ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆତଙ୍କବାଦୀ ସଙ୍ଗଠନ ଆଇଏସ ସହ ଜଡିତ ତାମିଲନାଡୁ ମୋଡ୍ୟୁଲକୁ ଗିରଫ କରିବାରେ ସଫଳ ହୋଇଛି। ଗତ 9 ଜାନୁୟାରୀରେ ଦିଲ୍ଲୀର ବଜିରାବାଦର ଏକ ଭଡା ଘରୁ ଆଇଏସ ସହିତ ଜଡିତ ତାମିଲନାଡୁ ମୋଡ୍ୟୁଲ ତିନି ଆତଙ୍କବାଦୀ ଖ୍ବାଜା ମଇଦିନ, ସୟଦ ଅଲ୍ଲୀ ନବାଜ ଓ ଅବଦୁଲ୍ଲ ସମଦକୁ ପୋଲିସ ଗିରଫ କରିଥିଲା। ଅନ୍ୟ ଏକ ଆତଙ୍କବାଦୀକୁ ଗୁଜୁରାଟରୁ ଗିରଫ କରାଯାଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ ମୋଡ୍ୟୁଲର 10ରୁ ଊର୍ଦ୍ଧ୍ବ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ 9 ଏମଏମର 3ଟି ପିସ୍ତଲ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ ପୋଲିସ 8 ଦିନିଆ ଟ୍ରାଜିଟ ରିମାଣ୍ଡରେ ନେଇଥିଲା। ଏହା ପରେ ଗିରଫ ଆତଙ୍କବାଦୀଙ୍କୁ ଅଦାଲତରେ ହାଜର କରାଯାଇଛି।
ଦିଲ୍ଲୀ ସ୍ପେଶାଲ ସେଲର ଜଣେ ବରିଷ୍ଠ ଅଧିକାରୀ କହିବା ଅନୁସାରେ ଦିଲ୍ଲୀ ଏନସିଆର ଅଞ୍ଚଳରେ ରହିଥିବା ଆତଙ୍କୀବାଦୀ ସଙ୍ଗଠନ ଆଇଏସର ମାନବ ବୋମା ଭାବରେ କାର୍ଯ୍ୟ କରିଥାନ୍ତ । ଏହି ଆତଙ୍କବାଦୀ, ପାକିସ୍ତାନୀ ଆତଙ୍କୀଙ୍କ ସହ ସମ୍ପର୍କରେ ଥିଲେ। ସେମାନଙ୍କ ଟାର୍ଗେଟରେ ଭାରତର ବିଭିନ୍ନ ହିନ୍ଦୁ ସଙ୍ଗଠନ ସହ ଜଡିତ କଠୋରପନ୍ଥୀ ନେତା ରହିଥିଲେ ବୋଲି ତଦନ୍ତରୁ ଜଣାପଡିଛି।