କୋଚି: କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ହୋଇଛି । ପାଇଲଟ ଓ କୋ-ପାଇଲଟଙ୍କ ସମେତ 19 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ 123ଜଣ ଯାତ୍ରୀ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେପଟେ ବିମାନର 4 କ୍ରୁ-ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଘଟଣାର ଅନୁସନ୍ଧାନ ପାଇଁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ କୋଝିକୋଡ ପହଞ୍ଚିଛନ୍ତି ।
ଦୁର୍ଘଟଣାରେ ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । 110 ଗୁରୁତର ଯାତ୍ରୀଙ୍କୁ କୋଝିକଡର ବିଭିନ୍ନ 7 ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ 11 ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା 80 ଜଣଙ୍କ ମଧ୍ୟରୁ 6 ଜଣଙ୍କର ମୃତ୍ୟୁ ଘଟିଛି । ଅନେକଙ୍କ ଅବସ୍ଥା ଏବେ ବି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ବିମାନରେ ସମୁଦାୟ 184 ଯାତ୍ରୀ ରହିଥିବାବେଳେ ସେଥିରୁ 174 ଜଣ ବୟସ୍କ ଓ 10 ଜଣ ଶିଶୁ ରହିଥିଲେ । ବିମାନର 6 କ୍ରୁ ମେମ୍ବରଙ୍କ ସମେତ ମୋଟ 190 ଯାତ୍ରୀ ରହିଥିଲେ ।
ସେପଟେ ଉଦ୍ଧାର କାର୍ଯ୍ୟ ସରିଥିବା ନେଇ ମଲ୍ଲାପୁରମ ଜିଲ୍ଲାପାଳ ଏ.ଗୋପାଳ କ୍ରିଷ୍ଣନ ସୂଚନା ଦେଇଛନ୍ତି । ଶେଷରେ ବିମାନର ଲାଞ୍ଜରେ ଫସି ରହିଥିବା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଇନ୍ଧନର ନିଆଁ ଲାଗିବାର ସମ୍ଭାବନା ଥିବାରୁ ସେମାନଙ୍କୁ ବାହାରକୁ ଆଣିବାରେ ବିଳମ୍ବ ହୋଇଥିଲା ।
ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଜିଲ୍ଲାରୁ 100ରୁ ଅଧିକ ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଏବଂ ଘରୋଇ ଯାନବାହନ ଯୋଗ ଦେଇଥିଲେ। ସରକାରୀ ବିଭାଗ ଯେପରିକି ଏନଡିଆରଏଫ, ଅଗ୍ନିଶମ ବାହିନୀ ଏବଂ ପୋଲିସ ମଧ୍ୟ ଉତ୍ତମ ସମନ୍ୱୟରେ କାର୍ଯ୍ୟ କରିଥିଲେ। ଜିଲ୍ଲାପାଳ କହିଛନ୍ତି ଯେ ଦେଢ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ଡାକ୍ତରଖାନା ପହଞ୍ଚା ଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କ ଲଗେଜକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛନ୍ତି।
ଶୁକ୍ରବାର ସନ୍ଧ୍ୟା 08.15 ସମୟରେ ଦୁବାଇରୁ କାଲିକଟ ଆସୁଥିବା ଏୟାର ଇଣ୍ଡିଆ ବିମାନ IX-1344 କେରଳ କରିପୁରସ୍ଥିତ କୋଝିକୋଡ ଠାରେ ରେନୱେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ବିମାନଟି ରେନୱେରୁ ଖସିଯାଇ 30 ଫୁଟ ଗଭୀର ଖାଲରେ ପଡି ଦୁଇ ଖଣ୍ଡ ହୋଇଥିଲା । ତେବେ ଭାଗ୍ୟବଶତଃ ବିମାନରେ ଅଗ୍ନିକାଣ୍ଡ ଘଟିନଥିଲା । ଏହି ବିମାନଟି ବନ୍ଦେ ଭାରତ ମିଶନ ଜରିଆରେ 190 ଯାତ୍ରୀଙ୍କୁ ନେଇ ଫେରିଥିଲା ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ସମସ୍ତ ଯାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ ପାଇଁ ମୁମ୍ବାଇ ଏବଂ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ରିଲିଫ ବିମାନର ବ୍ୟବସ୍ଥା କରିଛି । ସେପଟେ ଦୁର୍ଘଟଣାର ତଦନ୍ତ କରିବା ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ