ଜୟପୁର: ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ଡିଜେ ବଜାଇ ଶୋଭଯାତ୍ରା କରିବାକୁ ଅନୁମତି ନଦେବାରୁ ପୋଲିସ ଉପରକୁ ପଥର ମାଡ । ଏ ଭଳି ଘଟଣା ରାଜସ୍ଥାନରେ ସିଧମୁଖ ଥାନା ଅଧିନ ସାଦାପୁରରେ ପଞ୍ଚାୟତରେ ଘଟିଛି । ଗାଁରେ ତୀବ୍ର ଉତ୍ତେଜନା ଦେଖାଯିବା ସହ ପୋଲିସ ଉପରକୁ ପଥର ମାଡ ହୋଇଛି। ଏହି ଆକ୍ରମଣରେ ଜଣେ ପୋଲିସ କର୍ମୀ ଆହତ ହୋଇଥିବା ସହ ଏକାଧିକ ପୋଲିସ ଗାଡି ଭାଙ୍ଗିଥିବା ଜଣାପଡିଛି ।
ସ୍ଥାନୀୟ ଥାନା ଅଧିକରୀଙ୍କ କହିବା ଅନୁସାରେ ଶନିବାର ରାତି ପ୍ରାୟ ସାଡେ 9 ଟା ବେଳେ ପଞ୍ଚାୟତ ନିର୍ବାଚନରେ ବିଜୟୀ ପକ୍ଷରୁ ଡିଜେ ଶୋଭାଯାତ୍ରାର ଆୟୋଜନ କରାଯାଉଥିବା ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାରଣ କରିବା ସହ ବୁଝାସୁଝା କରିଥିଲା। ଏଥିରେ ବିଜୟୀ ପକ୍ଷ ସହଯୋଗ ନକରି ପୋଲିସ ଉପରକୁ ପଥର ମାଡ କରିଥିଲେ । ଏହି ଖବର ପାଇବା ପରେ ଥାନା ଅଧିକାରୀ ସହ ଅନ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଲୋକଙ୍କ ଆକ୍ରମଣରୁ ବର୍ତ୍ତି ପାରିନଥିଲେ। ଏହି ଆକ୍ରମଣରେ ପୋଲିସ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ଅନ୍ୟ ପଟେ ପାଲଟା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗ୍ରାମବାସୀ। ସେମାନେ ଅଭିଯୋଗ ଆଣିଛନ୍ତି ଯେ କୋଭିଡ ଗାଇଡ ଲାଇନ ପାଳନ ପୂର୍ବକ ବିଜୟୀ ସରପଞ୍ଚ ଶୋଭାଯାତ୍ରା ପାଇଁ ମନା କରିଥିଲେ । ଡିଜେ ଗାଁର ସୀମାରେ ପହଞ୍ଚିବା ବେଳକୁ ଗାଁରେ ପୋଲିସ ପହଞ୍ଚିବାରୁ ଗାଡି ଚାଲକ ଭୟଭୀତ ହୋଇ ଗାଡି ଛାଡି ପଳାଇ ଯାଇ ଏକ ଘରେ ଲୁଚିଯାଇଥିଲା । ପରେ ପୋଲିସ କର୍ମୀ ବିନା କାରଣରେ ଗ୍ରାମବାସୀଙ୍କ ଉପରେ ଲାଠି ଚାଳନା କରିବାରୁ ଏପରି ଅଭାବନୀୟ ଘଟଣା ଉପୁଜିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଘଟଣାରେ ଜିଲ୍ଲାପାଳ ଓ ଏସପି ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଉତ୍ତେଜନା ହ୍ରାସ ପାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ