ପ୍ରତିକାତ୍ମକ ଭାବେ ଚୀନର 59ଟି ମୋବାଇଲ୍ ଆପ୍ ଉପରେ ଜାରି ନିଷେଧାଦେଶର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ରହିଛି ସତ, କିନ୍ତୁ ବାସ୍ତବରେ ଏଥିରୁ କ’ଣ ହାସଲ ହୋଇପାରେ ତାହା ଅତ୍ୟନ୍ତ ସନ୍ଦେହଜନକ । ଚୀନକୁ ଜବାବ ଦେବା ପାଇଁ ହେଲେ ଭାରତକୁ ଏକ ଦୀର୍ଘକାଳୀନ ରଣନୀତି ଭିତ୍ତିକ ଦୃଷ୍ଟିକୋଣ ଅବଲମ୍ବନ କରିବାକୁ ହେବ ବୋଲି କହନ୍ତି ଓଆର୍ଏଫ୍ (ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍) ଅଧ୍ୟକ୍ଷ ସୁଞ୍ଜୟ ଯୋଶୀ । ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ବାର୍ତ୍ତାଳାପ ଅବସରରେ ଯୋଶୀ ସତର୍କ କରାଇ ଦେଇଛନ୍ତି ଯେ, ସାମଗ୍ରୀ ଯୋଗାଣ ଶୃଙ୍ଖଳକୁ ରାତାରାତି ଛିନ୍ନ କରିବା ଅସମ୍ଭବ କାମ ଏବଂ ଏକ ତ୍ବରିତ ପ୍ରତିକ୍ରିୟା ଭାବରେ ‘ମେଡ୍ ଇନ୍ ଚାଇନା’କୁ ବର୍ଜନ କରିବାର ପ୍ରୟାସ ଯୋଗୁଁ ‘ମେକ୍ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଠପ ହୋଇଯାଇପାରେ । ଯୋଶୀ ଆହୁରି କହିଛନ୍ତି ଯେ, ଦେଶରେ ଶିଳ୍ପ ସଂସ୍ଥାଗୁଡ଼ିକର ଉତ୍ପାଦନ ବାବଦ ଖର୍ଚ୍ଚ ହ୍ରାସ କରିବା ଲାଗି ସରକାର ଏକ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି କରିବା ଆବଶ୍ୟକ ଏବଂ ଉଭୟ ସରକାର ଓ ଶିଳ୍ପ ସଂସ୍ଥା ପରସ୍ପରକୁ ବିଶ୍ବାସ କରିବା ଦରକାର । ସେ ଏହା ମଧ୍ୟ କହିଛନ୍ତି ଯେ, ଆମଦାନି କ୍ଷେତ୍ରରେ ଚୀନ ଉପରେ ନିର୍ଭର ନ କରି ତାଇୱାନ କିମ୍ବା ଭିଏତନାମ ଭଳି ଦେଶ ଉପରେ ନିର୍ଭର କରିବା ଦ୍ବାରା ବିଭିନ୍ନ ସାମଗ୍ରୀରେ ଚୀନର ଗୁଣାତ୍ମକ ମହତ୍ତ୍ବର ଛାପ ରହିବନି ବୋଲି କହିହେବ ନାହିଁ । ସଂପ୍ରତି ଏକ ସର୍ବବ୍ୟାପୀ ମହାମାରୀର ପ୍ରକୋପ ଯୋଗୁଁ ଜୀବନ ଓ ଜୀବିକାର ମୂଲ୍ୟ ଖୁବ ଅଧିକ ହୋଇଥିବା ସମୟରେ ଚୀନ ପ୍ରତି ଭାରତର ଏକ ବାସ୍ତବବାଦୀ ଦୃଷ୍ଟିକୋଣ ରହିବା ନିହାତି ଆବଶ୍ୟକ । ଅନ୍ୟଥା ଭାରତ ନିଜେ ନିଜ ଅର୍ଥନୀତିର କ୍ଷତିସାଧନ କରିପାରେ ବୋଲି ଏହି ବିଶିଷ୍ଟ ରଣନୀତି ବିଶେଷଜ୍ଞ କହିଛନ୍ତି । ଏଠାରେ ସଂପୂର୍ଣ୍ଣ ସାକ୍ଷାତକାର ଦିଆଗଲା ।
ପ୍ରଶ୍ନ- ଭାରତ ସରକାରଙ୍କ ଦ୍ବାରା ଚୀନ୍ର 59ଟି ଆପ୍ ଉପରେ ନିଷେଧାଦେଶ କ’ଣ କେବଳ ପ୍ରତୀକବାଦ ନା ବାସ୍ତବ ଅର୍ଥରେ ଏହା ଚୀନକୁ ଆଘାତ ଦେଇଛି ?
ଗୋଟିଏ ଭାଗରୁ ଏହି ସଂକେତ ମିଳେ, କିନ୍ତୁ ଏଥିରୁ କେତେ ବେଶୀ ସୁଫଳ ହାସଲ ହୋଇପାରିବ ତାହା ଅତି ସନ୍ଦେହଜନକ ବିଷୟ । ଏଥିରେ ବହୁ ମାତ୍ରାରେ ପ୍ରତୀକବାଦ ଜଡ଼ିତ । କିନ୍ତୁ ଏଭଳି ଶତ୍ରୁତାପୂର୍ଣ୍ଣ ସ୍ଥିତିରେ ସଂକେତ ପ୍ରଦାନ ଏବଂ ପ୍ରତୀକବାଦର ବି ଯଥେଷ୍ଟ ଗୁରୁତ୍ବ ରହିଛି । ଆସନ୍ତାକାଲି ହିଁ ଚୀନ ସହିତ ସାମଗ୍ରୀ ଯୋଗାଣ ଶୃଙ୍ଖଳ ଛିନ୍ନ କରିଦେବା ଏବଂ ଚୀନ ଉପରେ ଆଦୌ ନିର୍ଭର ନ କରି ତା ସହ ସମସ୍ତ ସଂପର୍କ କାଟି ଦେବା କଥା ଆପଣ ଯଦି କହନ୍ତି, ତେବେ ତାହା ସମ୍ଭବ ନୁହେଁ । ମୁଁ ଭାବୁନି ଯେ, କେହି ସେ ଦିଗରେ ଉଦ୍ୟମ କରିବେ କିମ୍ବା, ଏମିତିକି ସେ ବିଷୟରେ ଗମ୍ଭୀରତାର ସହ ଚିନ୍ତା କରିବେ । ଆମକୁ ପ୍ରତୀକ ହଟାଇଦେବାକୁ ହେବ ଏବଂ ବସ୍ତୁ ସଂପର୍କରେ ଭାବିବାକୁ ହେବ । ଆପଣ ଯଦି ଜଣେ ପଡ଼ୋଶୀ ସହିତ ରଣକୌଶଳ ଭିତ୍ତିକ ଲଢ଼େଇରେ ସଂପୃକ୍ତ ଅଛନ୍ତି କିମ୍ବା ଏକ ରଣକୌଶଳ ଭିତ୍ତିକ ସଂପର୍କ ରଖିଛନ୍ତି, ତେବେ ଏହା ଏକ ଦୀର୍ଘକାଳୀନ ପ୍ରକଳ୍ପ ଏବଂ ଏଥିପାଇଁ ଯୋଜନା ଓ ଚିନ୍ତନ ଆବଶ୍ୟକ । ରୋମ୍ ଗୋଟିଏ ଦିନରେ ଗଢ଼ା ହୋଇ ନଥିଲା । ଠିକ୍ ସେମିତି କୌଣସି ଯୋଗାଣ ଶୃଙ୍ଖଳ ବି ଦିନକରେ ସ୍ଥାପିତ ହୋଇନାହିଁ । ବାଇଜୁ ହେଉ କି ପେଟିଏମ୍, ଅନେକ ବର୍ଷ ଧରିଭାରତରେ ଚୀନର ପୁଞ୍ଜିନିବେଶର ଧାରା ଅବିରତ ରହିଆସିଛି । ଆପଣଙ୍କ ଅର୍ଥବ୍ୟବସ୍ଥାରେ ଚୀନ ଗଭୀର ଭାବରେ ସଂପୃକ୍ତ । ତେଣୁ ରାତାରାତି ତାହା ଛିନ୍ନ ହେବ ନାହିଁ । କେବଳ ଭାରତ ନୁହେଁ, ସାରା ବିଶ୍ବ ଏହି ସ୍ଥିତି ସହ ସଂଘର୍ଷରତ । ଆମକୁ ପ୍ରତୀକ, ବସ୍ତୁ ଏବଂ ସଂକେତ ପ୍ରଦାନକୁ ତିନିଟି ଭିନ୍ନ ଭିନ୍ନ ବିଷୟ ରୂପେ ବିଚାର କରିବାକୁ ହେବ ଏବଂ ଆମେ ବସ୍ତୁ ସଂପର୍କିତ ଯେ କୌଣସି କାର୍ଯ୍ୟ କରିବା, ବାସ୍ତବରେ ତାହାର ହିଁ ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ।
ପ୍ରଶ୍ନ- 2019ରେ ସାରା ବିଶ୍ବରୁ ଟିକ୍ଟକ୍ର ରାଜସ୍ବ ଆଦାୟ 17 ବିଲିଅନ୍ (ଶହ କୋଟି) ଆମେରିକୀୟ ଡଲାର ହୋଇଥିଲା ଏବଂ ଭାରତରେ ଏହି ଆପ୍ ବହୁସଂଖ୍ୟାରେ ଡାଉନ୍ଲୋଡ୍ ହୋଇଥିବା ସତ୍ତ୍ବେ ରାଜସ୍ବ ଆଦାୟ କେବଳ 0.03 ପ୍ରତିଶତ ରହିଥିଲା । ଏହା ବାସ୍ତବରେ କେମିତି ଚୀନକୁ ଆଘାତ ଦେବ ନା ଏକ ବିଶ୍ବ ମହାମାରୀ ଜନିତ ଅନ୍ଧକାର ଘୋଟି ଆସିଥିବା ସମୟରେ କେବଳ ଏହି ସବୁ କମ୍ପାନି ଦ୍ବାରା ନିଯୁକ୍ତିପ୍ରାପ୍ତ କର୍ମଚାରୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେବେ ?
ଆପ୍ରେ ପରିପୂର୍ଣ୍ଣ ଏକ ବିଶ୍ବରେ ଗୋଟିଏ ଅନ୍ୟଟିର ସ୍ଥାନପୂରଣ କରିବାର ଅନେକ ସମ୍ଭାବନା ରହିଛି । ଭାରତ ଏ କ୍ଷେତ୍ରରେ ଏତେ ପଛରେ ପଡ଼ିନାହିଁ । ସାରା ବିଶ୍ବରେ ଭାରତୀୟମାନେ ହିଁ ସବୁଠାରୁ ଅଧିକ ଆପ୍ ପ୍ରସ୍ତୁତ କରୁଛନ୍ତି ଏବଂ ସେମାନେ ହିଁ ସବୁଠାରୁ ଅଧିକ ଆପ୍ ଡାଉନ୍ଲୋଡ କରୁଛନ୍ତି । ମୋ ପାଇଁ ଅଧିକ ଉଦ୍ବେଗର ବିଷୟ ହେଲା ଯେ, ଆମେ ଯେତେବେଳେ ବଡ଼ ବଡ଼ ଯୋଗାଣ ଶୃଙ୍ଖଳ ଛିନ୍ନ କରିବା ସଂପର୍କରେ କହୁ, ପ୍ରକୃତରେ ଆମେ ବଡ଼ ବଡ଼ ସମସ୍ୟା ଭିତରକୁ ଟାଣି ହୋଇଯାଉ । ଆପଣଙ୍କର 70 ପ୍ରତିଶତ ‘ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନ୍ଗ୍ରେଡିଏଣ୍ଟ୍ସ’ ବା ଔଷଧର ମୂଳ ଉପାଦାନ ଏବେ ଚୀନରୁ ଆସୁଛି । ସେଗୁଡ଼ିକ କାହିଁକି ଚୀନରୁ ଆସୁଛି ବୋଲି ବହୁତ ବର୍ଷ ତଳୁ ଆମେ ପ୍ରଶ୍ନ କରିବା କଥା । ଆପଣ ଏବେ ହଠାତ ସେହି ଯୋଗାଣ ଉପରେ ନିର୍ଭରଶୀଳତାକୁ ବନ୍ଦ କରି ଦେଇପାରିବେ ନାହିଁ । ଠିକ୍ ସେହିଭଳି ମୋବାଇଲ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ କ୍ଷେତ୍ରରେ ମଧ୍ୟ ଆଜି ଯଦି ଆପଣ ଚୀନରୁ ସାମଗ୍ରୀ ଯୋଗାଣକୁ ବନ୍ଦ କରିଦିଅନ୍ତି, ତେବେ, ‘ମେଡ୍ ଇନ୍ ଚାଇନା’ ବନ୍ଦ କରିବା ଦ୍ବାରା ବାସ୍ତବରେ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରଭାବିତ ହେବ । ଆପଣଙ୍କର ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଠପ ହୋଇଯିବ । ଏଭଳି ଏକ ସର୍ବବ୍ୟାପୀ ମହାମାରୀ ସମୟରେ, ଯେତେବେଳେ ଆପଣଙ୍କର ନିଯୁକ୍ତି କ୍ଷେତ୍ରରେ ସମସ୍ୟ ରହିଛି, ଅର୍ଥବ୍ୟବସ୍ଥାକୁ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି, ପ୍ରକୃତପକ୍ଷରେ ଆପଣ ଚୀନ ତୁଳନାରେ ନିଜେ ନିଜର ଅଧିକ କ୍ଷତି କରୁଛନ୍ତି । ତେଣୁ ଏ ସବୁ ସଂପର୍କରେ ଆମକୁ ଚିନ୍ତା କରିବାକୁ ପଡ଼ିବ । ଚୀନକୁ ପ୍ରତିହତ କରିବାକୁ ହେଲେ ଆମେ ରଣକୌଶଳ ଭିତ୍ତିରେ ଦୀର୍ଘସୂତ୍ରୀ ଦୃଷ୍ଟିକୋଣରୁ ଏହା କରିବା ଆବଶ୍ୟକ । ପ୍ରତୀକବାଦ ଏବଂ ସଂକେତ ପ୍ରେରଣ ଏହାର ଏକ ଅଂଶ ଏବଂ ହୋହଲ୍ଲା କରିବା, ଟିଆର୍ପି ବଢ଼ାଇବା ଏବଂ ନାଟକବାଜି ପାଇଁ ଏହା ଭଲ । କିନ୍ତୁ ବିନା ଯୋଜନାରେ ମୌଳିକ ସ୍ତରରେ ଏହା କରାଯାଇପାରିବ ନାହିଁ ।
ପ୍ରଶ୍ନ-ସୁରକ୍ଷା ସଂପର୍କିତ ଉଦ୍ବେଗର ଆଧାର ରହିଛି କି ?
ଗୁଇନ୍ଦା ତଥ୍ୟ କ୍ଷେତ୍ରରେ ଚୀନ୍ର ବିଭିନ୍ନ ଆପ୍ରୁ ବିପଦ ସମ୍ଭାବନା ରହିଥିବା ବିଷୟରେ ଆମେରିକାରୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିବା ସଂପର୍କିତ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ, ଏ ବର୍ଷ ମାର୍ଚ୍ଚରେ ଲୋକସଭାରେ ଗୃହରାଜ୍ୟ ମନ୍ତ୍ରୀ ଜି.କିଷନ ରେଡ୍ଡି ଏହାକୁ ଅସ୍ବୀକାର କରିବା ସହିତ ଚୀନର ଆପ୍ ଉପରେ ନିଷେଧାଦେଶ ଜାରି କରିବାର ଯୋଜନା ନାହିଁ ବୋଲି କହିଥିଲେ । ଏବେ, ପ୍ରାୟ 100 ଦିନ ପରେ ସୁରକ୍ଷା କାରଣରୁ ଏହି ଆପ୍ଗୁଡ଼ିକୁ ନିଷେଧ କରାଯାଇଥିବା କଥା କୁହାଯାଇଛି । ଚୀନର ହେଉ କି ଆମେରିକାର, ଉଭୟ ଆପ୍ ଓ ହାର୍ଡୱେୟାର କ୍ଷେତ୍ରରେ ସୁରକ୍ଷା ପ୍ରସଙ୍ଗ ଜଡ଼ିତ । ସର୍ବୋତ୍ତମ ସମାଧାନ ପନ୍ଥା ହେଉଛି ଯେ ଆପଣ ସବୁ କିଛି ଭାରତରେ ପ୍ରସ୍ତୁତ କରନ୍ତୁ । ତାହେଲେ ଆପଣଙ୍କର ନିଜସ୍ବ ବ୍ୟବସ୍ଥା ଥିବ ଏବଂ ମୂଳରୁ ଶେଷ ଯାଏ ସବୁକଥା ଆପଣଙ୍କ ନିୟନ୍ତ୍ରଣରେ ରହିଥିବ । କିନ୍ତୁ ତାହା ନ କରିବା ପର୍ଯ୍ୟନ୍ତ ଆପଣଙ୍କୁ କାହାରି ନା କାହାରି ଉପରେ ନିର୍ଭର କରିବାକୁ ପଡ଼ିବ । ଏଥିରେ ଯାଞ୍ଚ କରିବା ଭଳି ସମାଧାନର ବାଟ ରହିଛି । ହେଲେ ଇସ୍ରାଏଲ, ରୁଷ ଭଳି ଦେଶର ଯାଞ୍ଚ କ୍ଷମତା ରହିଛି ଏବଂ ଅନ୍ୟାନ୍ୟ ଦେଶ ବି ଏହାକୁ ପ୍ରସ୍ତୁତ କରୁଛନ୍ତି, ଯାହା କି ଆପଣଙ୍କର ନାହିଁ । ସୁରକ୍ଷା ଦିଗ ସଂପର୍କିତ ପ୍ରଶ୍ନର ସମାଧାନ ରହିଛି । ଯଦି କେହି ଆପଣଙ୍କ ଡାଟାକୁ ଅସୁରକ୍ଷିତ କରିବା ଭଳି କ୍ଷେତ୍ର ପ୍ରସ୍ତୁତ କରିଛି ବୋଲି ଆପଣ ଆଶଙ୍କା କରୁଛନ୍ତି, ତେବେ ଏହାର ସମାଧାନ ଉପାୟ ଅଛି । ଏ କ୍ଷେତ୍ରରେ ଆପଣ ଯେଉଁ ପର୍ଯ୍ୟନ୍ତ ଆତ୍ମନିର୍ଭର ବା ସଂପୂର୍ଣ୍ଣ ସ୍ବାବଲମ୍ବୀ ହୋଇନାହାନ୍ତି, ତେବେ ଏଥିରେ କିଛି ଫରକ ପଡ଼ିବନି । ସିସ୍କୋ କମ୍ପାନି ସେଇ ସମାନ କାମ କରୁଛି, ଆମେରିକାର ଅନ୍ୟ କମ୍ପାନି ବି ସେଇ କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା । ଆମେରିକା ତଥ୍ୟ ପାଇବା ପାଇଁ ବିଭିନ୍ନ ଦେଶରେ ଗୁପ୍ତ କ୍ଷେତ୍ର ଏବଂ ଚୋରା ବାଟ ତିଆରି କରୁଛି, ଏମିତି କି ଏହାର ସହଯୋଗୀ ୟୁରୋପୀୟ ଦେଶରେ ଗୁପ୍ତଚର କାମ କରୁଥିବା କଥା ସଂପର୍କରେ ଉଇକିଲିକ୍ସ ପ୍ରକାଶ କରିଥିଲା । ଚୀନ କ୍ଷେତ୍ରରେ ଏଭଳି କାର୍ଯ୍ୟକଳାପକୁ ସନ୍ଦର୍ଭରେ ଆମକୁ ବାସ୍ତବବାଦୀ ହେବାକୁ ପଡ଼ିବ । ରଣକୌଶଳ ଭିତ୍ତିରେ ଚୀନକୁ ପ୍ରତିହତ କରିବାକୁ ହେଲେ ଆମକୁ ଆଜିଠାରୁ ହିଁ କେତେକ ପଦକ୍ଷେପ ନେବାକୁ ପଡ଼ିବ । ଆପଣଙ୍କୁ ଆପଣଙ୍କ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରତିଯୋଗିତାମୂଳକ କରିବାକୁ ପଡ଼ିବ ଏବଂ ଏହା ସପ୍ତାହକରେ କି ମାସକରେ ହୋଇଯିବ ନାହିଁ । ଭାରତରେ ପୁଞ୍ଜିନିବେଶ ଏବଂ କାର୍ଯ୍ୟ ସଂପାଦନକୁ ସୁଲଭ କରିବା ଦିଗରେ ଆପଣଙ୍କୁ ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରିବାକୁ ପଡ଼ିବ । ଅନ୍ୟଥା ଆପଣ କେବଳ ଦେଶ ଭିତରେ ସାମଗ୍ରୀର ଉତ୍ପାଦନ ମୂଲ୍ୟ ବୃଦ୍ଧି କରାଇବେ ଏବଂ ବିଶ୍ବର ଅନ୍ୟ ସମସ୍ତ ଦେଶ ସହ ପ୍ରତିଯୋଗିତାରୁ ବାଦ ପଡ଼ିଯିବେ ।
ପ୍ରଶ୍ନ- ଭାରତରେ ଚୀନର ପୁଞ୍ଜିନିବେଶ 3 ବର୍ଷରେ ପାଞ୍ଚଗୁଣ ବୃଦ୍ଧି ପାଇଛି । 2014ରେ 1.6 ବିଲିଅନ ଡଲାର ଥିବା ବେଳେ 2017ରେ 8 ବିଲିଅନ ଡଲାର ହୋଇଛି । ସରକାରୀ ଭାବେ ଚୀନ ପକ୍ଷରୁ ଯେଉଁ ପରିମାଣର ନିବେଶ କରାଯାଇଛି ବା ଅଂଶଧନ କ୍ରୟ କରାଯାଇଥିବା କୁହାଯାଉଛି ତାହାଠାରୁ 25 ପ୍ରତିଶତ ଅଧିକ ବେସରକାରୀ ଭାବେ ବା ତୃତୀୟ ଦେଶ ଜରିଆରେ କରାଯାଇଥିବା ମନେ କରାଯାଉଛି । ଭାରତରେ ଚୀନ କେତେ ପୁଞ୍ଜିନିବେଶ କରିଛି ସେ ସଂପର୍କରେ ଉପଯୁକ୍ତ ମୂଲ୍ୟାୟନ କରାଯାଇଛି କି ?
ଆଜି, ବିଶେଷତଃ କୋଭିଡ୍ ପରବର୍ତ୍ତୀ ସମୟରେ, ସାରା ବିଶ୍ବରେ ଏହି ସବୁ ପ୍ରଶ୍ନ ପଚରା ଯାଉଛି । ଭାରତ ଏବଂ ଅବଶିଷ୍ଟ ବିଶ୍ବ ହୃଦ୍ବୋଧ କରିଛନ୍ତି ଯେ କୌଣସି ଏକ ଭୂଭାଗ, ଏବଂ ନିର୍ଦ୍ଦିଷ୍ଟ ଭାବରେ ଚୀନ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବାର ପରିଣତି ଅପ୍ରତ୍ୟାଶିତ ହୋଇପାରେ । ଯୋଗାଣ ଶୃଙ୍ଖଳରୁ ବିଚ୍ଛିନ୍ନ ହୋଇଯିବା ଉଦ୍ୟମରେ ସାରା ବିଶ୍ବ ଏବେ ଏହି ଖେଳରେ ମାତିଛି । ବୁଦ୍ଧିମାନ ବ୍ୟକ୍ତିମାନେ ଜାଣନ୍ତି ଯେ ଏହା ଏଭଳି ଏକ ପ୍ରକଳ୍ପ ଯେଉଁଥିରେ ଅତି କମ୍ରେ 3 ବର୍ଷରୁ 7 କି 10 ବର୍ଷ ସମୟ ଲାଗିପାରେ । ସେମାନଙ୍କ ପାଖରେ ବହୁ କମ୍ପାନି ଏବଂ ବହୁ ଲୋକ ପୁଞ୍ଜି ବିନିଯୋଗ କରିଛନ୍ତି, ବଡ଼ ବଡ଼ ଆର୍ଥିକ କମ୍ପାନି ଏଥିରେ ଜଡ଼ିତ ଅଛନ୍ତି । ଏଥିରେ ଭାରତ ପାଇଁ ନିଶ୍ଚିତ ସୁଯୋଗ ରହିଛି ଏବଂ ଆଜି ଆମେ ଏ ସଂପର୍କରେ ଯୋଜନା କରିବା ଉଚିତ ।
ପ୍ରଶ୍ନ- କୁହାଯାଉଛି ଯେ, ଚୀନ ପ୍ରାୟ 26 ବିଲିଅନ୍ ଆମେରିକୀୟ ଡଲାରର ଯୋଜନାବଦ୍ଧ ପୁଞ୍ଜିନିବେଶ କରିଛି । ତେଣୁ ଚୀନ ସହ ବାଣିଜ୍ୟିକ ସଂପର୍କ ତୁଟାଇବା ଆରମ୍ଭ କଲେ ଭାରତ ପାଖରେ ଆଉ କି କି ଉପାୟ ବା ବିକଳ୍ପ ରହିଛି ?
ପୁଞ୍ଜି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଆମକୁ ଭାରତକୁ ଏକ ପ୍ରତିଯୋଗିତାମୂଳକ ଲକ୍ଷ୍ୟସ୍ଥଳ ରୂପରେ ଗଢ଼ିବାକୁ ଏବଂ ଏହି ବ୍ୟବସ୍ଥାକୁ ସହଜ ଓ ସରଳ କରିବାକୁ ପଡ଼ିବ । ଉଦାହରଣ ସ୍ବରୂପ, ଉତ୍ପାଦନ ବାବଦ ଖର୍ଚ୍ଚ ହ୍ରାସ କରିବାକୁ ହେବ, ଯାହାକି ଏବେ ଭାରତରେ ଖୁବ ଅଧିକ । ଚୀନ କି ପାକିସ୍ତାନ କିଛି କରିଥିବା କାରଣରୁ ଏହା ଅଧିକ ହୋଇନାହିଁ, ବରଂ ଅତୀତରୁ ଆମେ ନେଇଆସୁଥିବା କେତେକ ନୀତି ସଂକ୍ରାନ୍ତ ନିଷ୍ପତ୍ତି ଯୋଗୁଁ ଏହା ଅଧିକ । ଆମର ଶକ୍ତି ବାବଦ ଦର କମ କରିବାକୁ ହେବ । ଆଜିକାଲି ସବୁ କଥାର ଏକ ସରଳ ସମାଧାନ ବାଟ ରହିଛି । ଆର୍ଥିକ ସଂକଟ ଦେଖା ଦେବା ମାତ୍ରକେ ଟିକସ ବଢ଼ାଇ ଦିଅ । ଶକ୍ତି କ୍ଷେତ୍ରରେ ବି ଏହା ହେଉଛି । ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଏବେ ଭାରତ ସଂଘର୍ଷ କରୁଛି । ତାହା ବି ଏକ କଷ୍ଟକର ସମୟରେ, ଯେତେବେଳେ କି ଏହାର ମୂଲ୍ୟ ହ୍ରାସ ହେଲେ ଅର୍ଥନୀତି ପାଇଁ ବାସ୍ତବରେ ଏକ ପ୍ରୋତ୍ସାହକ ସାବ୍ୟସ୍ତ ହୋଇଥାଆନ୍ତା । ଆପଣ ଯେତେବେଳେ ସାମଗ୍ରୀ ପ୍ରସ୍ତୁତି, ନିର୍ମାଣ, ସାଧନ ଯୋଗାଣ ଏବଂ ଭାରତ ଭିତରେ ସମଗ୍ର ଯୋଗାଣ ଶୃଙ୍ଖଳ ସଂପର୍କରେ କହିବା ଆରମ୍ଭ କରନ୍ତି, ସେତେବେଳେ ଆମ ଶିଳ୍ପ କାହିଁକି ପ୍ରତିଯୋଗିତାମୂଳକ ହୋଇପାରୁନାହିଁ ସେ ବିଷୟ ଉପରେ ଆମକୁ ଦୃଷ୍ଟିନିବଦ୍ଧ କରିବାକୁ ପଡ଼ିବ । ସେତେବେଳେ ହିଁ ଆମେ ଚୀନ ସହ ତାଳ ଦେଇପାରିବା । କେବେ କେମିତି କେତେକ ଆପ୍ ଉପରେ କେବଳ ନିଷେଧାଦେଶ ଜାରି କରିଦେଇ ଆମେ ଚୀନ ଆହ୍ବାନର ମୁକାବିଲା କରିପାରିବା ନାହିଁ ।
ପ୍ରଶ୍ନ-ସରକାରଙ୍କ ନୀତି କ୍ଷେତ୍ରରେ କି ପ୍ରତିବନ୍ଧକ ରହିଛି ? ଶିଳ୍ପ ସଂସ୍ଥାଗୁଡ଼ିକ କିଭଳି ଆଗେଇ ପାରିବେ ଏବଂ ସେ ସଂପର୍କରେ ସେମାନଙ୍କ ମତାମତ କ’ଣ ?
ମୌଳିକ ଭାବରେ, ଶିଳ୍ପ ପାଇଁ ଏମିତି ଏକ ପରିବେଶ ଦରକାର ଯେଉଁଥିରେ ସେମାନେ ଶସ୍ତାରେ ଉତ୍ପାଦନ କରିପାରିବେ । ଶ୍ରମ ଆଇନଗୁଡ଼ିକୁ ପ୍ରତ୍ୟାହାର କରି ନେବାକୁ ଶିଳ୍ପ ଜଗତ କହୁନାହିଁ, ବରଂ ସେଗୁଡ଼ିକୁ ଯୁକ୍ତିସଂଗତ କରିବାକୁ କହୁଛି । କୌଣସି ଭଲ ଶିଳ୍ପ ସଂସ୍ଥା କେବେହେଲେ ଶ୍ରମିକଙ୍କୁ ଶୋଷଣ କରିବାକୁ ଚାହିଁବ ନାହିଁ । ସେମାନେ ଉତ୍ତମ ଢଙ୍ଗରେ ଏବଂ ବିସ୍ତୃତ ଶ୍ରମ ଆଇନ ଦରକାର କରୁଛନ୍ତି ଯାହା ଫଳରେ କି ଶିଳ୍ପକୁ ସୁରକ୍ଷା ମିଳିପାରିବ । ଭାରତରେ ଏମିତି 51ଟି କେନ୍ଦ୍ରୀୟ ଆଇନ ରହିଛି ଯେଉଁଗୁଡ଼ିକ କି ମୌଳିକ ଭାବେ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ। ତଥାପି ଯେତେବେଳେ ବିପତ୍ତି ଆସେ, ପ୍ରବାସୀ ଶ୍ରମିକ ସଂକଟ ଉପୁଜେ, ଅସୁରକ୍ଷିତ ଭାବରେ ଥିବା ଲକ୍ଷ ଲକ୍ଷ ଶ୍ରମିକ ନଜରରେ ପଡ଼ନ୍ତି । ତାହା ଦୀର୍ଘ ସମୟ ଧରି ଚାଲିଆସୁଥିବା ଶାସନ ବ୍ୟବସ୍ଥାର ବିଫଳତା ଏବଂ ଏଥିରେ ସଂଶୋଧନ ଆବଶ୍ୟକ । ନୂଆଦିଲ୍ଲୀର କ୍ଷମତା ଅଳିନ୍ଦ ବାହାରେ ସରକାର ଓ ଶିଳ୍ପ ମଧ୍ୟରେ ସଂଯୋଗ ରକ୍ଷା ନିମନ୍ତେ ବାସ୍ତବରେ ଏକ ମଞ୍ଚ ରହିଥିବା ଉପରେ ଆମେ ପର୍ଯ୍ୟାପ୍ତ ଧ୍ୟାନ ଦେଇନାହୁଁ । ଯାହାକି ଶ୍ରମ ନିରୀକ୍ଷକ କିମ୍ବା ଜିଏସ୍ଟି/ଅବକାରୀ ନିରୀକ୍ଷକ ରୂପରେ ଅନ୍ୟ ଅେକ କ୍ଷେତ୍ରରେ ରହିଆସିଛି । ଜମି ଅଧିଗ୍ରହଣ କ୍ଷେତ୍ରରେ ମଧ୍ୟ ଶିଳ୍ପ ସଂସ୍ଥା ନାନାଦି ସମସ୍ୟାର ସମ୍ମୁଖୀନ ହେଉଛି । ସେଗୁଡ଼ିକର ସମାଧାନ ପାଇଁ ଉପଲବ୍ଧ ସାଧନ ଉପଯୋଗ ସହିତ କଠିନ ପରିଶ୍ରମ ଦରକାର । କେବଳ ଆଇନ ପ୍ରଣୟନ ଦ୍ବାରା ଏହା ନିୟନ୍ତ୍ରିତ ହୋଇପାରିବ ନାହିଁ ।
ପ୍ରଶ୍ନ- ସରକାର ଆମଦାନୀ ସଂକ୍ରାନ୍ତ ସମସ୍ତ ବିବରଣୀ ସଂପର୍କରେ ସୂଚନା ଦେବାକୁ କହିଛନ୍ତି ଏବଂ ବିଭିନ୍ନ ବନ୍ଦର ଏବଂ ବହିଃଶୁଳ୍କ ବିଭାଗରେ କେତେକ କାମ ବାକି ରହିଛି । ଟେଲିକମ୍. ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି କ୍ଷେତ୍ର ଚୀନରୁଆମଦାନୀ ଉପରେ ବହୁମାତ୍ରାରେ ନିର୍ଭର କରନ୍ତି । କୋଭିଡ୍ ସଂକଟ ସମୟରେ ଔଷଧ ଆମଦାନୀ କ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ଦେଖାଦେଇଛି । ଏହା ଏକ ସୁଚିନ୍ତିତ ପଦକ୍ଷେପ ଭଳି ଲାଗୁଛି କି ?
ନିଶ୍ଚିତ ଭାବରେ ଏଥିରେ ବହୁ ବିରୋଧାଭାସ ରହିଛି । ଏଭଳି ନିୟନ୍ତ୍ରଣ ଲାଗୁ କରିବା ଏବଂ ପ୍ରତିବନ୍ଧକ ଜାରି କରିବା ଦ୍ବାରା ଆପଣ ବାସ୍ତବରେ ବ୍ୟବସାୟ କ୍ଷେତ୍ରରେ ସହଜ ବ୍ୟବସ୍ଥାର ପରିମାଣ ହ୍ରାସ କରୁଛନ୍ତି । ଚୀନରେ ପ୍ରସ୍ତୁତ ସାମଗ୍ରୀର ବିକଳ୍ପ ଭାବରେ ଭାରତରେ ସାମଗ୍ରୀ ପ୍ରସ୍ତୁତି କରିବା ପ୍ରସଙ୍ଗରେ ଆପଣ କିଛି ପାଦ ଆଗକୁ ବଢ଼ିବା ବଦଳରେ ବାସ୍ତବରେ କିଛି ପାଦ ପଛକୁ ନେଇଛନ୍ତି । ଏ କ୍ଷେତ୍ରରେ ଅଧିକ ନିବିଡ଼ ଓ ବିସ୍ତୃତ ବିଶ୍ଲେଷଣ ସହିତ ଆପଣ ନିଜେ ନିଜର ଶିଳ୍ପ ଜଗତ ଉପରେ ବିଶ୍ବାସ ପ୍ରକ୍ରିୟା ଆରମ୍ଭ କରିବା ଦରକାର । ଆଜିକାଲି ଆମେ ଆମ ଶିଳ୍ପକୁ ବିଶ୍ବାସ କରୁଛୁ ବୋଲି ମୁଁ ଭାବୁନି । ଆଜି ଆମେ ଭାବୁଛୁ ଯେ ଆମ ଶିଳ୍ପ ଜଗତରେ ସମସ୍ତେ ଦୁର୍ନୀତିଗ୍ରସ୍ତ ଏବଂ ଉଦ୍ଧତ ଢଙ୍ଗରେ ଅର୍ଥ ପାଇଁ ଲାଳାୟିତ । ହଁ, ଏହା ଠିକ୍ ଯେ ସେମାନେ ଅର୍ଥ ରୋଜଗାର କରିବାକୁ ବାହାରିଛନ୍ତି । କିନ୍ତୁ ସେଥିରେ ଅନେକ ବ୍ୟକ୍ତି ଆଗ୍ରହୀ ଏବଂ ସଂପୃକ୍ତ । ଲାଭ କରିବା ଖରାପ କଥା ନୁହେଁ ଏବଂ ଅର୍ଥନୀତି ଏବଂ ଲୋକଙ୍କ ବ୍ୟବସାୟ ପାଇଁ ଲାଭ ଭଲ କଥା । ତେଣୁ, ଶିଳ୍ପୋଦ୍ୟୋଗୀମାନଙ୍କୁ ଏବଂ ସେମାନଙ୍କ ଦ୍ବାରା ସୃଷ୍ଟ ନିଯୁକ୍ତି ସୁଯୋଗ ଏବଂ ପ୍ରତିଯୋଗିତାମୂଳକ ଉତ୍ପାଦନକୁ ଆମେ ସମ୍ମାନ କରିବା । ମାନସିକ ସ୍ଥିତି ଏବଂ ପ୍ରଚଳିତ ଧାରା ବଦଳିବା ଆବଶ୍ୟକ । ପ୍ରତିଟି କୃଷକ ଜଣେ ଉଦ୍ୟୋଗୀ । ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରନ୍ତୁ । ଆମେ ସେମାନଙ୍କ ଉପରେ ନିର୍ଭର କରୁ । ତାହା ହିଁ ଆମ ଅର୍ଥବ୍ୟବସ୍ଥାରେ, କୃଷି, ସାମଗ୍ରୀ ପ୍ରସ୍ତୁତି ଏବଂ ସେବା କ୍ଷେତ୍ରର ସମାହାର ଲାଗି ପ୍ରଯୁଜ୍ୟ । ଆମେ ଆମ ନିଜ ଲୋକଙ୍କୁ ବିଶ୍ବାସ କଲେ ହିଁ ଅର୍ଥବ୍ୟବସ୍ଥା ଦୃଢ଼ ଭାବେ ଠିଆ ହୋଇପାରିବ । ଏହା ଉଭୟ ପକ୍ଷ ଲାଗି ପ୍ରଯୁଜ୍ୟ । ଲୋକେ ସରକାରଙ୍କୁ ବିଶ୍ବାସ କରନ୍ତି ନାହିଁ । ସରକାରୀ ନୀତି ଯେ ବେଶୀ ଦିନ ତିଷ୍ଠି ରହିବ ବୋଲି ସେମାନେ ବିଶ୍ବାସ କରନ୍ତି ନାହିଁ । ଉଭୟ ପକ୍ଷରେ ସେହି ବିଶ୍ବାସ ଗଢ଼ି ଉଠିବା ଆବଶ୍ୟକ ।
ପ୍ରଶ୍ନ-ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଫଳପ୍ରଦ ହେବା ପର୍ଯ୍ୟନ୍ତ ଚୀନରୁ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଲାଗି ଭାରତ ତାଇୱାନ ସହ ରଣନୈତିକ ସଂପର୍କ କିମ୍ବା ଅନ୍ୟ କୌଣସି ବିକଳ୍ପର ପୁନଃସଂଯୋଜନା କରିବା ଉଚିତ କି ?
ତାହା ତ ଏବେ ହେଉଛି । କିନ୍ତୁ ଅନେକ କ୍ଷେତ୍ରରେ ସେଗୁଡ଼ିକର ମୂଳ ଉତ୍ସ ଜଣାପଡ଼େ ନାହିଁ । ହୁଏତ ଆପଣ ତାଇୱାନରୁ କି ଭିଏତନାମରୁ କି ଅନ୍ୟ କେଉଁ ଦେଶରୁ ସାମଗ୍ରୀ ଆମଦାନୀ କରିବେ । କିନ୍ତୁ ଏଥିରେ ଚୀନର ପ୍ରବେଶ କେତେ ଦୂର ଯାଏ ରହିଛି ଏବଂ ମୂଲ୍ୟ ସଂଯୋଜନର କେତେ ଭାଗ ଚୀନକୁ ଯାଉଛି ତାହା ହିସାବ କରିବା ଖୁବ କଷ୍ଟକର । ବିବିଧକରଣ ଏକ ରଣକୌଶଳ ସତ, କିନ୍ତୁ ଏଥିରେ ନିଜସ୍ବ ବିପଦ ଆଶଙ୍କା ରହିଛି । ତେଣୁ, ଏହି ବିପଦ ସମ୍ଭାବନା ରହିଥିବା କଥା ଜାଣି ଦେଶ ଭିତରେ ହିଁ ଯାହା କିଛି ସମ୍ଭବ, ତାହା କରିବାକୁ ଏବଂ ଚେଷ୍ଟା କରିବାକୁ ଏବଂ ଏକ ବିକଳ୍ପ ଯୋଗାଣ ଶୃଙ୍ଖଳ ଗଠନ କରିବାକୁ ଉଦ୍ୟମ କରିବା କଥା । ଯେତେବେଳେ ଚୀନରୁ ଅନେକ ସାମଗ୍ରୀ ପ୍ରସ୍ତୁତି ସ୍ଥାନାନ୍ତରିତ ହେବ ଆରମ୍ଭ ହେଲା, ଉତ୍ପାଦ ମଧ୍ୟ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହେଲା । ‘ମେଡ୍ ଇନ୍ ଚାଇନା’ ହେଲା ‘ମେଡ୍ ଇନ୍ ତାଇୱାନ’ କିମ୍ବା ‘ମେଡ୍ ଇନ୍ ଭିଏତ୍ନାମ’ । କିନ୍ତୁ ଆପଣ ଦେଖନ୍ତୁ, ସମ୍ଭବତଃ ଚୀନରେ ହିଁ ସାମଗ୍ରୀରେ ସବୁଠାରୁ ଅଧିକ ମୂଲ୍ୟ ସଂଯୋଜନ କରାଯାଉଥିଲା ।
ପ୍ରଶ୍ନ- ସମ୍ଭାବ୍ୟ ସାମରିକ/କୂଟନୈତିକ ସ୍ତରରେ ବାସ୍ତବ ନିୟନ୍ତ୍ରଣ ରେଖାରେ ମୁହାଁମୁହିଁ ସ୍ଥିତିର ସମାଧାନ ହେବ ବୋଲି ଆପଣ କେତେଦୂର ଆଶାବାଦୀ ? ଚୀନରୁ ବହୁଳ ଅଂଶଧନ ନିବେଶ ହୋଇଥିବା କିମ୍ବା ଚୀନ ମାଲିକାନାରେ ଥିବା ଏବଂ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଦାନ ଦେଇଥିବା ପବ୍-ଜି କିମ୍ବା ପେଟିଏମ୍ ଭଳି ସଂସ୍ଥାର କ’ଣ ହେବ ?
ଚୀନରୁ ପ୍ରଚୁର ପୁଞ୍ଜି ବିନିଯୋଗ ହିଁ ବାସ୍ତବରେ ଆପଣଙ୍କ ପାଇଁ ସର୍ବୋତ୍ତମ ବିନିଯୋଗ, କାରଣ ଏହା ଫଳରେ ଚୀନ ଅତ୍ୟଧିକ ଯୁଦ୍ଧପ୍ରବଣ ହେବନାହିଁ । ଏଠାରେ ଯଦି ସେମାନଙ୍କର ଅଂଶଧନ ନଥିବ, ତେବେ ସେମାନେ ଅଧିକ ଯୁଦ୍ଧଖୋର ହେବାର ଆଶଙ୍କା ରହିଛି । ଚୀନ ଆଜି ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ କାହିଁକି ବ୍ୟବହାର ପ୍ରଦର୍ଶନ କରୁଛି ? କାରଣ, ସେ ସୁଯୋଗ ରହିଥିବା କଥା ଅନୁଭବ କରୁଛି । ସେ ଅନୁଭବ କରୁଛି ଯେ ତା ପାଇଁ କେତେକ ଦେଶ ସମସ୍ୟା ସୃଷ୍ଟି କରିପାରନ୍ତି, ସେମାନେ ରଣକୌଶଲ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବା ସହିତ ଅର୍ଥନୈତିକ ପ୍ରତିଦ୍ବନ୍ଦ୍ବୀ ହୋଇପାରନ୍ତି ଏବଂ ତେଣୁ, ସଂକଟ ସମୟରେ ବି ସେମାନଙ୍କ ପାଇଁ କାର୍ଯ୍ୟ ସଂପାଦନର ମୂଲ୍ୟ ବଢ଼ାଇ ଦେବାକୁ ହେବ ? ବାସ୍ତବ ନିୟନ୍ତ୍ରଣ ରେଖାରେ କିମ୍ବା ଦକ୍ଷିଣ ଚୀନ ସାଗରରେ ଚୀନର କାର୍ଯ୍ୟକଳାପ କିମ୍ବା ଅଷ୍ଟ୍ରେଲିଆରେ ସାଇବର ଆକ୍ରମଣ, ସବୁ କିଛି ଭଲ ଭାବେ ରିକଳ୍ପିତ ଏବଂ ଭାରତ ସମେତ ଏହି ସବୁ ଦେଶର କାର୍ଯ୍ୟ ସଂପାଦନ ଖର୍ଚ୍ଚ ବୃଦ୍ଧି ଦିଗରେ ଉଦ୍ଦିଷ୍ଟ । ଜରୁରୀକାଳୀନ ସ୍ଥିତିରେ ଦରକାର ହେଲେ, ବାସ୍ତବରେ ସେମାନେ କ’ଣ ସମସ୍ତଙ୍କ ବିରୋଧରେ ଲଢ଼ିବେ ? ଏହା ଚୀନର ଏକ ସୁନିୟୋଜିତ ପ୍ରତିକ୍ରିୟା ଏବଂ ଭାରତ ମଧ୍ୟ ଏହାର ସୁନିୟୋଜିତ ପ୍ରତ୍ୟୁତ୍ତର ଦେବା କଥା । ଆମେ କୌଣସି ବିକଳ୍ପକୁ ଅବରୋଧ କରିବା ଉଚିତ ନୁହେଁ ବରଂ ସବୁ ସ୍ଥିତି ପାଇଁ ପ୍ରସ୍ତୁତ ରହିବା ଦରକାର । ଆମେ ସୁଦୀର୍ଘ ପଥ ଅତିକ୍ରମ କରିବାକୁ ରହିଛୁ । ଏସିଆ ଉପରେ ଆମ ଦୁଇ ଜଣଙ୍କର ଅଧିକାର ରହିଛି ।