେ ସ୍ନେହର ଡୋର ବାନ୍ଧି ତାର ଦୀର୍ଘାୟୁ କାମନା କରେ ଭଉଣୀ । ମାତ୍ର ଚଳିତବର୍ଷ ରେଶମର ଡୋରୀ ବଦଳରେ ଖାଲି ମୌଲି ସୂତା ବାନ୍ଧ ପଛେ ହେଲେ ଚୀନ ରାକ୍ଷୀ ନକିଣିବାକୁ ଆହ୍ବନ ଦିଆଯାଇଛି । ମନେ ରଖ ଅନ୍ୟଜଣେ ଭାଇ ମଧ୍ୟ ସୀମାରେ ଠିଆ ହୋଇଛି । ଏହି ବଡ ବାର୍ତ୍ତା ସହିତ ଚଳିତବର୍ଷ ରକ୍ଷାବନ୍ଧନକୁ ସ୍ବଦେଶୀ ରାକ୍ଷୀରେ ପାଳନ କରିବାକୁ ଆହ୍ବାନ ଦେଇଛି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) । ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ “ଭାରତୀୟ ସାମଗ୍ରୀ-ଆମର ଗର୍ବ ଅଭିମାନ” ନାରା ଦେଇ ଚାଇନାର ସାମଗ୍ରୀ ଓ ବସ୍ତୁକୁ ବୟକଟ କରିବାକୁ ଜୁନ 10ରୁ କ୍ୟାଟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି ।
ଭାରତ-ଚୀନ ସଘର୍ଷ ପରେ ରାକ୍ଷୀ ପ୍ରଥମ ପର୍ବ ହେବ, ଯେଉଁଥିରେ ଚୀନ ଜାଣିପାରିବ ଯେ କିଭଳି ସବୁ ଭାରତୀୟ ଚୀନ ସାମଗ୍ରୀକୁ ବହିଷ୍କାର କରିଛନ୍ତି । ଯାହା ଚୀନକୁ ଏକ ବଡ଼ ଶିକ୍ଷା ଦେବାକୁ ନିଷ୍ପତି ନିଆଯାଇଛି । ଭାରତରେ ରାକ୍ଷୀ ହେବା କାରଣରୁ ଚୀନ କ୍ଷତି ସହିଛି । କ୍ୟାଟ ପକ୍ଷରୁ କୁହାଯାଇଛି ଯେ, ଏହି ରକ୍ଷା ବନ୍ଧନରେ ଚୀନ ରାକ୍ଷୀକୁ ବୟକଟ କରିବା ଦ୍ବାରା ଚୀନ ପାଖାପାଖି 4 ହଜାର କୋଟି ଟଙ୍କାର ବାଣିଜ୍ୟିକ କ୍ଷତି ସହିବ । ଆକଳନ ଅନୁସାରେ ଭାରତରେ ପ୍ରତିବର୍ଷ ରାକ୍ଷୀରେ 6 ହଜାର କୋଟି ବ୍ୟବସାୟ ହେଉଥିବାବେଳେ 4 ହଜାର କୋଟି ଚୀନ ଭାରତୀୟ ବଜାରରୁ ଲାଭ କରୁଥିଲା । ମାତ୍ର ଚଳିତବର୍ଷ ଭାରତରେ ରାକ୍ଷୀ ପ୍ରସ୍ତୁତ ହେବାରୁ ଚୀନ ଉପରେ ପ୍ରଭାବ ପକାଇବ ।
ତେବେ କେବଳ ଚୀନ ରାକ୍ଷୀ ନୁହେଁ, ରାକ୍ଷୀ ପ୍ରସ୍ତୁତ କରିବାକୁ ଦରକାର ହେଉଥିବା ସାମଗ୍ରୀ ଯେପରିକି ରାକ୍ଷୀ ସୋଲ, କାଗଜ ଫଏଲ୍, ରାକ୍ଷୀ ସୂତା, ମୋତି, ବୁନ୍ଦା, ରାକ୍ଷୀର ସାଜସଜ୍ଜା ସାମଗ୍ରୀ ଇତ୍ୟାଦି ଚାଇନାରୁ ଆମଦାନୀ ହୋଇଥାଏ । ତାହାକୁ ମଧ୍ୟ ଆମଦାନୀ କରିବାକୁ ମନା କରିବାକୁ ଆହ୍ବାନ ଦିଆଯାଇଛି ।