ଲକ୍ଷ୍ମୌ: ପ୍ରଧାନମନ୍ତ୍ରୀ ମୋଦି ଦେଶରେ ରବିବାର ରାତି 9ଟା 9ମିନିଟ ପାଇଁ ଦୀପ ଜାଳିବା ପାଇଁ ଅପିଲ କରିବା ପରେ ଦୀପର ଚାହିଦା ବୃଦ୍ଧି ପାଇଛି । ଦେଶର ବିଭିନ୍ନ ଅଞ୍ଚଳରେ ଦୀପ ବ୍ୟବସାୟ କରୁଥିବା ଲୋକମାନେ ଚଳଚଞ୍ଚଳ ହୋଇଉଠିଛନ୍ତି ।
ଉତ୍ତରପ୍ରଦେଶର ମୋରାଦାବାଦରେ ଦୀପ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଦୋକାନରେ ଭିଡ ପରିଲକ୍ଷିତ ହୋଇଛି । ବିଭିନ୍ନ ପ୍ରକାରର ତଥା ବିଭିନ୍ନ ଆକୃତିର ଦୀପ ରହିଛି ଯାହାର ଚାହିଦା ମଧ୍ୟ ରହିଛି । ଏହା ଦ୍ବାରା ସେମାନଙ୍କର ଦୁଇ ପଇସା ଅଧିକ ରୋଜଗାର ହେଉଛି । କ୍ୟାଣ୍ଡେଲଠାରୁ ଅଧିକ ପରିମାଣରେ ଦୀପ ବିକ୍ରି ହେଉଥିବା ବିକ୍ରେତା ମାନେ କହିଛନ୍ତି । କୋରୋନାକୁ ମୁକାବିଲା କରିବା ପାଇଁ ମୋଦି ଦେଶର ଲୋକଙ୍କ ମଧ୍ୟରେ ଏକତା ସୃଷ୍ଟି କରିବା ତଥା ଧୈର୍ଯ୍ୟର ସହିତ ମହାମାରୀକୁ ସାମନା କରିବା ପାଇଁ କହିଛନ୍ତି ।
ସାରା ବିଶ୍ବରେ କାୟା ବିସ୍ତାର କରିଥିବା କୋରୋନା ଭାଇରସ ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଭାରତରେ 21 ଦିନିଆ ଲକଡାଉନ ଘୋଷଣା କରାଯାଇଛି । ରବିବାର ରାତି 9ଟାରେ 9 ମିନିଟ ପାଇଁ ଦେଶର ସମସ୍ତ ଜନତା ନିଜ ଘରେ ଲାଇଟ ବନ୍ଦ କରି ଦୀପ, କ୍ୟାଣ୍ଡେଲ,ଟର୍ଚ୍ଚ ଲାଇଟ ଏବଂ ଫ୍ଲାସ ଲାଇଟ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛି । ମହାମାରୀର ଅନ୍ଧକାରରେ ଆଲୋକର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ ପ୍ରତିଜ୍ଞା ନେବା ପାଇଁ ଅନୁରୋଧ କରିଛନ୍ତି ।