ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ବିଭିନ୍ନ ସଂସ୍ଥା ଏକଜିଟ୍ ପୋଲ ପ୍ରକାଶ କରୁଛନ୍ତି । ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ଏପରି ଏକଜିଟ୍ ପୋଲ ପ୍ରକାଶ କରିବାକୁ ବିଭିନ୍ନ ଗଣମାଧ୍ୟମକୁ ନିର୍ଦ୍ଦେଶ ଥିବାବେଳେ କିଛି ସଂସ୍ଥା ସୋସିଆଲ ମିଡିଆକୁ ମାଧ୍ୟମ କରି ଏପରି ଚଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭାରତୀୟ ନିର୍ବାଚନ କମିଶନ (ଇସି) ଟ୍ବିଟର ଇଣ୍ଡିଆକୁ ଏକଜିଟ୍ ପୋଲ ସମ୍ବନ୍ଧୀୟ ଟ୍ବିଟ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହ ତିନୋଟି ଗଣମାଧ୍ୟମ ସଂସ୍ଥା ଏକଜିଟ୍ ପୋଲ ପ୍ରକାଶ କରିଥିବାରୁ ଇସି ସେମାନଙ୍କୁ ଧାରା 126 (କ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ଦେଇଛି । ଏହା ସହ ସେମାନଙ୍କ ଠାରୁ 48 ଘଣ୍ଟା ଭିତରେ ଉତ୍ତର ଆଶା କରିଛି ଇସି । ଏହି ଧାରା ଅନୁସାରେ ନିର୍ବାଚନ ଚାଲୁଥିବା ସମୟରେ କୌଣସି ସଂସ୍ଥା କିମ୍ବା ଗଣମାଧ୍ୟମ ଏକଜିଟ୍ ପୋଲ ପ୍ରକାଶ କରିପାରିବେ ନାହିଁ ।
ସୂଚନା ଅନୁଯାୟୀ, ଚଳିତ ବର୍ଷ 7ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଏପ୍ରିଲ 11ରୁ ଆରମ୍ଭ ହୋଇଥିବା ନିର୍ବାଚନ ମେ 19 ତାରିଖରେ ଶେଷ ହେବ । ମେ 23ରେ ଫଳାଫଳ ପ୍ରକାଶ ପାଇବ ।