କୋଭିଡ୍-19 ଯୋଗୁଁ ଭାରତ ଏକ ଗମ୍ଭୀର ଅର୍ଥନୈତିକ ସଂକଟ ଦିଗରେ ଗତି କରୁଥିବା ସମୟରେ କେତେକ ରାଜ୍ୟ ସରକାର ଶ୍ରମିକମାନଙ୍କ ଆଇନସମ୍ମତ ଅଧିକାର ଛଡ଼ାଇ ନେବା ଦିଗରେ ବିଭିନ୍ନ ପଦକ୍ଷେପ ନେବାକୁ ଉପକ୍ରମ ଆରମ୍ଭ କରିଛନ୍ତି । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଗୁଜରାଟ ଭଳି କେତେକ ରାଜ୍ୟ, ବିଭିନ୍ନ ପ୍ରଚଳିତ ଶ୍ରମ ଆଇନକୁ ସାମୟିକ ଭାବେ ସଂପୂର୍ଣ୍ଣ ରୂପରେ ପ୍ରତ୍ୟାହାର କରିଥିବା ବିଷୟ ଘୋଷଣା କରିଛନ୍ତି । ରାଜ୍ୟରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ନିଆଯାଇଥିବା ଏହି ‘ସଂସ୍କାରମୂଳକ’ ପଦକ୍ଷେପ ଜରିଆରେ ବିଭିନ୍ନ କାରଖାନା, ବାଣିଜ୍ୟିକ ସଂସ୍ଥା ଓ ବ୍ୟାବସାୟିକ ସଂଗଠନକୁ, ଶ୍ରମିକମାନଙ୍କର ନ୍ୟୂନତମ ମଜୁରି, ଛଟେଇ, ବୃତ୍ତିଗତ ସୁରକ୍ଷା ଏବଂ ଚାକିରି ସର୍ତ୍ତାବଳୀ ଭଳି ପ୍ରମୁଖ ପ୍ରସଙ୍ଗରେ ପ୍ରଚଳିତ ନିୟମାବଳୀର ବନ୍ଧନରୁ ମୁକ୍ତ କରାଯାଇଛି । ରାଜସ୍ଥାନ, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି କେତେକ ରାଜ୍ୟ, ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବୃଦ୍ଧି ଭଳି ଶ୍ରମ ସଂକ୍ରାନ୍ତ ନିୟମାବଳୀରେ କେତେକ ସୀମିତ ସଂଶୋଧନ କରିଛନ୍ତି । ଆଉ କେତେକ ରାଜ୍ୟ ବି ଏହି ଧାରା ଅନୁସରଣ କରିପାରନ୍ତି ।
ଉତ୍ତର ପ୍ରଦେଶରେ ଶ୍ରମ ଆଇନରେ ସବୁଠାରୁ ଅଧିକ ମୌଳିକ ପରିବର୍ତ୍ତନର ଉପକ୍ରମ କରାଯାଇଛି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର, ଉତ୍ତର ପ୍ରଦେଶ ନିର୍ଦ୍ଦିଷ୍ଟ ଶ୍ରମ ଆଇନରୁ ଅସ୍ଥାୟୀ ରିହାତି ଅଧ୍ୟାଦେଶ, 2020 ବଳରେ ରାଜ୍ୟରେ ପ୍ରଚଳିତ ସମସ୍ତ ଶ୍ରମ ଆଇନକୁ ତିନି ବର୍ଷ ପାଇଁ ସଂପୂର୍ଣ୍ଣ ନିଲମ୍ବନ କରିଦେଇଛନ୍ତି । ଯେଉଁ କେତେକ ଶ୍ରମ ଆଇନକୁ ବଳବତ୍ତର ରଖାଯାଇଛି, ସେଗୁଡ଼ିକ ହେଲା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ, 1996, କର୍ମଚାରୀ କ୍ଷତିପୂରଣ ଆଇନ, 1923, ଗୋତି ଶ୍ରମିକ ପଦ୍ଧତି (ଉଚ୍ଛେଦ) ଆଇନ, 1976 ଏବଂ ମଜୁରି ପ୍ରଦାନ ଆଇନ,1936ର ଧାରା 5 । ହେଲେ, ନ୍ୟୂନତମ ମଜୁରି ଆଇନ, 1948, ଔଦ୍ୟୋଗିକ ବିବାଦ ଆଇନ, 1947, କାରଖାନା ଆଇନ, 1948 ଏବଂ କର୍ମକ୍ଷେତ୍ର ପରିବେଶ ସଂକ୍ରାନ୍ତ ପ୍ରାୟ 30ଟି ଅନ୍ୟାନ୍ୟ ଆଇନ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ଆଇନକୁ ସାମଗ୍ରିକ ଭାବେ ପ୍ରତ୍ୟାହାର କରିଦିଆଯାଇଛି । ଉତ୍ତର ପ୍ରଦେଶ ଏହି ଘୋଷଣା କରିବାର ପରବର୍ତ୍ତୀ ସମୟରେ, ମଧ୍ୟ ପ୍ରଦେଶ ଏବଂ ଗୁଜରାଟ ଭଳି ରାଜ୍ୟ ମଧ୍ୟ ଶ୍ରମ ଆଇନ ସଂଲଗ୍ନ କେତେକ ପ୍ରମୁଖ ବ୍ୟବସ୍ଥାକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପ ବଳରେ କୌଣସି ବ୍ୟାବସାୟିକ ସଂସ୍ଥା ନିଜ ଇଚ୍ଛାନୁସାରେ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିପାରିବ ଏବଂ ଛଟେଇ କରିପାରିବ । ଏହା ସହିତ ପ୍ରଚଳିତ ସୁରକ୍ଷା ଓ ସ୍ବାସ୍ଥ୍ୟରକ୍ଷା ସଂପର୍କିତ କାର୍ଯ୍ୟଧାରା ଅନୁସରଣରୁ ନୂତନ ସଂସ୍ଥାଗୁଡ଼ିକୁ ଛାଡ଼ କରାଯାଇଛି ଏବଂ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବଢ଼ାଇବା ପାଇଁ ସଂସ୍ଥାମାନଙ୍କୁ ଅଧିକାର ପ୍ରଦାନ କରାଯାଇଛି । ରାଜସ୍ଥାନ, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ମଧ୍ୟ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ଦୈନିକ 8 ଘଣ୍ଟାରୁ 12 ଘଣ୍ଟା ଯାଏ ବଢ଼ାଇବାକୁ
ନିୟମରେ ବ୍ୟବସ୍ଥା କରାଯାଇଥିଲେ ହେଁ ଏହି ସବୁ ରାଜ୍ୟରେ ନିୟୋଜନକାରୀ ସଂସ୍ଥା ଶ୍ରମିକମାନଙ୍କୁ ଓଭରଟାଇମ୍ ବାବଦରେ ଅଧିକ ମଜୁରି ଦେବା ବ୍ୟବସ୍ଥା ରହିଛି । ଶ୍ରମ ଆଇନକୁ ହାଲୁକା କରିବା ଭଳି ଏହି ପରିବର୍ତ୍ତନ, ବିଶେଷତଃ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ସାମଗ୍ରିକ ଭାବେ ଆଇନକୁ ଅକାମୀ କରିଦେବା ଯୋଗୁଁ ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ କର୍ମୀ ଏବଂ ବିରୋଧୀ ରାଜନୈତିକ ଦଳ ଉତ୍କ୍ଷିପ୍ତ ହୋଇଉଠିଛନ୍ତି । ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନ୍ସ (ସିଟୁ) ଏହାକୁ, “ବାସ୍ତବରେ ଦେଶକୁ ସଂପନ୍ନ କରି ଗଢ଼ି ତୋଳୁଥିବା କର୍ମଜୀବୀ ଲୋକଙ୍କ ଉପରେ କ୍ରୀତଦାସ ଅନୁରୂପ ସର୍ତ୍ତ ଆରୋପ କରିବା ଲାଗି ଏହା ଏକ ବର୍ବର ପଦକ୍ଷେପ” ବୋଲି ବର୍ଣ୍ଣନା କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଉଲ୍ଲେଖ କରିଛନ୍ତି ଯେ, କୋରୋନା ଭାଇରସ୍ ସଂକଟ ଆଳରେ “ମାନବିକ ଅଧିକାର କ୍ଷୁଣ୍ଣ କରିବା, ସେମାନଙ୍କୁ ଅସୁରକ୍ଷିତ ପରିବେଶରେ କାମ କରାଇବାକୁ ଅନୁମତି ଦେବା ସହିତ ଶ୍ରମିକମାନଙ୍କ କଣ୍ଠରୋଧ କରି ସେମାନଙ୍କ ଶୋଷଣ କରାଯାଇପାରିବ ନାହିଁ ।” 1 ଏମିତି କି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଓ ବିଜେପି ସହ ଅନୁବନ୍ଧିତ ରାଷ୍ଟ୍ରୀୟ ମଜଦୁର ସଂଘ ମଧ୍ୟ ଏସବୁ ନିଷ୍ପତ୍ତିକୁ ସମାଲୋଚନା କରିଛି । ଏହି ସବୁ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଶ୍ରମ ଆଇନର ସାମୟିକ ପ୍ରତ୍ୟାହାରକୁ ନେଇ ଅନେକ ସାମ୍ବିଧାନିକ ଏବଂ ଆଇନଗତ ପ୍ରଶ୍ନ ଉଠେ । ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ଥିବା ଯୁଗ୍ମ ତାଲିକାର ତାଲିକା-IIIରେ ଶ୍ରମ ସ୍ଥାନ ପାଇଛି । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ବିଷୟରେ ଆଇନ ପ୍ରଣୟନ କରିପାରିବେ । ଶ୍ରମ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ବର୍ତ୍ତମାନ 44ଟି କେନ୍ଦ୍ରୀୟ ଆଇନ ଏବଂ 100ରୁ ଅଧିକ ରାଜ୍ୟ ଆଇନ ରହିଛି । ରାଜ୍ୟ ବିଧାନସଭାରେ ମଧ୍ୟ କେନ୍ଦ୍ରୀୟ ଶ୍ରମ ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଗୃହୀତ ହୋଇପାରେ । କିନ୍ତୁ ଭାରତୀୟ ସମ୍ବିଧାନର 254 (2) ଧାରା ଅନୁସାରେ ଯଦି ରାଜ୍ୟରେ ପ୍ରଣୀତ ଆଇନଗତ ବ୍ୟବସ୍ଥା କେନ୍ଦ୍ର ତୁଳନାରେ ଭିନ୍ନ ହୋଇଥାଏ, ତେବେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ କରେ । ଭାରତୀୟ ସମ୍ବିଧାନର 213 ଧାରା ଅନୁସାରେ ଅଧ୍ୟାଦେଶ ଜାରି କରି ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ସରକାର କେନ୍ଦ୍ର ଦ୍ବାରା ପ୍ରଣୀତ ନିୟମକୁ ଅକାମୀ କରିଦେଇଛନ୍ତି । ଏହି ଧାରା ବଳରେ ରାଜ୍ୟ ବିଧାନସଭା ଅଧିବେଶନ ଚାଲୁ ନଥିବା ସମୟରେ କୌଣସି ବିଷୟରେ ଜରୁରୀ ଆବଶ୍ୟକତା ଉତ୍ପନ୍ନ ହେଲେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରିପାରିବେ ଏବଂ ଏହାର ସମାନ ଆଇନଗତ ସାମର୍ଥ୍ୟ ରହିବ ।
ଏ କ୍ଷେତ୍ରରେ କେତେକ ଶ୍ରମ ଆଇନରେ ଆଗତ ବ୍ୟବସ୍ଥା କେନ୍ଦ୍ରୀୟ ଆଇନର କାର୍ଯ୍ୟକାରିତାକୁ ପ୍ରଭାବିତ କରୁଥିବାରୁ ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ ହେବ ଏବଂ ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି । ସୁତରାଂ, ଶ୍ରମ ଆଇନର ସାମୟିକ ଅପସାରଣକୁ ଅନୁମତି ଦିଆଯିବା ଉଚିତ କି ନୁହେଁ, ଏବେ ତାହା ସ୍ଥିର କରିବା ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ନିର୍ଭର କରୁଛି । ଯେହେତୁ ଏହି ଅଧ୍ୟାଦେଶଗୁଡ଼ିକ ବଳରେ ଶ୍ରମ ଆଇନ ସଂପର୍କିତ ଭାରତର ଶାସନତନ୍ତ୍ରକୁ ସଂପୂର୍ଣ୍ଣ ଭାବରେ ଏଡ଼ାଇ ଦିଆଯାଇଛି, ସ୍ବାଭାବିକ ଭାବରେ ଏହାର ଅନୁମୋଦନ ଲାଗି କେନ୍ଦ୍ର ସରକାର ଦ୍ବିଧାବୋଧ କରିବେ । ତେବେ, ପ୍ରସଙ୍ଗ ସମ୍ମିଳିତ ସରକାରମାନେ ବିଜେପି ଶାସିତ ରାଜ୍ୟର ହୋଇଥିବାରୁ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଉଛନ୍ତି କି ନାହିଁ ତାହା ଦେଖିବା କୌତୁହଳପ୍ରଦ ହେବ ବୋଲି ମନେହୁଏ । ଯଦିବା ରାଷ୍ଟ୍ରପତି ଅନୁମୋଦନ ପ୍ରଦାନ କରନ୍ତି, ତଥାପି ଏହି ଅଧ୍ୟାଦେଶଗୁଡ଼ିକର ଆଇନଗତ ବୈଧତା ଉପରେ ବିଚାର ବ୍ୟବସ୍ଥାର ଆଶ୍ରୟ ନେଇହେବ । ଆପାତତଃ, ସାମଗ୍ରିକ ଭାବରେ ଶ୍ରମ ଆଇନଗୁଡ଼ିକୁ ଅକାମୀ କରିଦେବା ଅସାମ୍ବିଧାନିକ ବୋଲି ମନେହୁଏ । କାରଣ ସମ୍ବିଧାନ ଅନୁସାରେ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଏହା ଉଲ୍ଲଂଘନ କରେ । ଭାରତୀୟ ସମ୍ବିଧାନର 23 ଧାରା, ପ୍ରତ୍ୟେକ ନାଗରିକଙ୍କୁ ‘ବଳପୂର୍ବକ ଶ୍ରମ’ କରାଇବା ଭଳି ଶୋଷଣ ବିରୋଧରେ ମୌଳିକ ଅଧିକାର ପ୍ରଦାନ କରେ । କେବଳ ଗୋତି ଶ୍ରମିକ ପ୍ରଥାରେ ‘ବଳପୂର୍ବକ ଶ୍ରମ’ ସୀମିତ ନୁହେଁ ବରଂ, ଭାରତର ସୁପ୍ରିମ କୋର୍ଟ ଏହାକୁ ଏକ ଅଧିକ ସଂପ୍ରସାରିତ ବ୍ୟାଖ୍ୟା ପ୍ରଦାନ କରିଛନ୍ତି । ଏସିଆନ୍ ଗେମ୍ସ ପାଇଁ ନିୟୋଜିତ ଠିକା ଶ୍ରମିକମାନଙ୍କ ସଂପର୍କିତ ପିପୁଲ୍ସ ୟୁନିଅନ୍ ଫର୍ ଡେମୋକ୍ରାଟିକ୍ ରାଇଟ୍ସ ବନାମ ଭାରତ ସରକାର (1982) ମକଦ୍ଦମାରେ ଏକ ଐତିହାସିକ ରାୟ ଦେଇ ସୁପ୍ରିମ କୋର୍ଟ କହିଥିଲେ ଯେ,
“ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ସେବା ବା ଶ୍ରମ ପ୍ରଦାନ କରନ୍ତି ଏବଂ ତାହା ବଦଳରେ ନ୍ୟୂନତମ ମଜୁରିଠାରୁ କମ୍ ମଜୁରି ପାଆନ୍ତି, ଧାରା 23 ଅନୁସାରେ, ତାଙ୍କ ଦ୍ବାରା ପ୍ରଦତ୍ତ ସେବା ବା ଶ୍ରମ “ବଳପୂର୍ବକ ଶ୍ରମ”ର ବର୍ଗ ଓ ପରିସରରେ ସ୍ପଷ୍ଟ ରୂପେ ସ୍ଥାନିତ ହୁଏ”।
ସୁତରାଂ, ରାଜ୍ୟମାନଙ୍କ ଦ୍ବାରା ବିଭିନ୍ନ ଶ୍ରମ ଆଇନ, ବିଶେଷତଃ 1948ର ନ୍ୟୂନତମ ମଜୁରି ଆଇନର ନିଲମ୍ବନ ସମ୍ବିଧାନ ଦ୍ବାରା ପ୍ରଦତ୍ତ ଶୋଷଣ ବିରୋଧରେ ମୌଳିକ ଅଧିକାର ସମୂହର ଉଲ୍ଲଂଘନ କରେ । ଏହି ସବୁ ପଦକ୍ଷେପ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ILO) ସମ୍ମିଳନୀ ନଂ. 144ର ମଧ୍ୟ ଉଲ୍ଲଂଘନ କରେ, ଯାହାର ସୁପାରିସରେ ଭାରତ ମଧ୍ୟ ସ୍ବାକ୍ଷର କରିଛି । କୋରୋନା ଭାଇରସ୍ ଆଶଙ୍କା ଜନିତ କଠୋର ଲକ୍ଡାଉନ୍ କାରଣରୁ ଉତ୍ପନ୍ନ ଦୁଃସ୍ଥିତି ଏବଂ ଅର୍ଥନୈତିକ ସଂକଟରେ ଶ୍ରମିକମାନେ ଘାଣ୍ଟି ହେଉଥିବା ସମୟରେ ଏଭଳି ପଦକ୍ଷେପ ଆରମ୍ଭ କରିବା କେବଳ ଯେ ଆଇନଗତ ଭାବେ ସଂଶୟପୂର୍ଣ୍ଣ ତାହା ନୁହେଁ, ଏହା ନୈତିକତା ଦୃଷ୍ଟିରୁ ମଧ୍ୟ ଜଘନ୍ୟ । ଏକ ସାର୍ବଜନୀନ ସଂକଟ ସମୟରେ ଅଗ୍ନି ନିରାପତ୍ତା ସଂପର୍କିତ ନିୟମ, ଶୌଚାଳୟ, ସୁରକ୍ଷା ଉପକରଣ ଇତ୍ୟାଦି ବ୍ୟବସ୍ଥା ଭଳି ସ୍ବାସ୍ଥ୍ୟ ଓ ସୁରକ୍ଷା ସଂପର୍କିତ ନିୟମଗୁଡ଼ିକର ଅପସାରଣ ଯୋଗୁଁ ଶ୍ରମିକମାନଙ୍କ ଜୀବନ ଅଧିକ ବିପଦଶଙ୍କୁଳ ହୋଇପଡ଼ିବ । ଭାରତର ଶ୍ରମ ଆଇନ ଶାସନତନ୍ତ୍ରରେ ସନ୍ନିହିତ କେତେକ ମୌଳିକ ଦୁର୍ବଳତା କାରଣରୁ 90 ପ୍ରତିଶତରୁ ଅଧିକ ଶ୍ରମଶକ୍ତି ଅଣସଂଗଠିତ କ୍ଷେତ୍ରରେ ରହିଥିବା ବେଳେ ରାଜ୍ୟମାନଙ୍କ ଦ୍ବାରା ଶ୍ରମ ଆଇନ ସମୂହର ନିଲମ୍ବନ ଏହି ସମସ୍ୟାର ସମାଧାନ ଦିଗରେ ‘ସଂସ୍କାରଧର୍ମୀ’ ପଦକ୍ଷେପ ନୁହେଁ । ବରଂ, ଏହା ଦ୍ବାରା ସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମଶକ୍ତି ଆହୁରି ବିପଜ୍ଜନକ ସ୍ଥିତି ଆଡ଼କୁ ଚାଲିଯିବ ।