ସରକାରିଆ କମିଶନ ରିପୋର୍ଟ ପ୍ରଦାନ କରିବାର ତିନି ଦଶନ୍ଧି ବିତିଗଲା, ଯେଉଁଥିରେ ଏହା ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ରାଜ୍ୟପାଳଙ୍କ ଦାୟିତ୍ବ ହେଉଛି ସରକାର ଗଠନ କରିବା, କିନ୍ତୁ ସରକାର ଗଠନ ପାଇଁ ଉଦ୍ୟମ କରିବା ନୁହେଁ। ସାମ୍ବିଧାନିକ ସ୍ତମ୍ଭ ଭାବେ ସ୍ବତନ୍ତ୍ର ମର୍ଯ୍ୟାଦା ପାଇ ଆସୁଥିବା ରାଜ ଭବନର ଯେଉଁ ଛବି ରହିଥିଲା ତାହା ଶସ୍ତା ରାଜନୀତି ଦ୍ବାରା କ୍ରମଶଃ ମଳିନ ପଡିଯାଉଛି। ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳ ଛାଡ଼ିବା ଯୋଗୁଁ କମଲ ନାଥ ସରକାରର ପତନ ଘଟିଥିଲା ସେତେବେଳେ ମଧ୍ୟ ପ୍ରଦେଶ ରାଜ୍ୟପାଳ ବିଧାନସଭାରେ ଆଗୁଆ ଶକ୍ତି ପରୀକ୍ଷା କରାଯିବା ଉପରେ ଜୋର୍ ଦେଇ ଆସୁଥିଲେ। ବର୍ତ୍ତମାନର ମହାମାରୀ ଯୋଗୁଁ ସୃଷ୍ଟି ପରିସ୍ଥିତିକୁ ଧ୍ୟାନ ନଦେଇ ଶିବରାଜ ସିଂ ଚୌହ୍ବାନ ମାର୍ଚ୍ଚ 23 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଠିକ୍ ସେହିପରି ଭାବେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଯେତେବେଳେ ଦଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଛନ୍ତି, ସେବେଠାରୁ ଆରମ୍ଭ ହୋଇଛି ଆଉ ଏକ ରାଜନୈତିକ ନାଟକ। ବିଦ୍ରୋହ କାରଣରୁ ସଚିନ ଏବଂ 16 ଜଣ ବିଧାୟକଙ୍କୁ ଦଳ ବହିଷ୍କାର କରିଛି। ରାଜସ୍ଥାନର ସ୍ଥିତି ମଧ୍ୟ ପ୍ରଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ଉଭୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ବିଦ୍ରୋହୀ ସଚିନ ପାଇଲଟଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ଚାଲିଛି ଆଇନଗତ ଲଢେଇ। ଏସବୁ ମାମଲା ମଧ୍ୟରୁ କୌଣସି ବି ଗୋଟିଏ ମାମଲାରେ ବର୍ତ୍ତମାନ ରାୟ ପ୍ରକାଶ ପାଇବା ସମ୍ଭାବନା ନାହିଁ। ଇତିମଧ୍ୟରେ ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର ଏହି ରାଜନୈତିକ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ଚାପରେ କାମ କରୁଥିବା ଅଭିଯୋଗ ହେଉଛି। ବିଧାନସଭା ଅଧିବେଶନ ଡାକିବାକୁ ପୂର୍ବରୁ ତିନିଥର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଖାରଜ କରି ଦେଇଥିବା ବେଳେ ରାଜ୍ୟପାଳ ଏବେ ଅଧିବେଶନ ଡାକିବାକୁ 21-ଦିନିଆ ନୋଟିସ୍ ଦେବା ଆବଶ୍ୟକ ବୋଲି ରାଜ୍ୟ କ୍ୟାବିନେଟକୁ ଜଣାଇଛନ୍ତି। ଆହୁରି ବି ରାଜ୍ୟପାଳ କହିଛନ୍ତି ଯେ, ସମ୍ପ୍ରତି କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁଁ ରାଜ୍ୟରେ ସୃଷ୍ଟି ଭୟଙ୍କର ଅବସ୍ଥା ନେଇ ସେ ଚିନ୍ତିତ। ଗୃହର ମାନ୍ୟବର ସଦସ୍ୟମାନେ କିପରି ନିରାପଦ ରହିବେ ତାହା ବାଚସ୍ପତିଙ୍କ କର୍ତ୍ତବ୍ୟ । ରାଜ୍ୟ କ୍ୟାବିନେଟର ପରାମର୍ଶକ୍ରମେ ରାଜ୍ୟପାଳ କାମ କରିବା ଉଚିତ୍, କିନ୍ତୁ ବିଧାନସଭାରେ ଆସ୍ଥା ଭୋଟରେ ଜିତିବା ପାଇଁ ଗେହଲଟଙ୍କ ଉଦ୍ୟମରେ କାଲରାଜ ମିଶ୍ର ବାଧା ସୃଷ୍ଟି କରୁଛନ୍ତି।
ମୁଖ୍ୟମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଥିବା ସତ୍ତ୍ବେ ରାଜ୍ୟପାଳମାନେ ଦୁର୍ନୀତି ଏବଂ ଅସତ ଉପାୟରେ ସମ୍ପୃକ୍ତ ରହୁଥିବା ଅଭିଯୋଗ ହେଉଛି। ବାସ୍ତବରେ 1983ରେ ରାଜ୍ୟପାଳଙ୍କ ସମ୍ପର୍କରେ ସରକାରିଆ କମିଶନ କହିଥିଲେ, “କ୍ଷମତାରେ ଥିବା ଦଳରୁ ବହିଷ୍କୃତ ଏବଂ ଅସନ୍ତୁଷ୍ଟ ରାଜନେତାଙ୍କୁ ଅନ୍ୟତ୍ର କେଉଁଠି ବି କେଉଁ ପଦ ପଦବୀରେ ନିଯୁକ୍ତି ଦିଆଯିବା ଠିକ୍ ନୁହେଁ। ଏଭଳି ବ୍ୟକ୍ତି ପଦ ପଦବୀରେ ରହିଲେ ସାମ୍ବିଧାନିକ ବ୍ୟବସ୍ଥାରେ ନିରପେକ୍ଷ ଦାୟିତ୍ବ ତୁଲାଇବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରିଥାନ୍ତି।“ ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାର୍ଯ୍ୟଙ୍କ ମତ ହେଉଛି, “ଗୃହର କାର୍ଯ୍ୟଧାରା ନେଇ କେବଳ ବାଚସ୍ପତିଙ୍କର ହିଁ କ୍ଷମତା ରହିଛି। ଗୃହ କିପରି ଚାଲିବ, ନ ଚାଲିବ ସେ ସମ୍ପର୍କରେ ବାଚସ୍ପତିଙ୍କ ଉପରେ ରାଜ୍ୟପାଳଙ୍କର କୌଣସି ପ୍ରକାର ନିୟନ୍ତ୍ରଣ ନାହିଁ।“ 2016ରେ ବିଧାନସଭାରେ ଆସ୍ଥା ଭୋଟ ଆଣିବାକୁ ସୁପ୍ରିମ କୋର୍ଟ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ସିଂ ରାୱତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତି ଶାସନ ଘଟଣାରେ ହସ୍ତକ୍ଷେପ କରି ସୁପ୍ରିମ କୋର୍ଟ ରାୱତଙ୍କ ପଛରେ ସମର୍ଥନ ଅଛି କି ନାହିଁ ତାହା ଜାଣିବା ପାଇଁ ଗୃହରେ ଶକ୍ତି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିବର୍ଷ ହିଁ ଆଗୁଆ ବିଧାନସଭା ଅଧିବେଶନ ଡାକିବାକୁ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଜେପି ରାଜଖୋଆ ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଖାରଜ କରି ଦେଇଥିଲେ। ରାଜ୍ୟପାଳଙ୍କ ନିକଟରେ ଏପରି ସାମ୍ବିଧାନିକ କ୍ଷମତା ନଥିବା କଥା ପାଞ୍ଚଜଣିଆ ଖଣ୍ଡପୀଠ ଉଲ୍ଲେଖ କରିଥିଲେ। ଖଣ୍ଡପୀଠ ଆହୁରି ବି କହିଥିଲା ଯେ, ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟର ସହାୟତା ଓ ପରାମର୍ଶ ବିନା ରାଜ୍ୟପାଳ ବିଧାନସଭା ଭାଙ୍ଗିବା ପାଇଁ ତାଙ୍କର ସ୍ବତନ୍ତ୍ର କ୍ଷମତା ବ୍ୟବହାର କରିପାରିବେ ନାହିଁ। ଏସବୁ ବିବୃତି ସ୍ପଷ୍ଟ ପ୍ରମାଣିତ କରି ଦେଉଛି ଯେ, ରାଜ୍ୟପାଳ କଲରାଜ ମିଶ୍ର ନେଇଥିବା କାର୍ଯ୍ୟାନୁଷ୍ଠାନ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଉଚିତ୍ ନୁହେଁ। ଜଣେ ରାଜ୍ୟପାଳ ସମ୍ବିଧାନର ରକ୍ଷାକର୍ତ୍ତା ଭାବେ କାର୍ଯ୍ୟ କରିବା ଉଚିତ୍। କିନ୍ତୁ ଏବେ ସବୁ ଯାହା ଘଟୁଛି ତାହା ପ୍ରମାଣିତ କରୁଛି ଭାରତରେ ରାଜ୍ୟପାଳମାନେ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ଦିଗରେ ଶକ୍ତି ପରୀକ୍ଷାରେ ବିଫଳ ହୋଇଛନ୍ତି।