ନୂଆଦିଲ୍ଲୀ: ନମାଜ ପଢିବା ପାଇଁ ପୁଣି ଖୋଲିବ ଦିଲ୍ଲୀର ଐତିହାସିକ ଜାମା ମସଜିଦ । ସହରରେ କୋଭିଡ-19 ମାମଲାରେ ବୃଦ୍ଧି ହେତୁ ଚଳିତ ମାସ ଆରମ୍ଭରେ ବନ୍ଦ ହୋଇଥିବା ଏହି ଜାମା ମସଜିଦ ଜୁଲାଇ 4 ରୁ ପ୍ରାର୍ଥନା ବା ନମାଜ ପାଇଁ ପୁଣି ଖୋଲିବ ବୋଲି ମସଜିଦର ଶାହି ଇମାମ ମଙ୍ଗଳବାର କହିଛନ୍ତି ।
କୋଭିଡ ମାମଲା ବୃଦ୍ଧି ହେତୁ ଜୁନ 11 ରୁ ଜୁନ 30 ପର୍ଯ୍ୟନ୍ତ ମସଜିଦ ବନ୍ଦ ହୋଇଯାଇଥିଲା । ଏହାପୂର୍ବରୁ, କୋରୋନା ଭାଇରସ୍ ଲକଡାଉନ ଯୋଗୁଁ ଜମା ମସଜିଦ 2 ମାସ ବନ୍ଦ ଥିଲା । ସରକାର ଅନଲକ 1 ଘୋଷଣା କରିବା ପରେ ଜୁନ 8 ରେ ମସଜିଦ ପୁନଃ ଖୋଲାଯାଇଥିଲା । କିନ୍ତୁ ସହରରେ କୋରୋନା ବଢିବା ଯୋଗୁଁ ଚଳିତ ମାସ ପୁଣି ବନ୍ଦ ଘୋଷଣା କରାଯାଇଥିଲା ।
ଏନେଇ ବୁଖାରୀ କହିଛନ୍ତି ଯେ ବିଶେଷଜ୍ଞ ଏବଂ ଲୋକଙ୍କ ପରାମର୍ଶ ପରେ ମସଜିଦ ଖୋଲିବାର ନିଷ୍ପତ୍ତି ନିଆଯାଇଛି । ବୁଖାରୀ କହିଛନ୍ତି, ‘ଅନଲକ୍ 1.0 ଅଧୀନରେ ପ୍ରାୟ ସବୁକିଛି ଖୋଲିଛି ଏବଂ ସାଧାରଣ କାର୍ଯ୍ୟକଳାପ ପୁନଃ ଆରମ୍ଭ ହୋଇଛି । ଭାଇରସର ଭୟ କମିବା ସହ ଏହା ବିରୁଦ୍ଧରେ ସୁରକ୍ଷା ବିଷୟରେ ସଚେତନତା ବଢିଥିବାରୁ ଲୋକେ ନମାଜ ପାଠ କରିବା ପାଇଁ ମସଜିଦ ଖୋଲିବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ’
ସେ ପୁଣି କହିଛନ୍ତି ଯେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ୍ ଭଳି ସୁରକ୍ଷା ସାବଧାନତା ଅବଲମ୍ବନ କରାଯିବ । ଏହି ମାସ ଆରମ୍ଭରେ ଶାହୀ ଇମାମର ଜଣେ ବ୍ୟକ୍ତିଗତ ସଚିବ ଅମାନୁଲ୍ଲାଙ୍କର କୋରୋନା ଭାଇରସ କାରଣରୁ ମୃତ୍ୟୁ ଘଟିଥିଲା । ତାଲାବନ୍ଦ ସମୟରେ ଲୋକଙ୍କୁ ଘରେ ନମାଜ ପାଠ କରିବାକୁ କୁହାଯାଇଥିଲା ଏବଂ କେବଳ କିଛି କର୍ମଚାରୀ ମସଜିଦରେ ଦିନକୁ ପାଞ୍ଚଥର ପ୍ରାର୍ଥନା କରିଥିଲେ ।