ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ ସଂସଦରେ ଅଧିକ ସକ୍ରିୟ ହେବା ଉଚିତ୍। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏକ ଭିନ୍ନ ପ୍ରକାରର ରାଜନେତା ଓ ଅନ୍ୟ ଉପାୟରେ ରାଜନୀତି କରିବାକୁ ମଧ୍ୟ ଚାହୁଁଛନ୍ତି। ଏକ ଟ୍ବିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଲୋକଙ୍କ ସହ ଅଧିକ ଯୋଗାଯୋଗ କରିବା ଆବଶ୍ୟକ।
ମୁମ୍ବାଇ କଂଗ୍ରେସ ନେତାଙ୍କ ଟ୍ବିଟରେ ପ୍ରତିକ୍ରିୟା ରଖି ସେ ଲେଖିଛନ୍ତି, ମୁଁ ସହମତ ସେ ଭିନ୍ନ ଓ ରାଜନୀତିକୁ ଭିନ୍ନ ପ୍ରକାରରେ କରିବାକୁ ଚାହୁଁଛନ୍ତି । ଆମେ ତାଙ୍କୁ ଏପରି କରିବାକୁ ଦେବା ଉଚିତ୍ କିନ୍ତୁ ଆମେ ଚାହୁଁଛୁ କି ସେ ସଂସଦରେ ଅଧିକ ସକ୍ରିୟ ରୁହନ୍ତୁ । ସେ ଅଧିକ ଲୋକଙ୍କୁ ଭେଟିବା ଉଚିତ୍ । ତାଙ୍କୁ ଭାରତ ଭ୍ରମଣ କରିବା ଉଚିତ୍ ’ ।
କଂଗ୍ରେସର ଯୁବ ଓ ଓଲ୍ଡ ବ୍ରିଗେଡ୍ ମଧ୍ୟରେ ଏବେ ତିକ୍ତତା ଦେଖିବାକୁ ମିଳିଛି । ଏହାସହ କିଛି ଦିନ ତଳେ ଜୋତିରାଦିତ୍ୟ ସିନ୍ଧିଆ ଦଳ ମଧ୍ୟ ଛାଡିଛନ୍ତି । ଅନ୍ୟପକ୍ଷେ ସଚିନ ପାଇଲଟ ମଧ୍ୟ ଦୀର୍ଘ 15 ଦିନ ହେବ ଲଢେଇ କରିଆସୁଛନ୍ତି । ଏହି ସମୟରେ ଦିଗବିଜୟ ସିଂ, ରାହୁଲଙ୍କୁ ଭାରତ ଭ୍ରମଣର ଉପଦେଶ ଦେଇଛନ୍ତି ।
ନିକଟରେ କଂଗ୍ରେସ ନେତା ତଥା ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମନୀଷ ତିୱାରୀ କହିଥିଲେ ଯେ 2004 ରୁ 2014 ପର୍ଯ୍ୟନ୍ତ ବିଜେପି କ୍ଷମତାରେ ନଥିଲା, ଏଥିପାଇଁ ବାଜପେୟୀ କିମ୍ବା ତାଙ୍କ ସରକାର କେବେ ବି ଦାୟୀ ନୁହଁନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ କିଛି କଂଗ୍ରେସ ନେତା ବିଜେପି ଏନଡିଏ ସହିତ ଲଢିବା ପରିବର୍ତ୍ତେ ମନମୋହନ ସିଂଙ୍କ ୟୁପିଏ ସରକାର ଉପରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।