ନୂଆଦିଲ୍ଲୀ: ଜୀବନରେ ଥରେ ହୋଇଥାଏ ଜନ୍ମ ଏବଂ ମୃତ୍ୟୁ। ମାତ୍ର ଏହା ସବୁଠାରୁ ଅଧିକ ମହତ୍ତ୍ବ ରଖିଥାଏ ଯେ ଆମେ ଏହି ଜନ୍ମ ଓ ମୃତ୍ୟୁ ମଝିରେ କଣ କରିଛେ । କାହା ପାଇଁ କରିଛେ । ଆଉ ଏହାଦ୍ବାରା କାହାର ଉପକାର ହୋଇଛି କି । ଆମ ଭିତରେ ଖୁବ୍ କମ୍ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ପାଇଁ ଭାବିବା ପୂର୍ବୁର ଅନ୍ୟ କଥା ଭାବିଥାଆନ୍ତି । ଆଉ ସେମିତି ଜଣେ ହେଉଛନ୍ତି ଦିଲ୍ଲୀର ବାସିନ୍ଦା ଆଞ୍ଚଲ ଶର୍ମା ।
ଆଞ୍ଚଲ ଶର୍ମା । ଜଣେ ଏପରି ବ୍ୟକ୍ତିତ୍ବ ଯିଏ ଆମକୁ କଷ୍ଟରୁ କଷ୍ଟ ପରିସ୍ଥିତି ସାମ୍ନାରେ ହାର ନମାନିବା ପାଇଁ ପ୍ରେରଣା ଦେଇଥାଆନ୍ତି । ସେ ପ୍ରତିଦିନ ରାଷ୍ଟ୍ରୀୟ ରାଜଧାନୀ ରଙ୍ଗପୁରୀ ଅଞ୍ଚଳରେ ରହୁଥିବା 100-200 ଶିଶୁଙ୍କୁ ଖାଦ୍ୟ ଦେଇଥାଆନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିବା କଥା ହେଉଛି, ଆଞ୍ଚଲ କ୍ୟାନ୍ସରରେ ପିଡୀତ । ତାଙ୍କର କେମୋଥେରାପି ଟ୍ରିଟମେଣ୍ଟ ଚାଲିଛି । କିନ୍ତୁ ସେ ଏହାକୁ ନେଇ ଦୁଃଖ କରିବା ପରିବର୍ତ୍ତେ ଖୁସି ବାଣ୍ଟୁଛନ୍ତି । କାରଣ ତାଙ୍କ କହିବା ଅନୁସାରେ, ଭୋକିଲାକୁ ଖାଦ୍ୟ ଦେବାର ଭାଗ୍ୟ ସମସ୍ତଙ୍କୁ ମିଳେନା ।
ତେବେ ଏମିତି ନୁହେଁ କତି ଆଞ୍ଚଲ ଜୀବନ ଖୁବ୍ ସରଳ । ନିଜ ଜୀବନରେ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି ସେ । ଦାରିଦ୍ର ଠାରୁ ଆରମ୍ଭ କରି ଘରୋଇ ହିଂସା ପର୍ଯ୍ୟନ୍ତ । ଏମିତିକି ତାଙ୍କ ଛୋଟ ଭଉଣୀଙ୍କ ହତ୍ୟା ମଧ୍ୟ କରାଯାଇଛି । ଆଉ ଏହା ଉପରେ କ୍ୟାନ୍ସର ପରି ରୋଗ । ଏତେସବୁ ପରେ ନା ସେ ହସିବା ଭୁଲିଛନ୍ତି । ନା ଅନ୍ୟକୁ ହସାଇବା ।
ତେବେ ଏଠାରେ ଆପଣଙ୍କୁ ଏହାମଧ୍ୟ କହିବା ଜରୁରି ଯେ, ଆଞ୍ଚଲ କୌଣସି ଉଚ୍ଚ ପରିବାରରୁ ଆସିନାହାଁନ୍ତି ବରଂ ତାଙ୍କ ପିତା ଜଣେ ଅଟୋ ଡ୍ରାଇଭର । ହଁ ଆଜ୍ଞା । ଆଉ ସେ ନିଜେ ଜଣେ ରିସେପ୍ସନଷ୍ଟିର ଚାକିରୀ କରୁଛନ୍ତି । ଆଉ ନିଜ ଗୋଜଗାରକୁ ଗରିବ ପିଲାଙ୍କ ଖାଦ୍ୟ ଦେବାପାଇଁ ଖର୍ଚ୍ଚ କରିଥାଆନ୍ତି ।
ଆଞ୍ଚଲ ପିଲାଙ୍କ ସହିତ ଅସହାୟଙ୍କ ପାଇଁ ମଧ୍ୟ ଖାଦ୍ୟ ବଣ୍ଟନ କରିଥାଆନ୍ତି । ଏହି ପ୍ରୟାସକୁ ଆଗକୁ ବଢାଇବା ପାଇଁ ସେ ଏକ ଏନଜିଓ ମଧ୍ୟ ଆରମ୍ଭ କରିଛନ୍ତି । ଯାହାର ନାଁ ସେ ରଖିଛନ୍ତି 'ମିଲ ଅଫ୍ ହାପିନେସ୍' । ଏହାସହ ତାଙ୍କର ସ୍ବପ୍ନ ରହିଛି ସେ ଆଗକୁ ଯାଇ 5 ହଜାର ପିଲାଙ୍କୁ ଖାଇବାକୁ ଦେବେ ।
ତେବେ ଆଞ୍ଚଲଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି । କିନ୍ତୁ ସେ କହନ୍ତି ଖୁସିର ମୂଲ୍ୟ ଦୁନିଆର କୌଣସି ଜିନିଷ ରିପ୍ଲେସ କରିପାରିବ ନାହିଁ ।