ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡକୁ ନେଇ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ଉତ୍ତର-ପୂର୍ବ ଦିଲ୍ଲୀ ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ଅପପ୍ରଚାର ହେଉଛି । ଯଦି କୌଣସି ବ୍ୟକ୍ତି ଏଭଳି କିଛି ଖବର ସମ୍ପର୍କରେ ଜାଣିବାକୁ ପାଆନ୍ତି ତାହେଲେ ସେ ତୁରନ୍ତ ଦିଲ୍ଲୀ ସରକାରଙ୍କ ନିକଟରେ ଅଭିଯୋଗ କରିବେ । ଏନେଇ ଦିଲ୍ଲୀ ସରକାର ଏକ ହ୍ବାଟସ୍ଆପ ନମ୍ବର ଜାରି କରିବେ । ଏହି ନମ୍ବରରେ ଲୋକମାନେ ଅଭିଯୋଗ କରିପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।
ଦିଲ୍ଲୀ ସରକାରଙ୍କ ସୂତ୍ର ଅନୁଯାୟୀ, ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ରଖାଯିବ । ପ୍ରକୃତ ଅଭିଯୋଗ ଗୁଡ଼ିକ ପରଖିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତାକୁ ପୋଲିସ ନିକଟକୁ ପଠାଯିବ ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀର ହିଂସା ପ୍ରଭାବିତ ଅଧିକାଂଶ ଅଞ୍ଚଳରେ ଧୀରେ ଧୀରେ ସ୍ଥିତି ସାମାନ୍ୟ ହେଉଛି । କିନ୍ତୁ କିଛି କିଛି ସ୍ଥାନରେ ଏବେ ମଧ୍ୟ ସ୍ଥିତି ଅନିୟନ୍ତ୍ରିତ ରହିଛି । ସେପଟେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇ 42ରେ ପହଞ୍ଚିଛି ।
@ANI