ନ୍ୟାୟପାଳିକାର ନିର୍ଦ୍ଦେଶଗୁଡ଼ିକରୁ ଏହା ସ୍ପଷ୍ଟ ଯେ ଅପରାଧମୂଳକ ରାଜନୀତିରୁ ସଂସଦୀୟ ଗଣତନ୍ତ୍ରକୁ ମୁକ୍ତ ରଖିବା ପାଇଁ ଉପାୟ ଅନ୍ବେଷଣ ଚାଲିଛି, ହେଲେ ଏସବୁ ପଦକ୍ଷେପ ଏକତରଫା ହୋଇଯାଉଛି। ଫୌଜଦାରୀ ମାମଲାରେ ଅଭିଯୁକ୍ତ ରାଜନେତାମାନଙ୍କ ମୋକଦ୍ଦମାଗୁଡ଼ିକର ତ୍ବରିତ ବିଚାର ପାଇଁ 2018 ମାର୍ଚ୍ଚ ମାସ ସୁଦ୍ଧା 12ଟି ଫାଷ୍ଟ ଟ୍ରାକ କୋର୍ଟ ସ୍ଥାପନ କରାଯାଇଛି । କିନ୍ତୁ ଅନେକ ମାମଲାରେ ଚୂଡାନ୍ତ ଶୁଣାଣି ସ୍ଥଗିତ ରହିଛି। ଏସବୁ ଆଇନଗତ ବିଳମ୍ବ ଧାରାରେ ପୂର୍ଣ୍ଣଛେଦ ଟାଣିବା ସକାଶ ଇଚ୍ଛା ପ୍ରକାଶ କରି ସୁପ୍ରିମ କୋର୍ଟ ନିକଟରେ ସମସ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମାରେ ରାଜନୈତିକ ନେତାମାନଙ୍କ ବିରୁଦ୍ଧରେ ପଡ଼ି ରହିଥିବା ଫୌଜଦାରୀ ମାମଲାଗୁଡ଼ିକର ବିଚାର ତ୍ବରାନ୍ବିତ କରି ଏକ ସପ୍ତାହ ମଧ୍ୟରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କହିଛନ୍ତି। ବିଭିନ୍ନ ଅପରାଧୀକ ମାମଲାରେ ଜନ ପ୍ରତିନିଧିଙ୍କ ସଂଖ୍ୟା ଯେତିକି ଭାବେ ବଢିଚାଲିଛି ସେତିକି ସଂଖ୍ୟାରେ ଶକ୍ତିଶାଳୀ ରାଜନୈତିକ ଲବି ବଢ଼ିବା ସହ ଏହିସବୁ ମାମଲାର ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଭଳି ହଜାର ହଜାର ମାମଲା ଚୂଡ଼ାନ୍ତ ଶୁଣାଣି ନହୋଇ ପଡ଼ି ରହିଛି। ଏସବୁ ମାମଲା ଏବଂ ଏପରିକି ରହିତାଦେଶ ଥିବା ମାମଲାଗୁଡ଼ିକୁ ଦୈନିକ ଭିତ୍ତିରେ ବିଚାର କରି ଦୁଇ ମାସ ସମୟସୀମା ମଧ୍ୟରେ ଚୂଡାନ୍ତ ରାୟ ପ୍ରକାଶ କରିବାକୁ ସୁପ୍ରିମ କୋର୍ଟ ଆଦେଶ ଦେଇଛନ୍ତି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ 2014 ସୁଦ୍ଧା 1581 ଜଣ ନିର୍ବାଚିତ ପ୍ରତିନିଧିଙ୍କ ବିରୁଦ୍ଧରେ ଥିବା ମାମଲାର ବିଚାର ବିଭିନ୍ନ କୋର୍ଟରେ ଶୁଣାଣି ହୋଇ ନପାରି ପଡିରହିଛି। ଆଜିର ଦିନରେ 4 ହଜାର 442 ଜଣ ରାଜନେତାଙ୍କ ନାଁରେ ଅପରାଧୀକ ମାମଲାର ବିଚାର ଚାଲିଛି। ଏମାନଙ୍କ ମଧ୍ୟରୁ 2 ହଜାର 556 ଜଣ ବର୍ତ୍ତମାନ ବିଭିନ୍ନ ରାଜ୍ୟ ବିଧାନସଭା ଏବଂ ସଂସଦର ସିଟିଂ ମେମ୍ବର ଅଛନ୍ତି।
1997 ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିଥିଲେ, ପାର୍ଲାମେଣ୍ଟ ଯାହାର ମୂକ ସାକ୍ଷୀ ରହିଥିଲା। ଫୌଜଦାରୀ ଅପରାଧରେ ଅଭିଯୁକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଟିକେଟ ନ ଦେବା ପାଇଁ ଦଳଗୁଡ଼ିକ ସଂକଳ୍ପ ଗ୍ରହଣ କରିଥିଲେ। କିନ୍ତୁ ଏବେ ପ୍ରତିଟି ରାଜନୈତିକ ଦଳ ଅପରାଧୀଙ୍କୁ ନିର୍ବାଚନରେ ଛିଡ଼ା କରାଇବା ପାଇଁ ସେମାନଙ୍କ ନୀତିରେ ଏକାଠି ହୋଇଯାଇଛନ୍ତି। ପୂର୍ବରୁ ଏବର୍ଷ ଫେବ୍ରୁଆରୀ ମାସରେ ସୁପ୍ରିମ କୋର୍ଟ ଏକ ରୁଲିଂରେ କହିଥିଲେ ଯେ, ବିଧାୟକଙ୍କୁ କେବଳ ଅଯୋଗ୍ୟ ଘୋଷଣା କରିଦେଲେ ରାଜନୀତିକୁ ଅପରାଧମୁକ୍ତ କରିଦେବା ସମ୍ଭବ ହେବନାହିଁ। ଯେହେତୁ ଦଳ ଗୁଡ଼ିକ ଯେଉଁମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ପ୍ରମାଣିତ ହୋଇନାହିଁ ସେମାନଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି, ସେହି କାରଣରୁ ରାଜନୈତିକ ଦଳ ଗୁଡ଼ିକରେ ମଧ୍ୟ ସଂସ୍କାରର ଆବଶ୍ୟକତା ରହିଛି। ଅଦାଲତ ରାଜନୈତିକ ଦଳଗୁଡ଼ିକ ପାଇଁ ଛଅଟି ନିର୍ଦ୍ଦେଶାବଳି ଜାରି କରିଛନ୍ତି।ଯେଉଁମାନଙ୍କ ନାମରେ ଅପରାଧୀକ ମାମଲା ବିଚାର ପାଇଁ ପଡ଼ି ରହିଛି ସେପରି ପ୍ରାର୍ଥୀଙ୍କୁ ଦଳ ପ୍ରଥମ ସ୍ଥାନରେ ରଖି କାହିଁକି ମନୋନୀତ କରୁଛି ବୋଲି ସୁପ୍ରିମ କୋର୍ଟ ଦଳଗୁଡ଼ିକ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।
ଅପରାଧ ପୃଷ୍ଠଭୂମି ଥିବା ଜଣେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଜଣେ ନିର୍ମଳ ଚରିତ୍ର ଥିବା ପ୍ରାର୍ଥୀଙ୍କ ଅପେକ୍ଷା କାହିଁକି ଅଧିକ ସେ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ତାଙ୍କ ମନ୍ତବ୍ୟ ଦେଇ ସାରିଛନ୍ତି। କୋର୍ଟଙ୍କ ଏପରି ମନ୍ତବ୍ୟରୁ ଏହା ସ୍ପଷ୍ଟ ପ୍ରତିଫଳିତ ହେଉଛି ଯେ, ଭାରତରେ ଆଦର୍ଶଗତ ରାଜନୀତି ତାର ମୂଲ୍ୟ ହରାଇ ବସିଛି। ଅଭିଯୁକ୍ତମାନଙ୍କୁ ଯଦି ରାଜନୈତିକ ଦଳ ଗୁଡ଼ିକ ଟିକେଟ ଦେବା ବନ୍ଦ କରି ଦିଅନ୍ତି ତେବେ ଏହି ସଂକଟକୁ ଦୂର କରାଯାଇପାରିବ। କିନ୍ତୁ ରାଜନୈତିକ କ୍ଷେତ୍ର ଏଭଳି ଅବସ୍ଥାରେ ଆସି ପହଞ୍ଚିଛି ଯେ, ଅପରାଧୀମାନେ ସେମାନଙ୍କର ନିଜ ଦଳ ଗଠନ କରିନେବାରେ ସକ୍ଷମ ହେଉଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବିଶ୍ବର ଅନ୍ୟ ଭାଗରେ ନିର୍ବାଚନ ଲଢୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ପୃଷ୍ଠଭୂମିକୁ ବିଚାରକୁ ନିଆଯାଇଥାଏ। ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳତା ପାଇଁ ଜାପାନର ପ୍ରଧାନମନ୍ତ୍ରୀ ହାତୋୟାମା ଇସ୍ତଫା ଦେଇଥିଲେ, ତାହା ପୁଣି ଥିଲା ଆମେରିକାର ଏୟାର ବେସ୍ ଅନ୍ୟତ୍ର ଘୁଞ୍ଚାଇବାର ପ୍ରତିଶ୍ରୁତି। କିନ୍ତୁ ଭାରତରେ ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ଭଳି ନେତା ଜେଲରେ ଥାଇ ଅନ୍ୟ ଦଳ ସହିତ ନିର୍ବାଚନ ମେଣ୍ଟ କରୁଛନ୍ତି। ରାଜନୈତିକ ଭ୍ରଷ୍ଟାଚାର ସମସ୍ତ ଅପରାଧର ସୃଷ୍ଟିକର୍ତ୍ତା। କେବଳ ଜନସଚେତନତା ଦ୍ବାରା ହିଁ ରାଜନୀତିକୁ ଭ୍ରଷ୍ଟାଚାର ଓ ଅପରାଧମୁକ୍ତ କରିହେବ।