ହାଇଦ୍ରାବାଦ : କୋଭିଡ ୧୯ ମହାମାରୀ ଡିଜିଟାଲ ସ୍ପେସରେ ଏକ ଝଡ ସୃଷ୍ଟି କରିଛି । ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଚିନ୍ତା କରାଯାଇ ପାରୁ ନ ଥିବା ବେଗରେ ଏହା ପ୍ରବେଶ କରିଛି।ସ୍ବଳ୍ପ ସମୟ ମଧ୍ୟରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ବୃଦ୍ଧି ଅନଲାଇନ୍ ସୁରକ୍ଷା ତ୍ରୁଟିର ବି ପର୍ଦ୍ଦାଫାଶ କରିଛି । କାରଣ ବ୍ୟକ୍ତିଗତ ୟୁଜରମାନଙ୍କ ଗୋପନୀୟତାର ସୁରକ୍ଷା ପ୍ରତି ଏକାଧିକ ବିପଦ ସୃଷ୍ଟି ହୋଇଛି ।
ସାଇବର କ୍ରାଇମ ଅପେକ୍ଷା ବିଗ୍ ଡାଟା, ଡାଟା ମାଇନିଂ, ଡାଟା ହାର୍ଭେଷ୍ଟିଂ,ଡାଟା ପ୍ରାଇଭେସୀ, ଡାଟା ବ୍ରିଚ୍ ଭଳି ଶବ୍ଦ ଭାରତୀୟ ଡିଜିଟାଲ୍ ୱାର୍ଲଡରେ ଆଲୋଚିତ ହୁଏ । କିନ୍ତୁ ଅନଲାଇନ ୟୁଜରମାନଙ୍କ ପାଇଁ ଯାହା ଗୁରୁତ୍ବପୂର୍ଣ୍ଣ,ତାକୁ ଯେ ଅଣଦେଖା କରାଯାଉଥିଲା, ତାହା ହ୍ବାଟ୍ସ ଆପ୍ର ପ୍ରସ୍ତାବିତ ଡାଟା ସେୟାରିଂ ନୀତି ପରିପ୍ରେକ୍ଷୀରେ ପଦାରେ ପଡିଯାଇଛି । ପ୍ରସ୍ତାବିତ ଡାଟା ସେୟାରିଂ ନୀତି ଦ୍ବାରା ହ୍ବାଟ୍ସ ଆପ୍ର ୟୁଜରଙ୍କ ଡାଟା ମୂଳ କମ୍ପାନୀ ଫେସବୁକ ସହ ସେୟାର କରିବ । କିନ୍ତୁ ଡାଟା ସାଇନ୍ସ ଆକ୍ଟିଭିଷ୍ଟ, ଏଥିକାଲ ହ୍ୟାକର୍ସ, ଇଣ୍ଟରନେଟ ରିସର୍ଚ୍ଚର ଓ ସରକାରଙ୍କ ମିଳିତ ଉଦ୍ୟମର ପରିଣାମ ସ୍ବରୂପ ହ୍ବାଟ୍ସ ଆପ୍ ଏବେ ନିଜର ପ୍ରସ୍ତାବିତ ନୀତି କାର୍ଯ୍ୟକାରିତାରୁ ପଛକୁ ହଟିଛି । ଏହାର ନୂଆ ପଲିସି ଅପଡେଟେସନ ଫେବ୍ରୁଆରୀ ୮ରୁ ମେ ୧୫ ତାରିଖକୁ ସ୍ଥଗିତ ରଖିଛି ।
ଡାଟା ପ୍ରାଇଭେସି ଓ ବ୍ୟକ୍ତିଗତ ଡାଟାର ସୁରକ୍ଷାରେ ଛିଦ୍ର କୌଣସି ନୂଆ କଥା ନୁହେଁ । ଅନଲାଇନ ସର୍ଭିସର ଗ୍ରାହକମାନଙ୍କ କ୍ଷେତ୍ରରେ ଡାଟା ସୁରକ୍ଷା ଓ ପ୍ରାଇଭାସୀ ରହେ ନାହିଁ । ବିଶ୍ବର ଯେ କୌଣସି ଲୋକ ଡାଟା ଲିକ୍ ଓ ଡାଟା ବ୍ରିଚର ସମ୍ମୁଖୀନ ହୋଇପାରେ । ତେବେ, ଡାଟା ଲିକ୍ର ସାମ୍ନା କରିଥିବା ବ୍ୟକ୍ତି ପ୍ରତି ପ୍ରଚଳିତ ଆଇନ୍ର ମନୋଭାବ କିଭଳି ରହୁଛି, ତାହା ଦେଖିବା ଦରକାର । ଭାରତରେ ଡାଟା ଗୋପନୀୟତା ଓ ସୁରକ୍ଷା ବଜାୟ ରଖିବା ପାଇଁ କିଛି ନିର୍ଦ୍ଦିଷ୍ଟ ନୀତି, କଡା ଆଇନ ନାହିଁ ବୋଲି ସାଇବର ଏକ୍ସପର୍ଟମାନେ କହିଆସୁଛନ୍ତି । ଏହାଛଡା ନିଜର ଡିଜିଟାଲ ଗୋପନୀୟତା ସୁରକ୍ଷିତ ରଖିବା ପାଇଁ ଲୋକେ ସେତେ ଆଗ୍ରହୀ ନୁହଁନ୍ତି ।
ହୁଟସୁଟ୍ ନାମକ ଏକ ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ ପ୍ଲାଟଫର୍ମ ଅନୁସାରେ ସାରା ବିଶ୍ବରେ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ୪ ଦଶମିକ ୬୬ ବିଲିଅନରେ ପହଞ୍ଚି ସାରିଲାଣି । ଏହି ସଂଖ୍ୟା ବିଶ୍ବ ଜନସଂଖ୍ୟାର ୫୩ ପ୍ରତିଶତ । ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଶ୍ବରେ କିଭଳି ଦ୍ରୁତ ଗତିରେ ଡାଟା ସୃଷ୍ଟି ହେଉଛି । ବିଭିନ୍ନ ସଙ୍ଗଠନ କିଭଳି ଢାଞ୍ଚାଗତ ଓ ଅଣ ଢାଞ୍ଚାଗତ ଡାଟା ମାଇନିଂ କରି ବ୍ୟବସାୟିକ ଫାଇଦା ପାଇଁ ବ୍ୟବହାର କରିପାରିବେ, ସେ ବାବଦରେ ନିରନ୍ତର ବିଶ୍ଳେଷଣର ଆବଶ୍ୟକତା ରହିଛି । ଡିଜିଟାଲ ବିଜ୍ଞାପନ ଡାଟା, ଇଣ୍ଟରନେଟ ରିସର୍ଚ୍ଚ ପେଟେର୍ଣ୍ଣ, ଗେମିଂ ,ଟ୍ରାଭେଲ ଏରିଆ, ହେଲଥକେୟାର, କମ୍ୟୁନିକେସନ , ରିଟେଲ୍ ଫାଇନାନସିଆସ ସର୍ଭିସ ଓ ଏଜୁକେସନ ଡାଟା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।
ଏସବୁ ବ୍ୟକ୍ତିଗତ ଡାଟାର ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି । ଏକବିଂଶ ଶତାବ୍ଦୀରେ ଡାଟାକୁ ହିଁ ‘ନିଉ ଅଏଲ’ ବୋଲି କୁହାଯାଉଥିବା ବେଳେ ଡାଟା ମାଇନିଂ ଓ ଡାଟା ପ୍ରାଇଭାସୀ ଭଳି ଶବ୍ଦ ବି ଗୁରୁତ୍ବପୂର୍ଣ୍ଣ ହାସଲ କରିଛି ।
ଡାଟା ପ୍ରାଇଭେସି କ’ଣ ?
ଆର୍ଥିକ କାରବାର, ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଏଭଳି ଅନ୍ୟ ସେବା ପାଇଁ ଗ୍ରାହକମାନେ ସେମାନଙ୍କ ନାଁ, ବୟସ ଓ ଠିକଣା ଭଳି କିଛି ମୌଳିକ ତଥ୍ୟ ସେୟାର କରନ୍ତି । କିଭଳି ଓ କେତେ ସୀମା ଯାଏଁ ୟୁଜର ନିଜ ନିଜର ବ୍ୟକ୍ତିଗତ ସୂଚନା ଇଣ୍ଟରନେଟ ଅନ୍ୟମାନଙ୍କ ପାଇଁ ସେୟାର କରିପାରିବେ ,ତାହା ହିଁ ଡାଟା ପ୍ରାଇଭାସୀ ।
ଡାଟା ବ୍ରିଚ୍ କେତେ ବିପଦପୂର୍ଣ୍ଣ ?
ଆଜିର ଡିଜିଟାଲ ଯୁଗରେ ଡାଟା ପ୍ରାଇଭାସୀ ପ୍ରାୟତଃ ଏକ ମିଥ୍ୟା ନାମ ଭଳି ଲାଗୁଛି । କାରଣ ଆମମାନଙ୍କ ମଧ୍ୟରୁ ଅନେକ ନିଜର ବ୍ୟକ୍ତିଗତ ଡାଟା ଆମର ସେବା ପ୍ରଦାନକାରୀଙ୍କୁ ଦେଇସାରିଛେ। ଏହାର ଅର୍ଥ ନୁହେଁ ଯେ, ଆମେ ସେୟାର କରିଥିବା ଡାଟା ଲିକ୍ ହେବ । । ଉଭୟ ଉଦ୍ଦେଶ୍ୟମୂଳକ ଓ ଉଦ୍ଦେଶ୍ୟବିହୀନ ଭାବେ ଡାଟା ବ୍ରିଚ୍ ହୋଇପାରେ । କିନ୍ତୁ ଏହା ଦେଖିବା ସର୍ଭିସ ପ୍ରୋଭାଇଡରର କାମ ।
ଯେବେ ଉଦ୍ଦେଶ୍ୟ ସନ୍ଦେହ ଘେରକୁ ଆସେ
ଆମକୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଗତ ସୂଚନା ସେୟାର କରିବାକୁ ପଡୁଥିଲେ ମଧ୍ୟ କିଛି ଆପ୍ ସୀମା ଲଂଘି ୟୁଜରଙ୍କ ଠାରୁ ଆବଶ୍ୟକରୁ ଅଧିକ ତଥ୍ୟ ସଂଗ୍ରହ କରି ତାହା ତୃତୀୟ ପକ୍ଷକୁ ଯୋଗାଇଥାନ୍ତି । ଇଣ୍ଟରନେଟ ସିକ୍ୟୁରିଟି ରିସର୍ଚ୍ଚର ରାଜଶେଖର ରାଜହରିଆ ୨୦୨୦ରେ ଦୁଇଟି ପ୍ରମୁଖ ଡାଟା ଲିକ୍ର ଉଦାହରଣ ଦିଅନ୍ତି ।
ଗତବର୍ଷ ମେ’ ମାସରେ ସାଇବର ସିକ୍ୟୁରିଟି କମ୍ପାନୀ ‘ସାଇବଲ’ ପକ୍ଷରୁ କୁହାଯାଇଥିଲା ଯେ, ଜଣେ ହ୍ୟାକର ହ୍ୟାକିଂ ଫୋରମରେ ୨ ଦଶମିକ ୩ ଜିବି ( ଜିପ୍ପଡ୍ ) ଫାଇଲ୍ ଜାରି କରିଥିଲା । ଚାକିରୀ ଆଶାୟୀ ତିନି କୋଟି ଭାରତୀୟଙ୍କ ବିସ୍ତୃତ ବ୍ୟକ୍ତିଗତ ଏହି ଫାଇଲରେ ଥିଲା । ନୂଆଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗଳୁରୁର ଚାକିରୀ ଆଶାୟୀଙ୍କ ଇମେଲ, କଣ୍ଟାକ୍ଟ ଡିଟେଲ୍, ଠିକଣା, ଯୋଗ୍ୟତା, ଅଭିଜ୍ଞତା ଭଳି ତଥ୍ୟ ଜାରି କରିଦିଆଯାଇଥିଲା । ରିଜ୍ୟୁମ ଆଗ୍ରିଗ୍ରେଟର ସର୍ଭିସରୁ ଏହି ଡାଟା ଉତ୍ପତ୍ତି ହୋଇଥିଲା ବୋଲି ସାଇବଲ୍ ନିଜର ବ୍ଲଗରେ ଉଲ୍ଲେଖ କରିଥିଲା ।
୨୦୨୦ ମସିହା ଡିସେମ୍ବର ମାସରେ ୭୦ ଲକ୍ଷ ଭାରତୀୟ ଡେବିଟ ଓ କ୍ରେଡିଟ କାର୍ଡ ହୋଲଡରଙ୍କ ଫୋନ ନମ୍ବର, ଇମେଲ ଆଇଡି ଭଳି ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବରେ ଜାରି ହୋଇଥିବା ନେଇ ରାଜହରିଆ ସୂଚନା ଦେଇଥିଲେ । ଏସବୁ ତଥ୍ୟ ଥାର୍ଡ ପାର୍ଟି ସର୍ଭିସ ପ୍ରୋଭାଇଡରଙ୍କ ପକ୍ଷରୁ ଜାରି ହୋଇଥାଇପାରେ ବୋଲି ରାଜହରିଆ କହିଥିଲେ ।
ଉଦ୍ଦେଶ୍ୟବିହୀନ, କିନ୍ତୁ କ୍ଷତିକାରକ
ୟୁଜରମାନଙ୍କ ଡାଟା ଗୋପନ ରଖିବାକୁ ଅନଲାଇନ ସର୍ଭିସ ପ୍ରୋଭାଇଡର ବା ଆପ୍ ମାନେ ସେତେ ଯତ୍ନଶୀଳ ନୁହଁନ୍ତି ବା ଡାଟାର ସୁରକ୍ଷା ବଜାୟ ପାଇଁ ସେମାନଙ୍କର ସାମର୍ଥ୍ୟ ନାହିଁ । ଯାହା ଫଳରେ ୟୁଜରମାନଙ୍କ ଡାଟା ଲିକ୍ ହୋଇଯାଏ । ଏସବୁ ଆପ୍ ହ୍ୟାକରମାନଙ୍କ ଶିକାର ହୋଇଥାନ୍ତି ।
ନିକଟରେ ଗୁଗୁଲରେ ହଜାରରୁ ଅଧିକ ହ୍ବାଟ୍ସ ଆପ୍ ଗ୍ରୁପ୍ ଲିଙ୍କ୍ ୱେବ ରିସର୍ଚ୍ଚ ଜରିଆରେ ମିଳିପାରିବ ବୋଲି ଏକ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଥିଲା । ଏସବୁ ଲିଙ୍କ୍କୁ ପାଥେୟ କରି ଯେକୌଣସି ବ୍ୟକ୍ତି ହ୍ବାଟ୍ସ ଆପ୍ ପ୍ରାଇଭେଟ ଚାଟ୍ରେ ନିଜକୁ ସାମିଲ କରିପାରିବ ବୋଲି ରାଜହରିଆ ଏକ ଟ୍ବିଟ କରି ସୂଚନା ଦେଇଥିଲେ । ତୃତୀୟ ଥର ଲାଗି ଏଭଳି ତଥ୍ୟ ପ୍ରଘଟ ହୋଇଥିଲା । ମୋବାଇଲ୍ ନମ୍ବର ଓ ହ୍ବାଟ୍ସ ଆପ ୟୁଜରଙ୍କ ମ୍ୟାସେଜ ଗୁଗୁଲ ଦ୍ବାରା ଇଂଡେକ୍ସ ହେଉଛି । କିନ୍ତୁ ଦୁଃଖର କଥା ଯେ, ହ୍ବାଟ୍ସ ଆପ୍ କି ଗୁଗୁଲ ଡାଟା ଲିକେଜ୍ ପ୍ରତି ଗମ୍ଭୀର ନୁହଁନ୍ତି । ଦି ୱାର୍ଲଡ ଇକୋନୋମିକ ଫୋରମ –ଡବ୍ଲୁଇଏଫର ଗ୍ଲୋବାଲ ରିସ୍କସ ରିପୋର୍ଟ-୨୦୧୯ ଅନୁସାରେ ଆଧାର ଡିଜିଟାଇଲ ବେଳେ ହିଁ ଭାରତରେ ବଡ ଧରଣର ଡାଟା ବ୍ରିଚ୍ ହୋଇଥିଲା ।
ଡାଟା ସୁରକ୍ଷା ଆଇନ
ୟୁନାଇଡେଟ୍ ନେସନ୍ସ କନଫରେନ୍ସ ଅନ୍ ଟ୍ରେଡ୍ ଆଣ୍ଡ୍ ଡେଭଲପମେଣ୍ଟ -ୟୁଏନଆଇସିଏଡି ଅନୁସାରେ ୧୯୫ରୁ ୧୨୮ଟି ଦେଶରେ ଡାଟା ଗୋପନୀୟତା ଓ ସୁରକ୍ଷା ପାଇଁ ଆଇନ୍ ରହିଛି । ୟୁରୋପୀୟ ସଂଘର ଜେନେରାଲ ଡାଟା ପ୍ରୋଟେକସନ ରେଗୁଲେସନ ( ଜିଡିପିଆର୍ ) ବିଶ୍ବର ସବୁଠାରୁ କଡା ଗୋପନୀୟତା ଓ ସୁରକ୍ଷା ଆଇନ ବୋଲି ସୁପ୍ରିମକୋର୍ଟ ଆଇନଜୀବୀ ତଥା ‘ସାଇବର ସାଥୀ’ର ପ୍ରତିଷ୍ଠାତା ଏନ.ଏସ ନାପିନାନି କହିଛନ୍ତି । ୨୦୧୮ ମସିହା ମେ ୨୫ ତାରିଖରେ ୟୁରୋପୀୟ ସଂଘର ଏହି ନିୟାମକ କାର୍ଯ୍ୟକାରୀ ହୋଇଛି । ଯଦି କେହି ଏହାର ଗୋପନୀୟତା ଓ ସୁରକ୍ଷା ମାନକ ଉଲ୍ଲଂଘନ କରେ ତାହା ହେଲେ ଜିଡିପିଆର୍ ଅନୁସାରେ ଭାରି ଜୋରିମାନା ଲଗାଇପାରିବ ।
ଭାରତରେ ଡାଟା ସୁରକ୍ଷା ଆଇନ
ଭାରତରେ ଡାଟା ଗୋପନୀୟତା ଓ ସୁରକ୍ଷା ପାଇଁ ସେମିତି କିଛି କଡା ଆଇନ ନାହିଁ । ବହୁଚର୍ଚ୍ଚିତ ପର୍ସନାଲ ଡାଟା ପ୍ରୋଟେକସନ ( ପିଡିପି ) ବିଲ୍ ୨୦୧୯ ଡାଟା ଗୋପନୀୟତା ଓ ସୁରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଦାବି କରାଯାଉଥିଲା । ଯୁଗ୍ମ ସଂସଦୀୟ କମିଟି, ଏହି ବିଲ୍ର ସମୀକ୍ଷା କରିବା ପରେ ଏଥିରେ ସଂଶୋଧନ ହୋଇଛି । ଯୁଗ୍ମ ସଂସଦୀୟ କମିଟି-ଜେପିସିର ସୁପାରିଶ ସଂସଦର ବଜେଟ୍ ଅଧିବେଶନର ଉପସ୍ଥାପିତ ହେବାର ସମ୍ଭାବନା ରହିଛି ।
ବର୍ତ୍ତମାନ ପ୍ରଚଳିତ ଥିବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ( ୨୦୦୦ ) ଅନୁସାରେ ଡାଟା ଗୋପନୀୟତା ଓ ସୁରକ୍ଷା ପାଇଁ କିଛି କଡା ବ୍ୟବସ୍ଥା ରହିଛି । ଏହି ଆଇନ ଅନୁସାରେ ଡାଟା ବ୍ରିଚ୍ ବିରୋଧରେ ପଦକ୍ଷେପ ନିଆଯାଇପାରିବ । ଧାରା ୪୩ ‘କ’ ବା ୭୨ (ଇ) ଅନୁସାରେ ୟୁଜର ଫୌଜଦାରୀ ମୋକଦ୍ଦମା ଦାୟର କରିପାରିବେ ।
ଭାରତରେ ଏକ ଦୃଢ ୟୁଜର ଓରିଏଣ୍ଟେଡ ଡାଟା ଆଇନ ଯଦି ପ୍ରଣୟନ ହେଉ ନାହିଁ , ତାହା ହେଲେ ୟୁଜରମାନଙ୍କୁ କିଛି ସତର୍କତାମୂଳକ ପଦକ୍ଷେପ ନେବାକୁ ପଡିବ । ଆଇପି ଆଡ୍ରେସ, ଲୋକେସନ, ଆର୍ଥିକ ବିବରଣୀ ଅତି ସତର୍କତାର ସହ ସେୟାର କରିବାକୁ ପଡିବ । କୌଣସି ସେବା ପାଇଁ ତରବରିଆ ଭାବେ ସାଇନ୍ ଅପ୍ କରିବା ଉଚିତ ନୁହେଁ । ଆପ୍ ଇନଷ୍ଟଲ୍ କ୍ଷେତ୍ରରେ ବି ସତର୍କ ରହିବାକୁ ପଡିବ । ଲୋକପ୍ରିୟ ସୋସିଆଲ ମିଡିଆରେ ଫାଇନାନସିଆଲ ଲଗଇନ୍ ତଥ୍ୟ, ପାସୱାର୍ଡ ଓ ସମ୍ବେଦନଶୀଳ ସୂଚନା ପୋଷ୍ଟ କରିବା ଅନୁଚିତ । କାହିଁକି ନା, ହ୍ୟାକରମାନେ ଟିକିଏ ଅସାବଧାନାତାର ଫାଇଦା ଉଠାଇଥାଆନ୍ତି । ତେବେ ପରିସ୍ଥିତି ଯାହା ହେଲାଣି ନା, ଭାରତରେ କଠୋର ଦଣ୍ଡବିଧାନ ଥାଇ ଏକ କଡା ଡାଟା ଗୋପନୀୟତା ଓ ସୁରକ୍ଷା ଆଇନର ଆବଶ୍ୟକତା ଅନୁଭୂତ ହେଉଛି ।