ବିଶ୍ବରେ ଅଶୋଧିତ ତୈଳ ଦର ପୁଣି ବୃଦ୍ଧି ପାଇଥିବା ଭଳି ମନେ ହେଉଛି । ସୋମବାର 2.1% ମୂଲ୍ୟବୃଦ୍ଧି ପରେ ମଙ୍ଗଳବାର ବ୍ରେଣ୍ଟ ଅଶୋଧିତ ତୈଳ 43.14 ଆମେରିକୀୟ ଡଲାର ପାଖାପାଖି ହୋଇଛି । ଅପରପକ୍ଷରେ, ଗତ ଏପ୍ରିଲରେ 21 ବର୍ଷ ମଧ୍ୟରେ ସବୁଠାରୁ କମ ଦରରେ ପହଞ୍ଚିଥିବା ଡବ୍ଲୁଟିଆଇ ଅଶୋଧିତ ତୈଳର ମୂଲ୍ୟ ଇତିମଧ୍ୟରେ ଦୁଇ ଗୁଣରୁ ଅଧିକ ହୋଇଛି ଏବଂ ଦରବୃଦ୍ଧିର ଏହି ଧାରା ଆଗକୁ ଜାରି ରହିବ ବୋଲି ଆଶା କରାଯାଉଛି । ଏହି ଧାରା ପଛରେ ମୁଖ୍ୟତଃ 3ଟି କାରଣ ରହିଛି । ପ୍ରଥମରେ, ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସମୂହର ସଂଗଠନ-ଓପିଇସିର ଅଶୋଧିତ ତୈଳ ଯୋଗାଣରେ ଦୈନିକ ରେକର୍ଡ ପରିମାଣରେ 97 ଲକ୍ଷ ବ୍ୟାରେଲ ହ୍ରାସ, ଦ୍ବିତୀୟରେ ଯୁକ୍ତରାଷ୍ଟ୍ର ଆମେରିକାର ବିଶୋଧିତ ଦ୍ରବ୍ୟ ଉତ୍ପାଦନ ସୂଚୀ ହ୍ରାସ ଏବଂ ତୃତୀୟରେ ଚାହିଦାରେ ସାମାନ୍ୟ ଉନ୍ନତି ।
ଏହି ପୃଷ୍ଠଭୂମିରେ, ପ୍ରାସଙ୍ଗିକ ଭାବେ ଏହା ଉଲ୍ଲେଖଯୋଗ୍ୟ ଯେ, ସ୍ବଳ୍ପ ଓ ମଧ୍ୟମ ମିଆଦରେ ଅଶୋଧିତ ତୈଳର ଦର ଅବନତ ଅବସ୍ଥାରେ ରହିବ ଏବଂ ଭାରତ ଏବଂ ଅବଶିଷ୍ଟ ବିଶ୍ବର ନୀତି ପ୍ରଣୟନରେ ଏହାର ନିହିତାର୍ଥ ପ୍ରତିଫଳିତ ହେବ ।
“ଶସ୍ତା ଅଶୋଧିତ ତୈଳ” ହିଁ ନୂତନ ସ୍ବାଭାବିକତା:
ସାରା ବିଶ୍ବରେ କୋଭିଡ୍-19 ସଂକ୍ରମଣ ବିପଜ୍ଜନକ ଭାବରେ ବଢ଼ିବାରେ ଲାଗିଛି । କୋରୋନାଭାଇରସ୍ ସଂକ୍ରମଣର ‘ଦ୍ବିତୀୟ ପର୍ଯ୍ୟାୟ’ ଭିତର ଦେଇ ଗତି କରୁଛି ବୋଲି ଦକ୍ଷିଣ କୋରିଆ ଏ ସପ୍ତାହରେ ଘୋଷଣା କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସାରା ବିଶ୍ବରେ ରେକର୍ଡ ସଂଖ୍ୟକ କୋଭିଡ୍-19 ସଂକ୍ରମଣ ବୃଦ୍ଧି ପାଇଛି ଏବଂ ଉତ୍ତର ଓ ଦକ୍ଷିଣ ଆମେରିକାରେ ଏହି ସଂଖ୍ୟା ସବୁଠାରୁ ଅଧିକ ବୋଲି ରବିବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଘୋଷଣା କରିଛି । ବିଶ୍ବର ବୃହତ୍ତମ ଅଶୋଧିତ ତୈଳ ରପ୍ତାନିକାରୀ ଦେଶ ଚୀନରେ, ଏହି ଭୂତାଣୁ ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା ଦେଖାଦେଇଛି । ଏହି ସବୁ ଘଟଣା ଯୋଗୁଁ ବିଶ୍ବର ଅର୍ଥବ୍ୟବସ୍ଥା ଆଗକୁ ଆହୁରି ଧିମେଇ ଯାଇପାରେ, ଅର୍ଥାତ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ପାଇବା ସହିତ ତୈଳର ଚାହିଦା ମଧ୍ୟ ହ୍ରାସ ପାଇପାରେ । ପରିଣାମସ୍ବରୂପ, ଅଶୋଧିତ ତୈଳର ଦର ପୁଣି ଖସିପାରେ । ଅନ୍ୟପକ୍ଷରେ, ବିଶ୍ବରେ ଝଡ଼ତୋଫାନ ଋତୁ ଆରମ୍ଭ ସହିତ ଅଶୋଧିତ ତୈଳ ଦର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ଏବଂ ନିକଟ ଭବିଷ୍ୟତରେ ଦର ବଢ଼ିବା ଆଶା ମଉଳି ଯିବ । ସୁତରାଂ, ‘ଶସ୍ତା ଅଶୋଧିତ ତୈଳ’ ହିଁ ନୂତନ ସ୍ବାଭାବିକତାର ପରିଚୟ ବହନ କରିବ ଏବଂ ସମଗ୍ର ବିଶ୍ବକୁ ଏହି ପରିସ୍ଥିତି ସହ ଖାପ ଖୁଆଇବାକୁ ପଡ଼ିବ ।
ଭାରତ ପାଇଁ ନିହିତାର୍ଥ:
ସାରା ବିଶ୍ବର ଭୌଗୋଳିକ-ରାଜନୈତିକ ଏବଂ ଅର୍ଥନୈତିକ ଘଟଣାକ୍ରମକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ବୁଝିହୁଏ ଯେ, ନିକଟ ଭବିଷ୍ୟତରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 70 ଡଲାରରେ ପହଞ୍ଚିବା ସମ୍ଭବ ନୁହେଁ । ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ଉପରେ ଭାରତର ନିୟନ୍ତ୍ରଣ ନିହାତି କମ। କିନ୍ତୁ ଦେଶର ନୀତି ପ୍ରଣୟନ କ୍ଷେତ୍ରରେ ଅଶୋଧିତ ତୈଳ ଦରରେ ଦୋଦୁଲ୍ୟମାନ ସ୍ଥିତିର ସୁଦୂରପ୍ରସାରୀ ନିହିତାର୍ଥ ରହିଛି । ସାମ୍ପ୍ରତିକ ପରିପ୍ରେକ୍ଷୀରେ, ଅଶୋଧିତ ତୈଳ ଦର କମ ରହିଥିବାରୁ ଭାରତ ଫାଇଦାଜନକ ସ୍ଥିତିରେ ରହିଛି ଏବଂ ଦେଶରେ ସଂରକ୍ଷିତ ବୈଦେଶିକ ମୁଦ୍ରା ପରିମାଣ 507.64 ବିଲିଅନ (ଶହ କୋଟି) ଡଲାରରେ ପହଞ୍ଚିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଏହାର ପ୍ରମୁଖ କାରଣ ହେଲା, ଆମଦାନୀ ବାବଦ ଖର୍ଚ୍ଚ ହ୍ରାସ ପାଇଛି । ମୁଖ୍ୟତଃ ଅଶୋଧିତ ତୈଳ ଆମଦାନୀରେ ବେଶୀ ଭାଗ ଖର୍ଚ୍ଚ ହୁଏ ଏବଂ 2019 ମସିହାରେ ଦୈନିକ ହାରାହାରି ପ୍ରାୟ 45 ଲକ୍ଷ ବ୍ୟାରେଲ ଆମଦାନୀ କରାଯାଉଥିଲା । ଏହିଭଳି ଏକ ବୃହତ ଲାଭଜନକ ସ୍ଥିତିର ସୁଯୋଗ ନେଇ ସ୍ବଳ୍ପ ମିଆଦି, ଦୀର୍ଘ ମିଆଦି ଏବଂ ମଧ୍ୟମ ମିଆଦି ନୀତି ପ୍ରଣୟନର ଆବଶ୍ୟକତା ରହିଛି । ସ୍ବଳ୍ପ ମିଆଦି ଭାବରେ ଅଶୋଧିତ ତୈଳ ଦର ହ୍ରାସର ଫାଇଦା ସାଧାରଣ ଲୋକଙ୍କୁ ପ୍ରଦାନ କରିବା ଆବଶ୍ୟକ ।
ଏହା ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବହନ ବାବଦ ଖର୍ଚ୍ଚ, ଏମିତି କି ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ ଏବଂ ଜିନିଷପତ୍ର ଶସ୍ତା ହେବ । ଅନ୍ୟ ପକ୍ଷରେ ଏହା ଗ୍ରାହକଙ୍କ ଖର୍ଚ୍ଚ କ୍ଷମତା ବୃଦ୍ଧି କରିବ ଏବଂ ଘରୋଇ ଚାହିଦା ପାଇଁ ସୁଯୋଗ ସୃଷ୍ଟି କରିବ । ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏହା ହିଁ ସମୟର ଆବଶ୍ୟକତା । ହେଲେ, ଦେଶରେ ଏହାର ବିପରୀତ ସ୍ଥିତି ସୃଷ୍ଟି ହୋଇଛି ଏବଂ ଗତ ପନ୍ଦର ଦିନ ମଧ୍ୟରେ ଜାତୀୟ ରାଜଧାନୀରେ କ୍ରମାଗତ ପେଟ୍ରୋଲ ଦରବୃଦ୍ଧି ଘଟି ଲିଟର ପିଛା ମୋଟ୍ 8 ଟଙ୍କା 88 ପଇସା ଏବଂ ଡିଜେଲ ଲିଟର ପିଛା ମୋଟ 7 ଟଙ୍କା 97 ପାଇସା ବଢ଼ିଛି । ଶସ୍ତାରେ ଅଶୋଧିତ ତୈଳ ମିଳୁଥିବା ସମୟରେ ଇନ୍ଧନ ଦର ବଢ଼ାଇ ପୂର୍ବ କ୍ଷତିଭରଣା ପାଇଁ ଅଧିକ ଫାଇଦା ହାସଲ କରିବା ଦ୍ବାରା ଟିକସ ରାଜସ୍ବ ବୃଦ୍ଧି ପାଇପାରେ, କିନ୍ତୁ ବାସ୍ତବରେ ଏହା ଅର୍ଥନୈତିକ ପୁନରୁଦ୍ଧାର ଧାରାକୁ କ୍ଷତିଗ୍ରସ୍ତ କରିବା ସମ୍ଭାବନା ରହିଛି । ଇନ୍ଧନ ଦର ବଢ଼ାଇବା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଦିଗକୁ ବିଚାରକୁ ନେବା ଆବଶ୍ୟକ ।
ମଧ୍ୟମ ମିଆଦି ନୀତି ଅନୁସାରେ, ଅଶୋଧିତ ତୈଳ ଶସ୍ତାରେ ମିଳୁଥିବା ସମୟରେ ଆମେ ଏହାକୁ ମହଜୁଦ କରିବାର କ୍ଷମତା ବଢ଼ାଇବା ଦରକାର । ବର୍ତ୍ତମାନ ଭାରତରେ 3 କୋଟି 90 ଲକ୍ଷ ବ୍ୟାରେଲ୍ ତୈଳ ମହଜୁଦ କରି ରଖିବାର କ୍ଷମତା ରହିଛି, ଯାହାକି ନଅ ଦିନ ପାଇଁ ଦେଶକୁ ଇନ୍ଧନ ସୁରକ୍ଷା ପ୍ରଦାନ କରିପାରିବ । ହେଲେ, ଚୀନ ଓ ଜାପାନ ଭଳି ଏସିଆର ଅନ୍ୟ ଦେଶ ତୁଳନାରେ ଏହା ଖୁବ୍ କମ ଏବଂ ଏହି ଦୁଇ ଦେଶର ତୈଳ ମହଜୁଦ କରିବା କ୍ଷମତା ବା ଷ୍ଟ୍ରାଟେଜିକ୍ ଅଏଲ ରିଜର୍ଭ କ୍ଷମତା ଯଥାକ୍ରମେ 55 କୋଟି ବ୍ୟାରେଲ ଏବଂ 52 କୋଟି 80 ଲକ୍ଷ ବ୍ୟାରେଲ । ଏହି ପରିପ୍ରେକ୍ଷୀରେ ଆମର ତୈଳ ମହଜୁଦ କ୍ଷମତା ବୃଦ୍ଧି କରିବା କ୍ଷେତ୍ରରେ ସାର୍ବଜନୀନ ପୁଞ୍ଜିନିବେଶ ବଢ଼ାଇବା ଆବଶ୍ୟକ । ଏହା ଯେ କେବଳ ଆମକୁ ଶସ୍ତା ତୈଳ ମହଜୁଦ କରି ରଖିବାରେ ସାହାଯ୍ୟ କରିବ ତାହା ନୁହେଁ, ବରଂ, ଏହା କର୍ମଜୀବୀ ବର୍ଗକୁ ନିଯୁକ୍ତି ସୁବିଧା ପ୍ରଦାନ କରିବ ଏବଂ ବର୍ତ୍ତମାନର କଷ୍ଟକର ସମୟରେ ନିହାତି ଆବଶ୍ୟକ ହେଉଥିବା ନିର୍ମାଣ ସାମଗ୍ରୀର ଚାହିଦା ବୃଦ୍ଧିରେ ସହାୟକ ହେବ । ପରିଶେଷରେ, ଗୋଟିଏ ପଟେ ଭାରତ ଧୀରେ ଧୀରେ ଅକ୍ଷୟ ଶକ୍ତିର ସ୍ରୋତକୁ ଆଦରି ନେବ ଏବଂ ଅନ୍ୟ ପଟେ କାର୍ଯ୍ୟକ୍ଷମ ଢଙ୍ଗରେ ଶକ୍ତିର ଉପଯୋଗ ପନ୍ଥା ହାସଲ କରିବ ।
ଏହାର କାରଣ ହେଲା ଯେ, ଅଶୋଧିତ ତୈଳର ଦର ଖୁବ ପରିବର୍ତ୍ତନଶୀଳ ଏବଂ ଭାରତର ନିୟନ୍ତ୍ରଣ ବାହାରେ ଥିବା କାରଣ ଯୋଗୁଁ ଏହା ବଦଳି ଯାଇପାରେ । ଏଭଳି ସମ୍ବଳ ଉପରେ ଦୀର୍ଘ ମିଆଦି ନିର୍ଭରଶୀଳତା ଯୋଗୁଁ ଦେଶର ଶକ୍ତି ସୁରକ୍ଷା କ୍ଷେତ୍ରରେ ଅର୍ଥନୈତିକ ଏବଂ ରଣକୌଶଳ ବାବଦ ବ୍ୟୟରେ ଏହାର ବୋଝ ପରିଲକ୍ଷିତ ହେବ । ଯେତେ ଶୀଘ୍ର ଆମେ ଏହି ସବୁ ପଦକ୍ଷେପ ନେବା ସେତେ ଭଲ ହେବ । ଏବେ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ହିଁ ଆମର ଆବଶ୍ୟକତା ।