ନୂଆଦିଲ୍ଲୀ:ପୁଣି ବିଗୁଡିଛି ଦିଲ୍ଲୀ ବାୟୁ ଗୁଣବତ୍ତା । ଲଗାତାର ଦୁଇଦିନ ହେବ ଦିଲ୍ଲୀରେ ପ୍ରଭାବିତ ହୋଇଛି ପ୍ରଦୂଷିତ ବାୟୁ । ପ୍ରଦୂଷିତ ବାୟୁ ପାଇଁ ଦିଲ୍ଲୀରେ ଚାରିଆଡ ଧୂଆଁମୟ ହୋଇଛି । ଅନୁକୂଳ ପାଣିପାଗ କାରଣରୁ ପ୍ରଦୂଷଣସ୍ତର ଅଧିକ ରହିଥିଲା କହିଛି ଭାରତୀୟ ପାଣିପାଗ ବିଭାଗ ।
ଆଇଏମଡି ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ସଫରଜଙ୍ଗରେ ଅତ୍ୟଧିକ ମାତ୍ରାରେ କୁହୁଡି ଦେଖାଯାଇଥିଲା । ପ୍ରାୟ ତିନିଶହ ମିଟର ଯାଏଁ କିଛି ଦୃ୍ଶ୍ୟମାନ ହୋଇନଥିଲା । ମଙ୍ଗଳବାର ଅପେକ୍ଷା ଦିଲ୍ଲୀ ବାୟୁ ଗୁଣବତ୍ତା ବୁଧବାର ଅତି ଗୁରୁତର ରହିଛି । ତେବେ ବିବେକ ବିହାର, ଆନନ୍ଦ ବିହାର, ନରେଲା, ଜାହାଙ୍ଗୀରପୁରୀ, ନେହେରୁ ନାଗର, ପଞ୍ଜାବୀ ବାଗ ଭଳି ଅନେକ ମନିଟରିଂ ଷ୍ଟେସନରେ ବାୟୁ ଗୁଣବତ୍ତା ଗୁରୁତର ସୀମା ମଧ୍ୟରେ ଥିଲା । ଏକ୍ୟୁଆଇ ମାନରେ 400ରୁ ଅଧିକ ରହିଥିବା ଆକଳନ କରାଯାଇଛି ।
ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ଦିଲ୍ଲୀରେ ମଧ୍ୟମ କୁହୁଡି ପଡିବାର ଆଶା କରାଯାଉଛି । ଯଦିଓ ଆର୍ଦ୍ରତା ହ୍ରାସ ପାଇଛି, ପବନର ବେଗ ଅଧିକ ରହିବ । ତେଣୁ ବାୟୁ ଗୁଣବତ୍ତାରେ କୌଣସି ବିଶେଷ ଉନ୍ନତି ଦେଖାଯାଇ ନାହିଁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ । ସେ ଆହୁରି କହିଛନ୍ତି ଆସନ୍ତା ଦୁଇ ସପ୍ତାହ ଯାଏଁ ବାୟୁ ଗୁଣବତ୍ତାରେ କୌଣସି ପରିବର୍ତ୍ତନର ଆଶା କରାଯାଇ ନାହିଁ । ତିନି ଦିନ ମଧ୍ୟରେ ପବନର ବେଗ 10 କିଲୋମିଟର ରହିବ । ଏହା ସହ ଭାରତର ଉତ୍ତର ପଶ୍ଚିମ କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ