ନୂଆଦିଲ୍ଲୀ: ଏମ୍ସ ରିପୋର୍ଟ ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସତ୍ୟତା ବାହାରକୁ ଆସିଛି । ଫରେନ୍ସିକ୍ ତଦନ୍ତ ପାଇଁ ଗଠିତ ଏମ୍ସର 7 ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ସିବିଆଇକୁ କହିଛି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇ ନାହିଁ, ଏହା ଆତ୍ମହତ୍ୟାର ମାମଲା । ଏହି ଖୁଲାସା ପରେ କଂଗ୍ରେସ ମୁମ୍ବାଇ ପୋଲିସକୁ ଟାର୍ଗେଟ କରୁଥିବା ଲୋକଙ୍କୁ ଶିବସେନା ଓ କଂଗ୍ରେସ ଜବାବ ଦେଇଛି । କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଙ୍ଗଳବାର ଟ୍ବିଟ୍ କରି କହିଛନ୍ତି ଯେ ମୁମ୍ବାଇ ପୋଲିସର ଭାବମୂର୍ତ୍ତିକୁ ଖରାପ କରିବାକୁ 80 ହଜାରରୁ ଅଧିକ ନକଲି ଆକାଉଣ୍ଟ ସୋସିଆଲ ମିଡିଆରେ ଖୋଲାଯାଇଛି । ଏହାର ତଦନ୍ତ କରିବା ଆବଶ୍ୟକ ।
ପ୍ରକାଶଥାଉକି, ମୁମ୍ବାଇ ପୋଲିସର ତଦନ୍ତକୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ 80 ହଜାରରୁ ଅଧିକ ନକଲି ଆକାଉଣ୍ଟ ସୃଷ୍ଟି ହୋଇଥିବା ହିନ୍ଦୁସ୍ତାନ ଟାଇମ୍ସ ଏକ ରିପୋର୍ଟରେ ଦାବି କରିଛି। ଏହି ଦାବି ଉପରେ ଦିଗବିଜୟ ସିଂ କହିଛନ୍ତି ଯେ ଯଦି ଏହା ସତ ତେବେ ନକଲି ଆକାଉଣ୍ଟ ସୃଷ୍ଟି କରିଥିବା ଲୋକଙ୍କୁ ଟ୍ରାକ କରିବା ଉଚିତ୍ ଏବଂ ସେମାନଙ୍କୁ କୋର୍ଟ ଚାଲାଣ କରିବା ଉଚିତ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କହିଛନ୍ତି ଯେ ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ସୃଷ୍ଟି କରିବା ହେଉଛି ବିଜେପିର ପ୍ଲାନ୍। ତେବେ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂଙ୍କ ମାମଲାରେ ମୁମ୍ବାଇ ପୋଲିସର ମନୋବଳ ହ୍ରାସ କରିବା ପାଇଁ ଇଟାଲୀ, ଜାପାନ, ପୋଲାଣ୍ଡ, ଥାଇଲ୍ୟାଣ୍ଡ, ରୋମାନିଆ, ଫ୍ରାନ୍ସ ସମେତ ବିଭିନ୍ନ ଦେଶରୁ ଏହି ଅଭିଯାନ କରାଯାଇଥିଲା। ଏହି ସମୟ ମଧ୍ୟରେ 80 ହଜାରରୁ ଅଧିକ ନକଲି ଆକାଉଣ୍ଟ ସୃଷ୍ଟି କରାଯାଇଥିଲା । ବର୍ତ୍ତମାନ ମୁମ୍ବାଇ ସାଇବର ସେଲ ସମଗ୍ର ମାମଲାର ତଦନ୍ତ କରୁଛି।