ବେଙ୍ଗାଲୁରୁ: ଯୌତୁକ ପାଇଁ ସ୍ବାମୀ ବନି ଗଲା ପିଶାଚ । ଶେଷରେ ଯୌତୁକ ଲାଳସାର ବଶବର୍ତ୍ତୀ ହୋଇ ନିଜ ପତ୍ନୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ପଛାଇଲା ନାହିଁ । ଏହି ନିନ୍ଦନୀୟ କାର୍ଯ୍ୟରେ ଶାଶୁ ଶ୍ବଶୁର ବି ସାମିଲ । ଏଭଳି ଦୁଃଖଦ ଘଟଣା ଘଟିଛି ରାମମୁର୍ଥୀ ପୋଲିସ ଷ୍ଟେସନ ନିକଟରେ ଥିବା ଟିସି ପାଲ୍ୟା ଅଞ୍ଚଳରେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି 3 ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।
ଅଭିଯୁକ୍ତ ସୁରଜ ସିଂ ପୀଡିତା ମହିଳାଙ୍କୁ ଗତ ବର୍ଷ ବିବାହ କରିଥିଲା । ତେବେ ବାହାଘରରେ ପୀଡିତାଙ୍କ ପରିବାର ଲୋକ 15ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଶାଶୁଘର ଲୋକେ ଯୌତୁକ ପାଇଁ ପୀଡିତା ମହିଳାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ । ଶୁକ୍ରବାର ତାଙ୍କ ସ୍ବାମୀ ସୁରଜ ସିଂ ଘରେ ପୁଣି ଯୌତୁକ ବାବଦରେ କିଛି ଟଙ୍କା ମାଗିଥିଲେ ଏବଂ ପୀଡିତା ମହିଳା ମନା କରିବା ପରେ ଶାଶୁ ଶ୍ବଶୁରଙ୍କ ସହ ସ୍ବାମୀ ସୁରଜ ସିଂ ମିଶି ପେଟ୍ରୋଲ ଢାଳି ନିଆଁ ଲଗାଇ ପୀଡିତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ।
ଏହି ନିର୍ମମ ହତ୍ୟା ଉଦ୍ୟମରେ ପୀଡିତାଙ୍କୁ ଗଭୀର ଆଘାତ ଲାଗିଛି । ପୀଡିତାଙ୍କ ପ୍ରାୟ 60ଭାଗ ଜଳି ଯାଇଥିବା ବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ