ହାଇଦ୍ରାବାଦ: ଗତ ଅଗଷ୍ଟ 31ରେ କେନ୍ଦ୍ରଗୃହ ମନ୍ତ୍ରଣାଳୟ ପ୍ରକାଶ କରିଛି ଆସାମର ଚୂଡାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) । ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ବ୍ୟକ୍ତି ଏହି ଏନଆରସି ତାଲିକାରେ ସ୍ଥାନ ପାଇଥିବା ବେଳେ ବାଦ ପଡିଛନ୍ତି ୧୯ ଲକ୍ଷ ୬ ହଜାର ୬୫୭ ଜଣ । ଯେଉଁମାନେ ଏହି ତାଲିକାକୁ ନେଇ ସନ୍ତୋଷ ନାହାନ୍ତି ସେମାନେ ଚାହିଁଲେ ଆସାମ ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ୪ଶହ ବିଦେଶୀ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ । ଏଥିପାଇଁ ୧୨୦ ଦିନର ସମୟ ଦେଇଛନ୍ତି ସରକାର ।
ତେବେ ଏନଆରସି ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ କରିବାକୁ ଅନେକ ନେତା ଦାବି କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱୀରୀ ଅଛନ୍ତି । ସେହିଦିନ ହିଁ ମନୋଜ ଦାବି କରିଥିଲେ ତୁରନ୍ତ ଏନଆରସି ଦିଲ୍ଲୀରେ ଲାଗୁ କରାଯାଉ ବୋଲି ।
ଏହାକୁ ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମନୋଜଙ୍କୁ ଘେରିଛନ୍ତି । ଅରବିନ୍ଦ କହିଛନ୍ତି ଯଦି ଦିଲ୍ଲୀରେ ଏନଆରସି ଲାଗୁ ହୁଏ ଆଗ ମନୋଜଙ୍କୁ ଦିଲ୍ଲୀ ଛାଡିବାକୁ ପଡିବ । ସେ ମଧ୍ୟ ଦିଲ୍ଲୀ ବାସିନ୍ଦା ନୁହଁନ୍ତି । ଏହାକୁ ନେଇ ସାଂସଦ ମନୋଜ ତିୱାରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଯୋରଦାର ହମଲା କରିଛନ୍ତି । ମନୋଜ କହିଛନ୍ତି ‘ସେ ଦେଶରେ ବସବାସ କରୁଛନ୍ତି । ଆଉ ଦିଲ୍ଲୀରେ ବସବାସ କରିବା କେବେ ହେଲେ ନିଜକୁ ପ୍ରବାସୀ ଭାବି ନାହାଁନ୍ତି । ଅନ୍ୟପଟେ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଜାନୁଆରୀ 26 ପ୍ୟାରେଡକୁ ବିରୋଧ କରିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ହୋଇ ସବୁବେଳେ ‘ଭାରତ ତେରେ ଟୁକଡେ ହୋଙ୍ଗେ’ କହୁଥିବା ଲୋକଙ୍କୁ ସମର୍ଥନ’ କରିଥିବା ଅଭିଯୋଗ କରିଛନ୍ତି ମନୋଜ ।
ଅରବିନ୍ଦ କେଜ୍ରିୱାଲ ଜାଣିବା ଦରକାର ଯେ ଏନଆରସି ଦେଶକୁ ବେଆଇନ ଭାବେ ଆସି ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଲାଗୁ ହୋଇଛି । ଏହାସହ ମନୋଜ ପ୍ରଶ୍ନ ଉଠାଇଛନ୍ତି ଯଦି ଦେଶର କୌଣସି ବି ପ୍ରାନ୍ତର ଲୋକ ଦେଶରେ କେଉଁଠି ବି ବସବାସ କରେ ସେ କଣ ଏନଆରସିରେ ଆସିବେ କି? ଜଣେ ମୁଖ୍ୟମନ୍ତ୍ରୀ ହୋଇ ଏମିତି ବୟାନ ଦେବା ଲଜ୍ଜ୍ୟା ଜନକ ବୋଲି କହିଛନ୍ତି । ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା କୌଣସି ଅଧିକାର ନାହିଁ , ଏନଆରସି କେବଳ ବିଦେଶ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମନୋଜ କହିଛନ୍ତି ।