ନୂଆଦିଲ୍ଲୀ: ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ । ଶତ୍ରୁର ନିଦ ହଜାଇବା ପାଇଁ ପ୍ରସ୍ତୁତ ହୋଇଯାଇଛି ଦେଶୀ ବୋଫୋର୍ସ । ପ୍ରଥମଥର ଭାରତରେ ନିର୍ମିତ ତୋପର ନାଁ ଦିଆଯାଇଛି ଧନୁଷ । ମଧ୍ୟ ପ୍ରଦେଶର ଜବଲପୁରରେ ଏହାକୁ ସେନାକୁ ହସ୍ତାନ୍ତରିତ କରାଯିବ । ବର୍ତ୍ତମାନ ସମୟରେ ସେନାକୁ ୬ଟି ତୋପ ପ୍ରଦାନ କରାଯିବ । କିନ୍ତୁ ଅଡିନାଂସ ଡିପୋ ଏପରି ୧୧୪ଟି ତୋପ ନିର୍ମାଣ କରି ସେନାକୁ ପ୍ରଦାନ କରିବ ।
୪୫ କ୍ୟାଲିବରର ୧୫୫ ମିଲିମିଟରର ଏହି ତୋପ ପୁରୁଣା ବୋଫୋର୍ସକୁ ଆଧାର କରି ନିର୍ମାଣ କରାଯାଇଛି । ଏହା ପୁରୁଣା ବୋଫୋର୍ସ ଠାରୁ ବହୁତ ଆଧୁନିକ ଓ ଶକ୍ତିଶାଳୀ । ପୁରୁଣା ବୋଫୋର୍ସର ରେଞ୍ଜ ୨୯ କିଲୋମିଟର ଥିଲା । ଅନ୍ୟପକ୍ଷେ ଏହାର ରେଞ୍ଜ ୩୮ କିଲୋମିଟର ରହିଛି । ପୁରୁଣା ବୋଫୋର୍ସରେ ଅଟୋମେଟିକ ଟେକନିକ ନଥିଲା କିନ୍ତୁ ଏହା ଧନୁଷ ତୋପରେ ଉପଲବ୍ଧ ରହିଛି । ଏହାସହ ଏଥିରେ କମ୍ପ୍ୟୁଟର ମଧ୍ୟ ଲଗାଯାଇଛି, ଯାହା ସ୍ବୟଂ ଗୁଳି ଲୋଡ କରି ଫାୟାରିଂ କରିବାର କ୍ଷମତା ରଖିଛି ।
କ୍ରମାଗତ ଫାୟାରିଂ କଲେ ମଧ୍ୟ ଏହାର ବ୍ୟାରେଲ ଗରମ ହୋଇ ନଥାଏ ଯାହାକି ବୋଫୋର୍ସରେ ହେଉଥିଲା । ଏହାସହ ଧନୁଷ ତୋପ ଦିନ ସହ ରାତିରେ ମଧ୍ୟ ସଠିକ ଟାର୍ଗେଟ କରିପାରେ । ସମସ୍ତ ପାଣିପାଗ ସହ ଏହା ଖାପ ଖୁଆଇ ଚଳିବାର କ୍ଷମତା ରଖିଥାଏ । ଏହି ତୋପର ଓଜନ ୧୩ ହେବ । ଏହାସହ ଏହାର ଦାମ ୧୪ କୋଟି ରହିଛି ।