ନୂଆଦିଲ୍ଲୀ: ହସ୍ପିଟାଲ ଗୁଡ଼ିକର ମନମାନୀ ଦିନକୁ ଦିନ ବଢିବାରେ ଲାଗିଛି । ଏହା ଦ୍ବାରା ଅନେକ ରୋଗୀ ମରଣ ମୁହଁରେ ପଡ଼ୁଥିବା ଦେଖିବାକୁ ମିଳିଛି । ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ଜାମ୍ମୁକାଶ୍ମୀରର ବାନ୍ଦିପୁରା ଅନ୍ତର୍ଗତ ହାଜିନ ଅଞ୍ଚଳରେ । ସୂଚନାମୁତାବକ, ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ତେବେ କୋଭିଡ ପଜିଟିଭ୍ ଥିବା ମହିଳା ହସ୍ପିଟାଲ ବାହାରେ ପିଲା ଜନ୍ମ କରିଥିବା ଜଣାପଡ଼ିଛି। ତେବେ ଅଜଣା ପଥଚାରୀଙ୍କ ସହାୟତାରେ ମହିଳା ଜଣଙ୍କ ପିଲା ଜନ୍ମ କରିଥିବା ବେଳେ ହସ୍ପିଟାଲ ମନମାନୀକୁ ନେଇ ଉକ୍ତ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କ ଦୁର୍ଗମ ଅଞ୍ଚଳ ଗାଁ ଭେଓ୍ବାନର ବୋଲି ଜଣାପଡ଼ିଛି। ମହିଳା ଜଣକ ପ୍ରସବ ପାଇଁ ବାନ୍ଦିପୁରା ଜିଲ୍ଲା ଡାକ୍ତରଖାନାକୁ ଆସିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କର କୋରୋନା ପରୀକ୍ଷା କରିବାକୁ କହିଥିଲେ। ହେଲେ ମହିଳାଙ୍କ କୋରୋନା ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା। ଫଳରେ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେବା ସହ 25 କିମି ଦୂରରେ ଥିବା ଏକ କୋଭିଡ ହସ୍ପିଟାଲ ଯିବାକୁ କହିଥିଲେ । କିନ୍ତୁ ଏହି ସମୟରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ବଢିବାରୁ ସେ ହସ୍ପିଟାଲ ଗେଟ ବାହାରେ ପ୍ରସବ କରିଥିଲେ। ବାରମ୍ବାର ନିବେଦନ ସତ୍ତ୍ବେ କୌଣସି ଡାକ୍ତର ତାଙ୍କ ଚିକିତ୍ସା କରିବାକୁ ଆସି ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।