ଲକ୍ଷ୍ନୌ:କେରଳ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ରାମନଗରୀ ଅଯୋଧ୍ୟାରେ ଆଉ ଏକ ଆମାନବୀୟ ଘଟଣା ସାମନାକୁ ଆସିଛି । ନିରୀହ ଷଣ୍ଢଟି ନିଜ ପେଟର ଭୋକ ମେଣ୍ଟାଇବା ପାଇଁ କ୍ଷେତରେ ପଡିଥିବା ଅଟାଗୁଳା ଖାଇଥିଲା । ସେଥିରେ ବିସ୍ଫୋରକ ମିଶିଥିବାରୁ ଷଣ୍ଢଟିର ମୁହଁ( ଥୋଡି) ଛିଡିଯାଇଥିବା ଜଣାପଡିଛି । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଏହି ଘଟଣାଟି ଅଯୋଧ୍ୟା ଜିଲ୍ଲାର ମହାରାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି । ଡାଟୁଲି ଗାଁରେ ବିସ୍ଫୋରକ ସାମଗ୍ରୀ ଖାଇବାବେଳେ ଷଣ୍ଢର ଅଧା ପାଟି ଛିଣ୍ଡି ଯାଇଥିଲା । ଷଣ୍ଢଟି ଗୁରୁତର ଆହତ ହୋଇ ଗାଁର ଏକ ପୋଖରୀ ନିକଟରେ ଠିଆ ହୋଇ ଶେଷ ନିଶ୍ବାସକୁ ଅପେକ୍ଷା କରିଥିବା ଦୃଶ୍ୟ ଦେଖିବାକୁ ମିଳୁଛି।
ତେବେ ଏହି ବିଷୟରେ ଗାଁ ଲୋକଙ୍କ କହିବାନୁଯାୟୀ, ଗାଁକୁ ଆସୁଥିବା ଜଙ୍ଗଲୀ ଘୁଷୁରୀକୁ ମାରିବା ପାଇଁ ବୋମା ତିଆରି କରି ଚାରିଆଡେ ପକାଯାଉଛି । ଯାହାକୁ ଷଣ୍ଢଟି କାଦ୍ୟ ପଦାର୍ଥ ଭାବି ଖାଇ ଦେଇ ଥିବାରୁ ପାଟିରେ ହିଁ ବିସ୍ଫୋରକ ଫୁଟି ଯାଇଥିବାରୁ ଷଣ୍ଢର ଅଧା ପାଟି ଉଡିଯାଇଛି । ତେବେ ବିଷୟରେ ଗାଁ ଲୋକେ ପୋଲିସରେ ଏତଲା ଦେବା ପରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ବଣୁଆ ଜନ୍ତୁଙ୍କୁ ମାରିବା ପାଇଁ ବିସ୍ଫୋରକ ତିଆରି କରୁଥିବା ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
କୁହାଯାଉଛି ଯେ ଅଟା ଗୁଳା ମଧ୍ୟରେ ବିସ୍ଫୋରକ ସହ ଘୁଷୁରୀ ଚର୍ବି ରଖାଯାଇଥିଲା । ଯାହା ଷଣ୍ଢକୁ ଆକୃଷ୍ଟ କରିଥିଲା । ଅଜାଣତରେ ଷଣ୍ଢଟି କ୍ଷେତକୁ ଯାଇ ଏହା ଖାଇଥିବାରୁ ପାଟିରେ ବିସ୍ଫୋରକ ଫାଟିଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ