ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଶୁକ୍ରବାର ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ସେ ଅପ୍ରତ୍ୟକ୍ଷ ଭାବରେ ସିଏଏକୁ ସାହାସିକ ନିଷ୍ପତ୍ତି ବୋଲି କହିଛନ୍ତି। ଦେଶ ପାଇଁ କିଛି କରିବାକୁ ହେଲେ ଅନେକ ଆକ୍ରୋଶ ସହିବାକୁ ପଡେ। ଅନେକ ଲୋକଙ୍କ ଅଭିମାନ ସହିବାକୁ ପଡେ। ଏହା ବ୍ୟତୀତ ଅନେକ ଅଭିଯୋଗର ସାମ୍ନା ମଧ୍ୟ କରିବାକୁ ପଡେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଅର୍ଥବ୍ୟବସ୍ଥା, ଜିଏସଟି ଏବଂ ଇଜ ଅଫ ଡୁଇଂର ନାମ ଦେଇଥିଲେ ମଧ୍ୟ ସେ ସିଏଏକୁ ନେଇ ଏଭଳି କହିଥିବା ଅନୁମାନ କରାଯାଉଛି। ଦିଲ୍ଲୀରେ ଆୟୋଜିତ ୧୦୦ ବର୍ଷର ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ(ଆସୋଚାମ୍) କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ମୋଦି ଆସୋଚାମ୍ର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 100 ବର୍ଷର ଅନୁଭୂତି ବହୁତ ବଡ଼ ପୁଞ୍ଜି।100 ବର୍ଷର ଯାତ୍ରାରେ ଅନେକ ଭଲ-ଖରାପ ପରିସ୍ଥିତି ଆସିଥିବ। ଅନେକ ଲୋକ ଏହାର ନେତୃତ୍ବ ନେଇଥିବେ। ସେମାନେ ସମସ୍ତେ ଅଭିନନ୍ଦନର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଏହା ସହିତ ପୁଣିଥରେ 5 ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥା କଥା ଦୋହରାଇ ପିଏମ ମୋଦି କହିଛନ୍ତି ଯେ, 2020 ସହ ନୂଆ ଦଶକ ସମସ୍ତଙ୍କ ପାଇଁ ଖୁସି ଏବଂ ସମୃଦ୍ଧି ଆଣିବ । ୭୦ ବର୍ଷର ଅଭ୍ୟାସ ବଦଳାଇବାକୁ ସମୟ ଲାଗେ। 5 ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥାର ଲକ୍ଷ୍ୟ ହଠାତ ଆସିନାହିଁ। ଗତ 5 ବର୍ଷରେ ଦେଶ ମଜବୁତ ହୋଇଛି। ଯାହା ଫଳରେ ଏହି ଲକ୍ଷ୍ୟ ପ୍ରାପ୍ତ କରାଯାଇପାରିବ। 5-6 ବର୍ଷ ପୂର୍ବେ ଆମ ଦେଶର ଅର୍ଥ ବ୍ୟବସ୍ଥା ଭୁଷୁଡିବାରେ ଲାଗିଥିଲା। ହେଲେ ଆମ ସରକାର ଏହାକୁ ରକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।