ନୂଆଦିଲ୍ଲୀ: ଭାରତୀୟ ଆଇଟି ସେକ୍ଟର ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଥାଏ ଆମେରିକାରେ ଚାକିରୀ କରିବା । କିନ୍ତୁ ଏବେ ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ । କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସା ସମେତ ସମସ୍ତ ନିଯୁକ୍ତି ଭିସା ସ୍ଥଗିତ ରଖିବାକୁ ଏକ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ।
ସଦ୍ୟତମ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ପ୍ରସ୍ତାବ ପାରିତ ହେବାର ଅର୍ଥ ହେଉଛି ବାହାରୁ ଆସିଥିବା କେହି ବି ବ୍ୟକ୍ତି ଆମେରିକାରେ ଚାକିରୀ କରିପାରିବେ ନାହିଁ । ତେବେ ବର୍ତ୍ତମାନ ଆମେରିକାରେ ରହୁଥିବା ବାହାର ବ୍ୟକ୍ତି ଯେଉଁମାନଙ୍କ ପାଖରେ ଏହି ଭିସା ଅଛି ସେମାନଙ୍କ ଉପରେ ଏହି ପ୍ରସ୍ତାବର କୌଣସି ପ୍ରଭାବ ପଡିବନାହିଁ ।
ସେହିପରି ଇନଫୋସିସ, ୱିପ୍ରୋ ଭଳି ଭାରତର କମ୍ପାନୀ ଗୁଡିକ H-1B ଭିସା ମାଧ୍ୟମରେ ନିଜ କର୍ମଚାରୀଙ୍କୁ ଆମେରିକାକୁ ପଠାଇଥାନ୍ତି । ଯଦି ଟ୍ରମ୍ପ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରନ୍ତି ତେବେ ଭାରତର ହଜାର ହଜାର ଆଇଟି ପ୍ରଫେସନାଲଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବ ।
ସେପଟେ ଏହି ପ୍ରସ୍ତାବକୁ ଟ୍ରମ୍ପ ସରକାର ସମର୍ଥନ ଜଣାଇ ଯୁକ୍ତି କରିଛନ୍ତି ଯେ, ସେ ଚାହୁଁନାହାନ୍ତି କି ବାହାର ଦେଶର ଲୋକମାନେ ଏଠାକୁ ଆସି କୋରୋନା ସଂକ୍ରମିତ ହୁଅନ୍ତୁ । ହେଲେ ରିପୋର୍ଟ ଅନୁସାରେ, ଏହି ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଆମେରିକୀୟ ନାଗରିକଙ୍କୁ ରୋଜଗାର ଯୋଗାଇବା ।
ଏହି ପ୍ରସଙ୍ଗରେ ହ୍ବାଇଟ ହାଉସର ମୁଖପାତ୍ର ହୋଗାନ ଗିଡଲେ କହିଛନ୍ତି ଯେ, ବର୍ତ୍ତମାନ ପ୍ରଶାସନ ଏହି ପ୍ରସ୍ତାବ ଉପରେ ବିଚାର କରୁଛି । ଆମେରିକା ନାଗରିକଙ୍କୁ ନିଯୁକ୍ତି ଦେବା ପାଇଁ କ୍ୟାରିୟର ବିଶେଷଜ୍ଞମାନେ ଏହି ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ବର୍ତ୍ତମାନ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।