ନ୍ୟୁୟର୍କ: କୋଭିଡ-୧୯ ପ୍ରଭାବରେ ସାରା ବିଶ୍ଵର ଅର୍ଥନୀତି ସଙ୍କଟଜନକ ସ୍ଥିତିକୁ ଚାଲି ଆସିଛି । ଏହାର ପୁନରୁଦ୍ଧାର ଲାଗି ଋଣ ପୁନର୍ଗଠନ ଏକ ପ୍ରାଥମିକ ଆବଶ୍ୟକତା ବୋଲି କହିଛନ୍ତି ଜାତିସଂଘ ଉପମହାସଚିବ ଅମିନା ମହମ୍ମଦ । ଆର୍ଥିକ ସତତ ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଏକ ଭର୍ଚୁଆଲ୍ ଅସାଧାରଣ ବୈଠକରେ ଯୋଗ ଦେଇ ଅମିନା ଏହା କହିଛନ୍ତି । ‘ଏବେ ସମଗ୍ର ବିଶ୍ଵରେ ସମ୍ପଦର ଯଥେଷ୍ଟ ଆବଶ୍ୟକ ରହିଛି । ନିକଟରେ ଆମେ କରୋନା ମୁକାବିଲା ପାଇଁ ରାତାରାତି ୨ଟ୍ରିଲିୟନ୍ ଡଲାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣାରେ ସାକ୍ଷୀ ହୋଇଛୁ ।
ଯୁକ୍ତରାଜ୍ୟ( ଇଂଲଣ୍ଡ), ଦେଶର ଶ୍ରମଜୀବୀଙ୍କୁ ଏହିଭଳି ପ୍ୟାକେଜ୍ ଦ୍ଵାରା ୮୦ ପ୍ରତିଶତ ମଜୁରୀ/ଦରମା ଦେଇ ତାଙ୍କୁ ଘରେ ରହିବା ଲାଗି ଉତ୍ସାହିତ କରିଛନ୍ତି । ଜାପାନରେ ଜିଡିପିର ୨୦ ପ୍ରତିଶତ ଏଥିଲାଗି ଘୋଷଣା ହୋଇଛି । ଏହା ଆରମ୍ଭ ମାତ୍ର। ଆଗକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଡଲାର ଆବଶ୍ୟକ ପଡିବ ବୋଲି ଆମେ ଆକଳନ ବି କରିଛୁ । ତଥାପି ଆମେ ଋଣଗ୍ରହୀତାଙ୍କଠାରୁ ଋଣ ଆଦାୟ ସ୍ଥଗିତ କରିବା ପାଇଁ ଯୁକ୍ତି ବାଢ଼ୁଛୁ । ଏହାର ଅନେକ ଫାଇଦା ବାବଦରେ ଦେଶମାନଙ୍କୁ ବୁଝାଉଛୁ ବୋଲି ସେ କହିଛନ୍ତି ।
ମହାସଚିବ ମଧ୍ୟ ପୂର୍ବରୁ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ଘୋଷଣା କରାଯାଉଥିବା ଆର୍ଥିକ ପ୍ୟାକେଜ୍ ଯେପରି ସମସ୍ତଙ୍କୁ ନିଜନିଜ ଆର୍ଥିକ ସ୍ଥିତିକୁ ସୁଧାରିବା ଲାଗି ସହାୟକ ହେଉଛି ତାହା ନିଶ୍ଚିତକରିବା ଦରକାର । ‘ଆମେ ଅସ୍ତ୍ର ବିରତି ଚାହୁଁ, ଚାହୁଁ ପୁଣି ଲାଗୁ ହୋଇଥିବା ପ୍ରତିବନ୍ଧକର ପ୍ରତ୍ୟାହାର, ୧୦ ପ୍ରତିଶତ ହାରରେ ଜିଡିପି ଅଭିବୃଦ୍ଧି ଓ କୋଭିଡ ଟୀକା । କାରଣ ଏହା ଆମ ସମସ୍ତଙ୍କ ମଙ୍ଗଳ ପାଇଁ ନିହାତି ଜରୁରୀ । ପୁଣି ଯଦି କୋଭିଡ-୧୯ କୌଣସି ସ୍ଥାନରେ ରହିଛି, ତା’ ଅର୍ଥ ଏହା ସବୁ ସ୍ଥାନରେ ରହିଛି’ ବୋଲି ବିଚାର କରିବାକୁ ହେବ ବୋଲି ଅମିନା କହିଛନ୍ତି । କୋଭିଡ ମୁକାବିଲା କ୍ଷେତ୍ରରେ ଥିବା ସମ୍ମୁଖ ସୈନିକ ଯେମିତି ଡାକ୍ତର, ନର୍ସ ବା ସ୍ଵାସ୍ଥ୍ୟକର୍ମୀମାନଙ୍କ ଲାଗି ସ୍ଵତନ୍ତ୍ର ପ୍ରୋତ୍ସାହନ ଯୋଜନାଗୁଡିକୁ ଗୁରୁତ୍ଵ ଦେଇଛନ୍ତି ମହାସଚିବ ।
ଏହି ପରିସ୍ଥିତିରେ ସ୍ଵଳ୍ପ ଆୟକାରୀ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରମାନେ ଭୋଗୁଥିବା ଋଣ ପରିଚାଳନା ସମସ୍ୟା ବାବଦରେ ଟିପ୍ପଣୀ ଦେଇ ମହାସଚିବ କହିଛନ୍ତି,‘ଋଣ ପୁନର୍ଗଠନ ହେଉଛି ବର୍ତ୍ତମାନ ସମୟର ଆହ୍ବାନ। ଏଥିରେ ୨୦୨୦ ବର୍ଷ ପାଇଁ ତତ୍କ୍ଷଣିକ ଭାବରେ ସୁଧ ଛାଡ କରାଯିବା ଆବଶ୍ୟକ । ଋଣ ଭାରକୁ କୋହଳ କରିବା ଦ୍ଵାରା, ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରିବା ପାଇଁ ରାଷ୍ଟ୍ରଗୁଡିକ ସହାୟକ ହେବ । ଏହା ଭବିଷ୍ୟତର ଆର୍ଥିକ ବିପର୍ଯ୍ୟୟ ରୋକିବା ଲାଗି ସତର୍କ ଘଣ୍ଟି ତଥା ତାହାକୁ ମୁକାବିଲା କରିବା ପାଇଁ ଆବଶ୍ୟକ କଠୋର ପ୍ରତିକ୍ରିୟା ହେବ’ ।
ମାନବିକତା ଆଧାରରେ ସମଗ୍ର ବିଶ୍ଵକୁ ଏକ ପରିବାର ବୋଲି ଅନୁଭବ କରି ୪୦ଟି ଦେଶରେ ସଂକଟ ମୁକାବିଲା ପାଇଁ ଜାତିସଂଘ ୨ ବିଲିୟନ୍ ଡଲାର ସହାୟତା ଘୋଷଣା କରିଛନ୍ତି । ଏହା ଆଗକୁ ବଢ଼ାଇବା ସମ୍ଭାବନା ରହିଛି । ଏହିସବୁ ସହାୟତା ସେହି ଲୋକଙ୍କ ଲାଗି ଯେଉଁମାନେ ସମ୍ମୁଖ ଭାବରେ ରହି କୋବିଡ ମୁକାବିଲାରେ ସହାୟକ ହେଉଛନ୍ତି । ସେମାନେ କୋଭିଡ-୧୯ର ଅତିରିକ୍ତ ବୋଝ ନେଉଛନ୍ତି । ଆମେ ଭାବୁଛୁ ଏହି କଷ୍ଟକୁ ଦୂର କରିପାରିବୁ । ନହଲେ ଏହା ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବ ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଲୋକଙ୍କ ଜୀବନ ଆଶଙ୍କା ଭିତରକୁ ଠେଲି ହୋଇଯିବ ।