ପ୍ରତିବର୍ଷ ୨୫ ଅଗଷ୍ଟରୁ ସେପଟେମ୍ବର ୮ ତାରିଖ ଯାଏଁ ପାଳନ କରାଯାଏ ଚକ୍ଷୁଦାନ ପକ୍ଷ । ଚକ୍ଷୁଦାନର ଗୁରୁତ୍ୱ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ପକ୍ଷର ଉଦ୍ଦେଶ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ମୋତିଆବିନ୍ଦୁ ଓ ଗ୍ଲାଉକୋମା ପରେ କର୍ନିଲ ରୋଗ ହେଉଛି ଦୃଷ୍ଟିହୀନତା ଓ ଅନ୍ଧତ୍ୱର ମୁଖ୍ୟ କାରଣ । ଏ କ୍ଷେତ୍ରରେ ଚକ୍ଷୁଦାନ ଜଣଙ୍କର ଜୀବନରେ ନୂଆ ଆଲୋକ ଦେଇପାରିବ । ଚକ୍ଷୁଦାନ କଲେ ଭାରତରେ ପାଖାପାଖି ୩ ମିଲିୟନ ଲୋକ ଉପକୃତ ହୋଇପାରିବେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ୧୨ ବର୍ଷରୁ କମ ବୟସର ଶିଶୁ ଅଛନ୍ତି ।
କେଉଁମାନେ ଚକ୍ଷୁଦାନ କରିପାରିବେ?
. ସବୁ ବୟସ, ଶ୍ରେଣୀ, ଜାତି, ଧର୍ମ ଓ ଲିଙ୍ଗର ଲୋକେ ଚକ୍ଷୁ ଦାନ କରିପାରିବେ ।
. ଦୂର ଦୃଷ୍ଟି ଦୋଷ ହେଉ ବା ସମୀପ ଦୃଷ୍ଟିଦୋଷ ପାଇଁ ଚଷମା ଓ ଲେନ୍ସ ବ୍ୟବହାର କରୁଥିବା ଲୋକେ,ଏପରିକି ଆଖି ଅସ୍ତ୍ରପୋଚାର କରିଥିବା ଲୋକେ ଚକ୍ଷୁ ଦାନ କରିପାରିବେ ।
. ଡାଇବେଟିସ, ହାଇପରଟେସନ ଓ ଆସ୍ଥମାରେ ପୀଡିତ ବ୍ୟକ୍ତି ବି ଚକ୍ଷୁଦାନ କଲେ କିଛି ଅସୁବିଧା ନାହିଁ ।
କେଉଁମାନେ ଚକ୍ଷୁଦାନ କରିପାରିବେ ନାହିଁ ?
. ଏଡସ, ହେପାଟାଇଟିସ ବି ଓ ସି , ରାବି, ହଇଜା , ଆକ୍ୟୁଟ ଲ୍ୟୁକେମିଆ, ସେପଟିକାମିଆ,ଏନସିଫାଲିଟିସରେ ସଂକ୍ରମିତ ମୃତ ବ୍ୟକ୍ତିମାନେ ଚକ୍ଷୁଦାନ କରିପାରିବେ ନାହିଁ ।
ଚକ୍ଷୁଦାନ ପ୍ରକ୍ରିୟା
ଆଖି ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଆପଣ ଗୋଟିଏ ଫର୍ମ ପୂରଣ କରିବେ । ଏହି ଫର୍ମ ସବୁ ପ୍ରମୁଖ ହସପିଟାଲ୍ ଓ ଆଇ ବ୍ୟାଙ୍କରେ ଉପଲବ୍ଧ । ଆପଣ ମଧ୍ୟ ଅନଲାଇନରେ ନିଜ ନାଁ ପଂଜୀକୃତ କରିପାରିବେ।
ଏହି ଲିଙ୍କ୍କୁ ଯାଆନ୍ତୁ । - https://www.ebai.org/donator-registration/
. ନିଜ ପରିବାରର ସମ୍ମତିରେ ହିଁ ଚକ୍ଷୁଦାନ କରନ୍ତୁ । କାରଣ ଆପଣଙ୍କ ଅନ୍ତେ ସେମାନେ ହିଁ ଚକ୍ଷୁଦାନ ପାଇଁ ଆପଣ କରିଥିବା ଇଚ୍ଛା ବାବଦରେ ସଂପୃକ୍ତ ଅଧିକାରୀଙ୍କୁ ସୂଚିତ କରିବେ । ଯଦି ଆପଣ ସଂକଳ୍ପ ନିଅନ୍ତି,
ତାହା ହେଲେ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଆଇ ଡୋନର କାର୍ଡ ଦିଆଯିବ ।
. କୌଣସି ମୃତକ ଔପଚାରିକ ଭାବେ ଚକ୍ଷୁ ଦାନ ପାଇଁ ସଂକଳ୍ପ କରି ନଥିଲେ ମଧ୍ୟ ପରିବାରର ଜଣେ ସଦସ୍ୟ ଉକ୍ତ ସଦସ୍ୟଙ୍କ ମୃତ୍ୟୁ ପରେ ଚକ୍ଷୁଦାନ ପାଇଁ କହିପାରିବେ ।
. ଚକ୍ଷୁଦାନ ପାଇଁ ସଂକଳ୍ପ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ ନିକଟସ୍ଥ ସ୍ୱୀକୃତିପ୍ରାପ୍ତ ଆଇ ବ୍ୟାଙ୍କ୍ ସହ ଯୋଗାଯୋଗ କରିବାକୁ ପଡିବ । ଏହାଛଡା ଭାରତର ସବୁ ରାଜ୍ୟରେ ୨୪ ଘଂଟା କାମ କରୁଥିବା ଟୋଲ୍ ଫ୍ରି ନମ୍ବର -୧୯୧୯ରେ ଆପଣ ଯୋଗାଯୋଗ କରିପାରିବେ ।
. ମୃତ ବ୍ୟକ୍ତିଙ୍କ ଆଖିକୁ ବୁଜି ଦିଅନ୍ତୁ । ଫ୍ୟାନ,ଏୟାର କଂଡିସନର ଓ କୁଲର ବନ୍ଦ କରିଦିଅନ୍ତୁ ।
. ତକିଆ ସହାୟତାରେ ମୁଣ୍ଡକୁ ଉଠାଇ ମୃତକଙ୍କ ଆଖିରେ ଓଦା ତୁଳା ବା କପଡା ରଖନ୍ତୁ ।
. ମୃତ୍ୟୁର ୬ରୁ ୮ ଘଂଟା ମଧ୍ୟରେ ଡୋନରଙ୍କ ଆଖି ହଟାଯିବା ଦରକାର ।
. ଘରେ ବା ହସପିଟାଲରେ ଏହି ପ୍ରକ୍ରିୟା ହୋଇପାରିବ ।
. ଜଣେ ପ୍ରଶିକ୍ଷିତ ଡାକ୍ତର ମୃତ ଡୋନରଙ୍କ ଆଖି ହଟାଇବେ । ଏଥିପାଇଁ ତାଙ୍କୁ ମାତ୍ର ୧୦ରୁ ୧୫ ମିନିଟ ଲାଗେ ।
. ପୁରା ଆଖି ନୁହେଁ, ଆଖିର ପଟ୍ଟଳ ବା କର୍ନିଆ ହିଁ ହଟାଯାଏ । ତେଣୁ ଚେହେରା ବିକୃତ ହେବା ଆଶଙ୍କା କମ୍ ଥାଏ ।
. ଚକ୍ଷୁଦାନ କରିଥିବା ବ୍ୟକ୍ତି ଓ ତାଙ୍କ ପରିବାରଙ୍କ ପରିଚୟ ଗୋପନ ରଖାଯାଏ ।
. ଚକ୍ଷୁଦାନ ପ୍ରକ୍ରିୟାରେ କୌଣସି ଅର୍ଥ କାରବାର ହୋଇ ନ ଥାଏ ।
. ଥରେ ଚକ୍ଷୁଦାନ ହୋଇଗଲେ , ଏଜେନସୀଗୁଡିକ ଚକ୍ଷୁ ଆବଶ୍ୟକ କରୁଥିବା ଲୋକଙ୍କୁ ଖୋଜନ୍ତି । ଏହା ପରେ ଚକ୍ଷୁ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ ହୁଏ । ଚକ୍ଷୁ ପ୍ରତିରୋପଣ କରିବାକୁ ଥିବା ଲୋକର ଅସ୍ତ୍ରୋପଚାର ହୁଏ ଓ ସେ ଦୃଷ୍ଟି ଶକ୍ତି ଫେରିପାଏ । ଚକ୍ଷୁଦାନକୁ ନେଇ ଅନେକ ଅନ୍ଧବିଶ୍ୱାସ ଓ ଭୁଲ ଧାରଣ ରହିଛି । ସେସବୁ ଅନ୍ଧବିଶ୍ୱାସରେ ବଶବର୍ତୀ ନ ହୋଇ ଚକ୍ଷୁଦାନ ଭଳି ଏକ ମହତ କାମ ପାଇଁ ସମସ୍ତେ ଆଗେଇ ଆସିବା ଉଚିତ । ଆପଣଙ୍କ ଆଖି ମୃତ୍ୟୁ ପରେ ଯେପରି ଅନ୍ୟର କାମରେ ଲାଗିବ, ତାହା ନିଶ୍ଚିତ କଲେ ଜଣ ଦୃଷ୍ଟିହୀନ ବ୍ୟକ୍ତି ଏ ସଂସାରକୁ ଦେଖିପାରିବ । ଏହାଠାରୁ ଅବା ବଡ ପୁଣ୍ୟ କାମ କଣ ହୋଇପାରେ ?