ପାଣାଜୀ: ଗୋଆର ନୂତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଙ୍ଗଳବାର ବିହାରରେ ଜମି ପଞ୍ଜୀକରଣ ନେଇ ବଡ ବୟାନ ଦେଇଛନ୍ତି । ବିହାରରେ ଜମି ପଞ୍ଜିକରଣ କିଭଳି ଭାବରେ ବେଆଇନ ଓ ଦୁର୍ନୀତି ପଞ୍ଝାରେ ସନ୍ତୁଳିତ ହୋଇଛି ଏନେଇ ବୟାନ ଦେଇଛନ୍ତି ସତ୍ୟପାଲ ମଲ୍ଲିକ। ସେ କହିଛନ୍ତି ଯେ, ବିହାରରେ କୁକୁର, ଘୋଡା ଓ ଏପରିକି ଲାଠି ଜମି ମାଲିକ ସାଜିଛନ୍ତି ।
ଗୋଆର ନୂତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ 2017-18ରେ ବିହାରର ରାଜ୍ୟପାଳ ଭାବରେ ଦାୟିତ୍ବ ସମ୍ପାଦନ କରିସାରିଛନ୍ତି । ସେ କହିଛନ୍ତି ଯେ ଜମିଦାରୀ ଉଚ୍ଛେଦ ଆଇନ 1950 ଉତ୍ତର ପ୍ରଦେଶ ଭଳି ବିହାରରେ ଏହି ନିୟମ ସଠିକ ଢଙ୍ଗରେ ଲାଗୁ ହୋଇନାହିଁ ।
ମଙ୍ଗଳବାର ଗୋଆ ବିଶ୍ବବିଦ୍ୟାଳୟ ପଡିଆରେ 70 ତମ ସମ୍ବିଧାନ ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାରୋହରେ ସେ ଏହି ବୟାନ ଦେଇଛନ୍ତି । ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି ଯେ, ଜମିଦାରୀ ଉଚ୍ଛେଦ ଆଇନ 1950 ଉତ୍ତରପ୍ରଦେଶରେ ସବୁଠାରୁ ସଠିକ ଭାବରେ ଲାଗୁ କରାଯାଇଛି ।
ବିହାରରେ ଏହାର ଉଲ୍ଲଘଂନ ଚରମ ସୀମାରେ ବୋଲି କହିଛନ୍ତି । ବିହାରରେ କୁକୁର, ଘୋଡା ଏପରିକି ଲାଠି ନାମରେ ଜମି ରେକର୍ଡ କରାଯାଇଥିବା କହିଛନ୍ତି ସତ୍ୟପାଲ ମଲ୍ଲିକ । ଏବେ ମଧ୍ୟ ବିହାର ରାଜ୍ୟରେ ଅନେକ ଜମିଦାରଙ୍କ ନିକଟରେ ପାଞ୍ଚ ହଜାର ବିଘା ପର୍ଯ୍ୟନ୍ତ ଜମି ରହିଛି ବୋଲି ସେ କହିଛନ୍ତି । ରାଜ୍ୟରେ ରାଜସ୍ବ ରେକର୍ଡ ସଠିକ ସ୍ଥିତିରେ ନିରୂପଣ ହୋଇନାହିଁ ବୋଲି କହିଛନ୍ତି ଗୋଆ ରାଜ୍ୟପାଳ ।
ଉଲ୍ଲେଖଯୋଗ୍ୟ ଯେ, ସତ୍ୟପାଲ ମଲ୍ଲିକ 30 ସେପ୍ଟେମ୍ବର 2017ରୁ 21 ଅଗଷ୍ଟ 2018 ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଦାୟିତ୍ବ ନିର୍ବାହ କରିଛନ୍ତି । ବିହାର ପରେ ସେ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ରହିଥିଲେ । ସେ ଗୋଆର ନୂତନ ରାଜ୍ୟପାଳ ଭାବେ ନଭେମ୍ବର 1 ତାରିଖରେ ଶପଥ ଗ୍ରହଣ କରିଛନ୍ତି ।