ଭାରତର ରାଜନୀତିକ ଗଣିତକୁ ଏକ ନୂଆ ସୂତ୍ର ଦେଇଛି ଦିଲ୍ଲୀ ନିର୍ବାଚନ । ନିର୍ବାଚନ ପଣ୍ଡିତମାନେ ଏହାକୁ ଅରବିନ୍ଦ କେଜ୍ରିୱାଲଙ୍କ ସଫ୍ଟ ହିନ୍ଦୁତ୍ଵ ନୀତିର ବିଜୟ ବୋଲି ବର୍ଣ୍ଣନା କରୁଛନ୍ତି । ବାସ୍ତବ ସ୍ଥିତି ଏହା ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିଜେପିର ରଣନୀତିକୁ ଖୁବଶୀଘ୍ର ଚିହ୍ନଟ କରିବାରେ ସକ୍ଷମ ହୋଇପାରିଛନ୍ତି। ଯେତେବେଳେ ସେ ଜାଣିପାରିଲେ ଯେ, ବିଜେପି ହିନ୍ଦୁ ବନାମ ମୁସଲମାନ ଏଜେଣ୍ଡା ଧରି ଦିଲ୍ଲୀର ଭୋଟକୁ ଧ୍ରୁବୀକରଣ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହାଦ୍ଵାରା କେଜ୍ରିୱାଲଙ୍କ ବିକାଶ ଭିତ୍ତିକ ଏଜେଣ୍ଡା ମାତ ଖାଉଛି ସେତେବେଳେ ତୁରନ୍ତ ନିଜର ପ୍ରଚାର ଅଭିଯାନରେ ପରିବର୍ତ୍ତନ ଆଣିଥିଲେ। ବିଜେପିର କଠୋର ହିନ୍ଦୁତ୍ଵ ପ୍ରଚାର ପୃଷ୍ଠଭୂମିରେ କେଜ୍ରିୱାଲ ସଫ୍ଟ ହିନ୍ଦୁତ୍ଵ ଏଜେଣ୍ଡାକୁ ନିର୍ବାଚନ ଭୂମିରେ ଅବତରଣ କରିଲେ। ଆଉ ଏହା କହିବା ଅନାବଶ୍ୟକ ଯେ, ତାଙ୍କର ଏହି ନୀତି ତାଙ୍କୁ ବିଜୟ ପ୍ରଦାନ କରିବାରେ ସକ୍ଷମ ହେଲା। ପ୍ରକୃତରେ ଏହାକୁଆପ୍ ଦ୍ଵାରା ‘ବିଜେପିର ଔଷଧରେ ବିଜେପିକୁ ଚିକିତ୍ସା’ ବୋଲି ଗ୍ରହଣ କରିବାକୁ ହେବ। କେଜ୍ରିୱାଲ କାହାକୁ ବିରୋଧ ନକରି କିପରି ଜନମତକୁ ନିଜ ଆଡ଼କୁ ପ୍ରଭାବିତ କରାଯାଇପାରିବ ତାହା ଏଥିରୁ ପ୍ରମାଣିତ ହୋଇଛି। ଅର୍ଥାତ ଲୋକପ୍ରିୟତା ସହ ହିନ୍ଦୁତ୍ଵର ଏକ ଉଚିତ ମିଶ୍ରଣ ତାଙ୍କୁ ଲଗାତାର ତିନିଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସାଇବାରେ ସକ୍ଷମ ହୋଇଛି।
ଦିଲ୍ଲୀ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେଜ୍ରିୱାଲ କନଟପ୍ଲେସ୍ସ୍ଥିତ ହନୁମାନ ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏହାକୁ ଦେଖି ବିଜେପି ମନରେ ଛନକା ପଶିଥିଲା। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଏଥିରେ ନିଜର ମନ୍ତବ୍ୟ ରଖି କେଜ୍ରିୱାଲଙ୍କୁ ଜାଲି ଭକ୍ତ ବୋଲି ବର୍ଣ୍ଣନା କରିଥିଲେ । ମନୋଜଙ୍କ ଏହି ମନ୍ତବ୍ୟ କିନ୍ତୁ ଦିଲ୍ଲୀବାସୀଙ୍କ ମନରେ କେଜ୍ରିୱାଲଙ୍କୁ ନୀଚ୍ଚ କରି ନଥିଲା। ଅପରପକ୍ଷେ ସେ ଏକ ଲାଇଭ୍ ଟିଭି ଶୋ’ରେ ଜଣେ ଟେଲିଭିଜନ ଆଙ୍କରଙ୍କ ଚ୍ୟାଲେଞ୍ଜ ସ୍ଵୀକାର କରି ଅନର୍ଗଳ ହନୁମାନ ଚାଳିସା ପାଠ କରିଥିଲେ। ଏହା ଦେଖି ଦିଲ୍ଲୀ ଜନତାଙ୍କର କେଜ୍ରିୱାଲଙ୍କ ପ୍ରତି ସମର୍ଥନ ଆହୁରି ବଢ଼ିଥିଲା।
ସିଏଏ ବିରୋଧରେ ବିରୋଧ ପ୍ରଦର୍ଶନ କରି ବିଗତ ଦିନଗୁଡ଼ିକର ଶାସନ କାଳରେ କେଜ୍ରିୱାଲ୍ ନିଜକୁ ଜଣେ ଭଲ ରାଷ୍ଟ୍ରନୀତିଜ୍ଞର ପରିଚୟ ଦେଇଥିଲେ। ମୋଟାମୋଟି ଭାବେ ଦେଖିବାକୁ ଗଲେ ସେ ଅନେକ ରାଜନୀତିକ ପ୍ରସଙ୍ଗରେ କୌଣସି ମତ ନଦେଇ ନିରପେକ୍ଷତା ରକ୍ଷା କରିଥିଲେ। ଏହା କିନ୍ତୁ ତାଙ୍କୁ ସହାୟକ ହୋଇଥିଲା। ଏହା ମଧ୍ୟ କୁହାଯାଉଛି ଯେ, ଦିଲ୍ଲୀର ସମୁଦାୟ ମୁସଲମାନ ଭୋଟର, ଯେଉଁମାନଙ୍କ ସଂଖ୍ୟାଲଘୁ ସମୁଦାୟ ଭୋଟରଙ୍କ ୧୩ ପ୍ରତିଶତ ସମସ୍ତେ ଆପ୍କୁ ଭୋଟ ଦେଇଛନ୍ତି। ଯଦିଓ କଂଗ୍ରେସ ପାର୍ଟି ଅତ୍ୟନ୍ତ ଶକ୍ତ ଭାବେ ନାଗରିକତ୍ଵ ଆଇନକୁ ବିରୋଧ କରୁଥିଲା କିନ୍ତୁ ଏହାକୁ ବିଜେପିର ବିକଳ୍ପ ବୋଲି ଲୋକେ ଗ୍ରହଣ କରିପାରି ନଥିଲେ। ଏଣୁ କଂଗ୍ରେସ ଅପେକ୍ଷା ଆପକୁ ଭୋଟ୍ ଦେବାକୁ ପସନ୍ଦ କରିଥିଲେ, ଫଳରେ କଂଗ୍ରେସର ସ୍ଥିତି ନୈରାଶ୍ୟଜନକ ହୋଇଥିଲା।
ଶାହୀନ ବାଗ୍ରେ ମୁସଲମାନ ମହିଳାଙ୍କ ବିକ୍ଷୋଭ ସମାବେଶକୁ ସମାଲୋଚନା କରିବା ସହ ଏହା ହିନ୍ଦୁଙ୍କ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଉଥିବା ବିଜେପି ଅଭିଯୋଗ କରିଥିଲା। ଏହି ପ୍ରକାର ମନ୍ତବ୍ୟକୁ ଦେଖି କେଜ୍ରିୱାଲ୍ ଆନ୍ଦୋଳନକାରୀଙ୍କୁ ନିଜ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେ ଅନୁରୋଧ କରିଥିଲେ। ଏହାଛଡ଼ା ଫେବୃୟାରୀ ୫ ତାରିଖରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ରାମମନ୍ଦିର ସ୍ଥାପନା ଲାଗି ସ୍ଵତନ୍ତ୍ର ଟ୍ରଷ୍ଟ ଗଠନ କଥା କହିଲେ, ତାହାକୁ କେଜ୍ରିୱାଲ ସ୍ଵାଗତ କରିଲେ। କେଜ୍ରିୱାଲଙ୍କ ଏହି ପ୍ରକାର ଭାବଧାରା ହିନ୍ଦୁମାନଙ୍କୁ ପ୍ରଭାବିତ କରିଥିଲା। ବିଜେପି ଯେଉଁଭଳି ଭାବେ ତାଙ୍କ ଉପରେ ହିନ୍ଦୁ ବିରୋଧ ଆରୋପ ଲଗାଇଥିଲେ ତାହାକୁ ହଟାଇବା ଲାଗି କେଜ୍ରିୱାଲ ପ୍ରଚାର ସମୟରେ ଅନେକ ବ୍ୟବସ୍ଥା ଗ୍ରହଣ କରିଥିଲେ। କେଜ୍ରିୱାଲ କହିଥିଲେ ଯେ, ତାଙ୍କରି ସରକାର ହିନ୍ଦୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ବ୍ୟବସ୍ଥା କରାଇଥିଲେ। ଏପରିକି ଯେତେବୋଳ ବିଜେପି ସରକାରେ ଜମ୍ମୁ ଓ କଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିଥିଲେ ସେ ତାହାକୁ ସ୍ଵାଗତ କରିଥିଲେ। ଯମୁନା ସଂସ୍କାର ବାବଦରେ ମତ ରଖି ସେ ଜନସାଧାରଣଙ୍କୁ କହିଥିଲେ ଯେ, ଏହା ହେଉଛି ଭଗବାନ କୃଷ୍ଣଙ୍କ ପ୍ରିୟ ସ୍ଥାନ, ଏଣୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଧ୍ୟାନ ଦେବା ତାଙ୍କର ଏକ ପ୍ରମୁଖ କାର୍ଯ୍ୟ।
ଯେତେବଳେ ବିଜେପି ସାଂସଦ ତାଙ୍କୁ ଆତଙ୍କବାଦୀ ବୋଲି କହିଲେ , ସେତେବେଳେ ବେଶ ଚତୁରତାର ସହ କେଜ୍ରିୱାଲ ତାହାର ଉତ୍ତର ରଖିଥିଲେ। ଜନସାଧରରଣଙ୍କୁ ସେ ପ୍ରଶ୍ନ ପଚାରିଥିଲେ ଯେ, ସେ ଆତଙ୍କବାଦୀ ନା ‘ଦିଲ୍ଲୀର ପୁଅ’। ଲୋକଙ୍କୁ ତାଙ୍କ ଶାସନ ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ଠିକଣା ଭାବେ ପ୍ରଚାର କରି କେଜ୍ରିୱାଲ ଦିଲ୍ଲୀବାସୀଙ୍କ ମନ ଜିଣିପାରିଥିଲେ। ପରବର୍ତ୍ତୀ ସମୟରେ ତାହା ଏହାକୁ ଭୋଟ୍ରେ ପ୍ରମାଣିତ କରିଥିଲା।