ପାଟନା: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ଦେଶରେ ବିଭିନ୍ନ ଭାଗରୁ ଫେରୁଥିବା ପ୍ରବାସୀଙ୍କୁ ପାଦରେ ଚାଲି ନଯିବାକୁ ଅନୁରୋଧ କରିଛନ୍ତି । ରାଜ୍ୟରେ ପହଞ୍ଚିବା ପରେ ଚାଲି ଚାଲି ନଯିବାକୁ ସେ କହିଛନ୍ତି । ସେ କହିଛନ୍ତି ଯଦି କୌଣସି ଗାଡିର ବନ୍ଦୋବସ୍ତ ହୋଇପାରୁନି ତେବେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ବ୍ଲକ୍ କାର୍ଯ୍ୟାଳୟ ଯାଇ ସୂଚନା ଦିଅନ୍ତୁ ।
ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ-19 ମହାମାରୀ ସହ ଲଢିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ମୁଖ୍ୟ ସଚିବ ଦୀପକ କୁମାର ମଧ୍ୟ ଉପସ୍ଥିତ ଥିଲେ । ବିହାରରେ ବର୍ତ୍ତମାନ କୋରୋନା ସଂକ୍ରମଣ ମାମଲା 1000 ପାର୍ କରିସାରିଛି । ଅନ୍ୟପକ୍ଷେ ଶ୍ରମିକ ଟ୍ରେନ ଚାଲିବା ଫଳରେ ଅଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି । ଏହି କାରଣରୁ ସଂକ୍ରମଣର ମାମଲା ଅଧିକ ହୋଇଛି ।
ରାଜ୍ୟ ସୀମା ଓ ଷ୍ଟେସନ ବାହାରେ ଶ୍ରମିକଙ୍କ ପାଇଁ ବସର ବନ୍ଦୋବସ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରକାଶଥାଉକି, ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ଫେରୁଥିବାରୁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି ।