ଶ୍ରୀନଗର: ବର୍ତ୍ତମାନ ଜମ୍ମୁକଶ୍ମୀର କାରଗିଲ ଜିଲ୍ଲାର ଦ୍ରାସ ଅଞ୍ଚଳ ଦେଶର ସବୁଠୁ ଥଣ୍ଡା ସ୍ଥାନ । ଦ୍ରାସର ତାପମାତ୍ରା ମାଇନସ୍ 30.2 ଡିଗ୍ରୀ ସେଲସିୟସ ଠାରୁ ତଳକୁ ରହିଛି । ପାଣିପାଗ ବିଭାଗର ସୂଚନାନୂସାରେ ଶ୍ରୀନଗରର ତାପମାତ୍ରା -6 ଡିଗ୍ରୀ ରହିଛି । ଏହି ପ୍ରରିପେକ୍ଷିରେ ଡଲ ହ୍ରଦରେ ବରଫ ଜମିଯାଇଛି ।
ଶ୍ରୀନଗର ସହିତ ସମଗ୍ର କାଶ୍ମୀର ଘାଟିରେ ରକ୍ତ ଜମାଟ ବାନ୍ଧିଦେଲା ଭଳି ଥଣ୍ଡା ପଡୁଛି । ଫଳରେ କୁହୁଡିର ପ୍ରଭାବ ଏତେ ମାତ୍ରାରେ ରହୁଛିଯେ, ସକାଳ 10ଟା ପରେ ହିଁ ଘରୁ ବାହାରିବା ସମ୍ଭବ ହୋଇପାରୁଛି । ତେବେ ଆସନ୍ତା 5 ଦିନ ମଧ୍ୟରେ କଶ୍ମୀର ଓ ଲଦାଖରେ ଅତ୍ୟଧିକ ଥଣ୍ଡା ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ତେବେ ଅତ୍ୟଧିକ ଥଣ୍ଡା ହେତୁ ଡଲ ହ୍ରଦର ପାଣି ବରଫ ହୋଇଯାଇଛି । ଫଳରେ ହ୍ରଦ ନିକଟରେ ବାସ କରୁଥିବା ଲୋକଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡୁଛି । ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଥଣ୍ଡା ଯୋଗୁଁ ସମଗ୍ର ଅଞ୍ଚଳ ବରଫରେ ଆଚ୍ଛାଦିତ ହୋଇଯାଇଛି । କୌଣସି ସ୍ଥାନକୁ ଯିବାକୁ ହେଲେ ବହୁ ଅସୁବିଧା ହେଉଛି । ନାଳ, ନଳକୂପ ଓ ହ୍ରଦରେ ପାଣି ମଧ୍ୟ ଆସୁନି ସବୁଆଡେ ବରଫ ଜମିଯାଇଛି । ଏହା ଉପରେ ପୁଣି ଅନେକ ସମୟରେ ବିଦ୍ୟୁତ କାଟ ହେଉଛି । ସମଗ୍ର ଅଞ୍ଚଳରେ ଧଳା ରଙ୍ଗର ଚାଦର ବିଛେଇ ହେଲା ଭଳି ବରଫ ଆଚ୍ଛାଦିତ ହୋଇ ରହିଛି ।