ହାଇଦ୍ରାବାଦ: COVID-19ର ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ‘ରେମଡେସିଭିର’ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(DCGI)ରୁ ଅନୁମୋଦନ ପାଇଛି । ଏନେଇ ଔଷଧ କମ୍ପାନୀ ‘ହେଟେରୋ’ ରବିବାର ପ୍ରକାଶ କରିଛି ।
କମ୍ପାନୀ ଏକ ବିବୃତ୍ତିରେ କହିଛି, ‘COVID-19ର ଚିକିତ୍ସାରେ ବ୍ୟବହୃତ ‘ରେମଡେସିଭିର’ର ଉତ୍ପାଦନ ଓ ମାର୍କେଟିଂ ପାଇଁ ‘ହେଟେରୋ’କୁ ଅନୁମୋଦନ କରାଯାଇଛି । ରେମଡେସିଭିରର କମ୍ପାନୀର ଜେନେରିକ ସଂସ୍କରଣ ଭାରତରେ 'କୋଭିଫର' ନାମରେ ବିକ୍ରି କରାଯିବ ।
କୋରୋନା ଲକ୍ଷଣ ସହିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବୟସ୍କ ତଥା ଶିଶୁ ସମେତ ସନ୍ଦିଗ୍ଧ କିମ୍ବା ଲାବୋରେଟୋରୀ ଦ୍ବାରା ଚିହ୍ନଟ ମାମଲାଗୁଡ଼ିକର ଚିକିତ୍ସା ପାଇଁ ଏହି ଅନୁମତି ପ୍ରଦାନ କରାଯାଇଛି ।
ଭାରତରେ କୋରୋନା ମାମଲା ବୃଦ୍ଧି ସମୟରେ କ୍ଲିନିକାଲ୍ ଫଳାଫଳକୁ ଦୃଷ୍ଟିରେ ରଖି 'କୋଭିଫର'(ରିମଡେସିଭିର)ର ଅନୁମୋଦନ ଏକ ନୂତନ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି ।
ହେଟେରୋ ଗ୍ରୁପ୍ ଅଫ୍ କମ୍ପାନୀ ଚେୟାରମ୍ୟାନ ବି ପାର୍ଥ ସାରଥୀ ରେଡ୍ଡୀ କହିଛନ୍ତି ଯେ, ଆମେ ନିଶ୍ଚିତ କରିପାରିବୁ ଯେ ଉତ୍ପାଦ ତୁରନ୍ତ ଦେଶର ରୋଗୀମାନଙ୍କ ପାଇଁ ଉପଲବ୍ଧ ହେବ । ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ଷ୍ଟକ ରଖିବାକୁ କମ୍ପାନୀ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହି ଔଷଧ 100 ମିଲିଗ୍ରାମରେ(ଇଞ୍ଜେକ୍ସନ)ରେ ଉପଲବ୍ଧ ହେବ ଯାହା ସ୍ବାସ୍ଥ୍ୟସେବା ଚିକିତ୍ସକଙ୍କ ତତ୍ତ୍ବାବଧାନରେ ରୋଗୀଙ୍କୁ ଦିଆଯିବ ବୋଲି ବି ପାର୍ଥ ସାରଥୀ କହିଛନ୍ତି ।
ଭାରତରେ COVID-19 ଚିକିତ୍ସା ପାଇଁ ଗିଲେଡ ସାଇନ୍ସସ ଇନ୍କ ସହିତ ହୋଇଥିବା ଚୁକ୍ତି ଅଧୀନରେ ଏହି ଉତ୍ପାଦ ଲଞ୍ଚ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ