ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗାର ନିଆଁରେ ତିନି ଦିନ ଧରି ଜଳିଥିଲା । ଏଥିରେ ଅନେକଙ୍କ ଧନ, ଜୀବନ, ଜୀବିକା, ଖୁସି ପୋଡି ପାଉଁଶ ହୋଇଯାଇଛି । ଏବେ ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଶାନ୍ତ ବାତାବରଣ ରହିଛି । ମାତ୍ର ହିଂସାରେ ମୃତକଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ଅନେକ ଆହତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ବେଳେ ସୋମବାର ଦଙ୍ଗା ପୀଡିତ ଅଞ୍ଚଳର ଏକ ନାଳରୁ 4ଟି ମୃତଦେହ ମିଳିଛି ।
ସୋମବାର ନାଳରୁ ଉଦ୍ଧାର ଏହି 4ଟି ମୃତଦେହର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ମୃତଦେହକୁ ରାମ ମନୋହର ଲୋହିଆ ହସ୍ପିଟାଲକୁ ଅଣାଯାଇଛି । ମୃତଦେହକୁ ଶବାଗାରରେ ରଖାଯାଇଛି । ହସ୍ପିଟାଲ ଓ ପୋଲିସ ପ୍ରଶାସନ ମୃତଦେହକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି ।
ରାମ ମନୋହର ଲୋହିଆ ହସ୍ପିଟାଲର ମେଡିକାଲ ଫୋରେନସିକ୍ ଅଧିକାରୀ ସଚିନ ତ୍ୟାଗୀ କହିଛନ୍ତି ଯେ ଶବଗୃହରେ ଚାରିଟି ମୃତଦେହ ରହିଛି ଯାହା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ଗଳିତ ଅବସ୍ଥାରେ ରହିଥିବା ଯୋଗୁଁ ମୃତଦେହକୁ ଚିହ୍ନଟ କରିବାରେ ବହୁତ କଷ୍ଟକର ହେଉଛି । ଏଭଳି ପରିସ୍ଥିତିରେ ମୃତଦେହ ଚିହ୍ନଟ ପାଇଁ ଶବାଗରା ବାହାରେ ପୋଷ୍ଟର ଲଗାଯିବ ।
ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 46 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡରେ ଅନେକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ