ନୂଆଦିଲ୍ଲୀ: ସାଙ୍ଘାତିକ ହୋଇପଡିଛି ଦିଲ୍ଲୀ ସ୍ଥିତି । ଗୋଟିଏ ପଟେ ଅସମ୍ଭାଳ ଶୀତ, ଅନ୍ୟପଟେ ବାୟୁ ପ୍ରଦୂଷଣ । ସୋମବାର ଏୟାର କ୍ବାଲିଟି ଇଣ୍ଡେକ୍ସ 450ରେ ପହଞ୍ଚିଥିବାବେଳେ ଜନଜୀବନକୁ ପ୍ରଭାବିତ କରିଛି। ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଦିଲ୍ଲୀରୁ କେତେକ ବିମାନ ଗତିପଥ ବଦଳାଇବା ସହ ବିଳମ୍ବରେ ଚାଲୁଛି ଟ୍ରେନ ।
ଦିଲସାଦ ଗାର୍ଡେନରେ ବାୟୁର ଗୁଣବତ୍ତା 419 ରହିଥିବାବେଳେ ଅଖୋଲା ଫେଜ-2ରେ 494 ରେକର୍ଡ ହୋଇଛି । ଜବହାରଲାଲ ଷ୍ଟାଡିୟମରେ 480, ଦିଲ୍ଲୀରେ ବିମାନବନ୍ଦର ଅଞ୍ଚଳରେ 431 ଛୁଇଁଛି ବାୟୁମଣ୍ଡଳର ସ୍ତର । ଫଳରେ ଘରୁ ନ ବାହାରିବାକୁ ସରକାର ସ୍ତରରେ ଘୋଷଣା ହୋଇଛି । ଗତ କିଛି ଦିନ ଧରି ବାୟୁମଣ୍ଡଳର ସ୍ଥିତିରେ ସୁଧାର ଆସିଥିବାବେଳେ, ଶୀତ ଫେରୁଥିବାରୁ ପୁଣି ଥରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ।
ସେପଟେ, ଖରାପ ପାଗ ଯୋଗୁଁ ନର୍ଥ ଜୋନ ରେଲୱେ ଷ୍ଟେସନରେ 30ଟି ଟ୍ରେନ ବିଳମ୍ବରେ ଗତି କରୁଛି । ପ୍ରବଳ ମାତ୍ରାରେ ଘନ କୁହୁଡି ବାୟୁମଣ୍ଡଳରେ ଏକ ଆସ୍ତରଣ ସୃଷ୍ଟି କରିବାରୁ ଏସମସ୍ତ ଟ୍ରେନ ଗତିରେ ବିଳମ୍ବ ହୋଇଛି । ତେବେ ନୂଆଦିଲ୍ଲୀ ଗତଲା ସୁଦ୍ଧା ତାପମାତ୍ରା 2.5ଡିଗ୍ରୀରେ ପହଞ୍ଚିଥିଲେ । ସେହିପରି ଦୃଶ୍ୟତା କମ୍ ହେବାରୁ କୌଣସି ଟ୍ରେନ ବାତିଲ କରାନଯାଇ 3ଟି ବିମାନ ତାର ଗତିପଥ ବଦାଳଇଛି । ତେବେ ଘନ କୁହୁଡି ଯୋଗୁଁ ଆଜି 6 ଜଣଙ୍କ ଜୀବନ ଯାଇଛି । ଦୃଶ୍ୟତା କମ୍ ଥିବାରୁ କୋନାଲ କାର ଖସିପଡିବା ଦ୍ବାରା ଜଣେ ଶିଶୁ ସମେତ 6ଜଣ ପ୍ରାଣ ହରାଇବା ସହ 5 ଗୁରୁତର ଆହତ ହୋଇଛନ୍ତି ।
ସୋମବାର ରାଷ୍ଟ୍ରୀୟ ରାଜଧାନୀରେ ଦୃଶ୍ୟତା 0ରୁ 100 ମିଟର ଭିତରେ ରହିଛି । ଆଜି ଭୋର ସକାଳ 5.30 ସୁଦ୍ଧା ସଫଦରଜଙ୍ଗରେ ତାପମାତ୍ରା 4.6, ପାଲାମାରେ 4.6 ଡିଗ୍ରୀ ରେକର୍ଡ କରାଯାଇଛି । ପାଲାମାରେ ଦୃଶ୍ୟତା ଶୂନ୍ୟ ହୋଇପଡିଥିବାବେଳେ, ସଫଦରଜଙ୍ଗରେ 100ମିଟର ରହିଛି । ତେବେ ନୂଆବର୍ଷରେ ହାଲକା ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଜାନୁଆରୀ 2 ଓ 3ରେ ମୂଷଳଧାରାରେ ବର୍ଷା ସମ୍ଭାବନା ରହୁଛି ।