ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ଓ ଭୋଡାଫୋନ ଭଳି କମ୍ପାନୀଗୁଡିକୁ କେନ୍ଦ୍ର ସରକାରଙ୍କ ଟେଲିକମ୍ୟୁନିକେସନ ବିଭାଗରୁ ବଡ ଝଟକା ମିଳିଛି । ଟେଲିକମ କମ୍ପାନୀ ଗୁଡିକୁ ଶୁକ୍ରବାର ସୁଦ୍ଧା ବକେୟା ଅର୍ଥ ଭରଣା କରିବାର ସମୟ ଦେଇଛି ଟେଲିକମ୍ୟୁନିକେସନ ବିଭାଗ । ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ରାତି 11.59 ପୂର୍ବରୁ ଟେଲିକମ କମ୍ପାନୀଗୁଡିକ ବକେୟା ଅର୍ଥ ଭରଣା କରିବାକୁ ପଡିବ ।
ପୂର୍ବରୁ AGR ମାମଲାରେ ବକେୟା ଅର୍ଥ ଭରଣାରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଟେଲିକମ କମ୍ପାନୀ ସମେତ ସରକାରଙ୍କୁ ମଧ୍ୟ ଭତ୍ସନା କରିଥିଲେ । କୋର୍ଟ ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିୟା, ରିଲାଏନ୍ସ, ଟାଟା ଟେଲି ସର୍ଭିସେସ ଓ ଅନ୍ୟ ଟେଲିକମ କମ୍ପାନୀଗୁଡିକର ପ୍ରବନ୍ଧକ ନିର୍ଦ୍ଦେଶକଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇ ସାରିଛନ୍ତି ।
ଏହି ମାମଲାରେ କୋର୍ଟ କମ୍ପାନୀ ଗୁଡିକର ପୂନର୍ବିଚାର ଯାଚିକା ଖାରଜ କରିସାରିଛନ୍ତି । ଏହାସହ କମ୍ପାନୀ ଗୁଡିକର 92 ହଜାର କୋଟି ଟଙ୍କାର ଏଜିଆରକୁ ସରକାରଙ୍କୁ ଭରଣା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।