ନୂଆଦିଲ୍ଲୀ: ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 73 ହଜାର 763ରେ ପହଞ୍ଚିଥିବା ବେଳେ 4971 ଜଣଙ୍କ ମୃତ୍ୟୁ ହୋଇଛି । ଇତିମଧ୍ୟରେ କୋରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଶନିବାର ସଂସଦ ଭବନ ପରିସରରେ ଥିବା ସମସ୍ତ କାର୍ଯ୍ୟାଳୟ, ଶୌଚାଳୟ ଏବଂ ସର୍ବସାଧାରଣ ଅଞ୍ଚଳକୁ ସିପିଡବ୍ଲ୍ୟୁଡି ଓ ଏନଡିଏମସି ପକ୍ଷରୁ ସାନିଟାଇଜ କରାଯାଇଛି ।
ପ୍ରକାଶ ଥାଉ କି, ଲୋକସଭା ଅଧ୍ୟକ୍ଷ ଓମ ବିରଲା କୋରୋନା ମହାମାରୀର ବିସ୍ତାରକୁ ରୋକିବାକୁ ସଂସଦ ଭବନ ପରିସରରେ ଲୋକସଭା ସଚ୍ଚିବାଳୟର ଦ୍ବାରା କରାଯାଇଥିବା ପ୍ରସ୍ତୁତିର ଯାଞ୍ଚ କରିଥିଲେ । ଏହା ପରେ 24 ମାର୍ଚ୍ଚ 2020ରେ ଏହି ଅଭିଯାନ ଜାରି ରହିଥିଲା । ସେ ସମୟରେ ଓମ ବିରଲା କହିଥିଲେ ଯେ, କୋଭିଡ-19 ପ୍ରତିହତ ପାଇଁ ସଚେତନତା ଏବଂ ସଞ୍ଜମତା ଆବଶ୍ୟକ ।
ସତର୍କତା ଅନୁଯାୟୀ ସଂସଦ ଭବନ ପରିସରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ମଧ୍ୟରେ ସମ୍ପର୍କକୁ କମ କରିବାକୁ ଶନିବାର ସାନିଟାଇଜ କରାଯାଇଥିଲା । ଏହାପୂର୍ବରୁ ସଂସଦ ଭବନକୁ ସାନିଟାଇଜ କରାଯାଇଥିଲା । ସିପିଡବ୍ଲ୍ୟୁଡି ଏବଂ ଏନଡିଏମସି ବିଲ୍ଡିଂ ବାହାର ଏବଂ ଭିତର ପରିସରକୁ ସୋଡିୟମ୍ ହାଇପୋକ୍ଲୋରାଇଟରେ ସାନିଟାଇଜ କରିଥିଲେ । କୋରୋନା ସଙ୍କଟ ସମୟରେ ଲୋକସଭା ସଚିବାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କିଛି ଅଧିକାରୀ ଏବଂ କର୍ମଚାରୀ ଘରୁ କାମ କରୁଛନ୍ତି ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଲୋକସଭା ସଚିବାଳୟର 2 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭବନର ସୁରକ୍ଷା କର୍ମୀ ଥିଲେ । ଏହା ପରେ ଲୋକସଭା ସଚିବାଳୟର ସଂକ୍ରମିତଙ୍କ ସଂଖ୍ୟା 3ରେ ପହଞ୍ଚିଥିଲା ।