ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ସରିଯାଇଛି ୪ଟି ପର୍ଯ୍ୟାୟ ମତଦାନ । ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟର ମତଦାନ ପାଇଁ ଥମିଯାଇଛି ପ୍ରଚାର । ଏହା ମଧ୍ୟରେ ଯୋଗଗୁରୁ ବାବା ରାମଦେବ ବିମୁଦ୍ରୀକରଣକୁ ନେଇ ଦେଇଛନ୍ତି ମନ୍ତବ୍ୟ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିମୁଦ୍ରୀକରଣରେ ୩ ରୁ ୫ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଏକ ଜାତୀୟ ନ୍ୟୁଜ ୱେବ ପୋର୍ଟାଲକୁ ସାକ୍ଷାତକାର ଦେଇ କହିଛନ୍ତି ରାମଦେବ ।
ମୋଦିଜୀ ଚିନ୍ତା ମଧ୍ୟ କରିନଥିଲେ ଯେ ବ୍ୟାଙ୍କ ବାଲା ବେଇମାନ ହୋଇଥିବେ । ମୋତେ ଲାଗୁଛି ହଜାର ନୁହଁ, ହୁଏତ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କବାଲା ଦୁର୍ନୀତି କରିଛନ୍ତି । ଏଥିରୁ ତିନିରୁ ପାଞ୍ଚ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ବାହାରିବ ବୋଲି ଯୋଗଗୁରୁ ରାମଦେବ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, 'ଏହି ମାମଲାରେ ଭାରତୀୟ ରିଜର୍ଭ ବ୍ୟାଙ୍କର କର୍ମଚାରୀମାମାନେ ମଧ୍ୟ ସାମିଲ ଅଛନ୍ତି ବୋଲି ମୋତେ ସନ୍ଦେହ ହେଉଛି । ଗୋଟିଏ ସିରିଜରେ ୨ ଟି ନୋଟ ଛପା ହେବାର ମିଳିଛି । ଏହା ଦେଶର ଅର୍ଥବ୍ୟବସ୍ଥା ଉପରେ ବହୁତ ବଡ କଳଙ୍କ । ବିମୁଦ୍ରୀକରଣ ବେଳେ ଦେଶରେ ନଗଦର କମି ନଥିଲା ବରଂ ସାରା ନଗଦ ବେଇମାନଙ୍କୁ ଦେଇ ଦିଆଯାଇଛି । ସେହି ସମୟରେ ସର୍କୁଲେସନରେ ସୁଧାର କରିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି' ।