ହାଇଦ୍ରାବାଦ: ସାରା ବିଶ୍ଵ ଯେତେବେଳେ କୋରୋନା ଭାଇରସ୍ ସହ ସଂଗ୍ରାମ କରୁଛି, କୋଭିଡ୍-୧୯କୁ ରୋକିବା ଲାଗି ଆବଶ୍ୟକ ପ୍ରଭାବଶାଳୀ ଟୀକା ପ୍ରସ୍ତୁତି ଓ ବ୍ୟବହାରକୁ ସମସ୍ତେ ଚାହିଁ ବସିଛନ୍ତି । ଏହି ମହାମାରୀକୁ ରୋକିବା ଲାଗି ବିଶ୍ଵସ୍ତରରେ ଯେମିତି ତାହାକୁ ବ୍ୟବହାର କରାଯାଇପାରିବ ସେହିଭଳି ଏକ ଟୀକା ଜରୁରୀ ବୋଲି ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ମତ ହେଇଛନ୍ତି ।
ଏବେ ଯେହେତୁ କୋରୋନା ଭାଇରସ୍ ଡିଜିଜ୍ ( କୋଭିଡ୍-୧୯)ର ଚିକିତ୍ସା ପାଇଁ କୌଣସି ନିର୍ଦ୍ଧିଷ୍ଟ ଔଷଧ ଓ ଟୀକା ବାହାରିନି ବିଶ୍ଵ ଏବେ ଏହାକୁ କିପରି ଦୂରେଇ ରଖାଯାଇପାରିବ ସେହି ପଦ୍ଧତ୍ତି ଆପଣାଉଛି । ଏହି ପଦ୍ଧତି ଗୁଡ଼ିକ ଭିତରେ ସାମାଜିକ ଦୂରତ୍ଵ ରକ୍ଷା, ଏକାନ୍ତବାସ, କିଏ ଆକ୍ରାନ୍ତ ତାହାଙ୍କୁ ଚିହ୍ନଟ କରିବା, ଚିହ୍ନିତ ବ୍ୟକ୍ତି ସମ୍ପର୍କରେ କିଏ ଆସିଛି ତାହାକୁ ଠାବ କରିବା ଆଦି ଅନ୍ତର୍ଭୁକ୍ତ ।
ଫେବୃୟାରୀ ୨୦୨୦ରେ ବିଶ୍ଵ ବ୍ୟାଙ୍କ୍ ଏବଂ କୋଆଲିସନ୍ ଫର ଏପିଡେମିକ୍ ପ୍ରିପାରେସନ୍ ଇନୋଭେସନ୍ (ସେପି)ର ମିଳିତ ସହଯୋଗରେ ଏହି କୋଭିଡ୍ ୧୯ ପାଇଁ କିପରି ଟୀକା ତିଆରି କରାଯାଇପାରିବ ଏବଂ ତାହାକୁ କିପରି ସାରା ବିଶ୍ଵରେ ବ୍ୟବହାର କରାଯାଇପାରିବ ସେଥିଲାଗି ପାଣ୍ଠି ଏବଂ ପ୍ରସ୍ତୁତି ବ୍ୟବସ୍ଥା କରିବା ପାଇଁ ଏକ ବିଶ୍ଵ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସମୟରେ ସେପି ଅନୁମାନ କରିଥିଲା ଯେ, ଆସନ୍ତା ୧୨ରୁ ୧୮ ମାସ ଭିତରେ ଅତିବେଶୀରେ ତିନି ପ୍ରକାରର ଟୀକା ପ୍ରସ୍ତୁତି କରିବା ଲାଗି ପ୍ରାୟ ୨ ବିଲିୟନ୍ ଆମେରିକୀୟ ଡଲାର ଖର୍ଚ ହେବ। ଅବଶ୍ୟ ଜରୁରୀକାଳୀନ ଭିତ୍ତିରେ ଯେତେବେଳ ଯାଏ ଏହି ଟୀକାର ଲାଇସେନ୍ସ ପ୍ରଦାନ କରାଯାଇ ନାହିଁ ସେଯାଏ ଟୀକା ବିକାଶ ଲାଗି ସେପି ବିଶ୍ଵର ଆବଶ୍ୟକକୂ ପୂରଣ ପାଇଁ ପାଣ୍ଠି ବ୍ୟବସ୍ଥା କରିପାରିବ।
ମାର୍ଚ୍ଚ ୧୬, ୨୦୨୦ରେ ଜି୭ ବୈଠକରେ ସଦସ୍ୟ ରାଷ୍ଟ୍ରମାନେ କୋଭିଡ୍ ୧୯ ପାଇଁ ଟୀକା ପ୍ରସ୍ତୁତ କରିବା ଲାଗି ମିଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ପ୍ରତିଶୃତିବଦ୍ଧ ହୋଇଥିଲେ। ଏହାପରେ ଜି-୭ର ନେତୃତ୍ଵ ନେଉଥିବା ଦେଶମାନେ ଭିଡିଓ ମିଟିଂରେ କୋଭିଡ୍-୧୯ ଟୀକା ପ୍ରସ୍ତୁତି କ୍ଷେତ୍ରରେ ପରିପୂରକ ସହାୟତା ଯୋଗାଇବା ଲାଗି ଉଚ୍ଚସ୍ତରୀୟ ବୈଠକର ଆବଶ୍ୟକତାକୁ ଅନୁଭବ କରିଥିଲେ। ଏବେ ବିଶ୍ଵରେ ୯ ଲକ୍ଷରୁ ଅଧିକ ରୋଗୀଙ୍କ ଦେହରେ କୋରୋନା ଭୂତାଣୁ ସକ୍ରିୟ ରହିଛି। ମୃତ୍ୟୁ ସଂଖ୍ୟା ଏହା ଭିତରେ ୫୦ ହଜାର ଟପିଛି । ଏଣୁ ସାରା ବିଶ୍ଵ ଜନସଂଖ୍ୟା ଯାହା ହେଉନା କାହିଁକି ସମସ୍ତେ ଏହି ମହାମାରୀରୁ ମୁକ୍ତ ପାଇବା ଲାଗି କୋଭିଡ୍-୧୯ ଟୀକାର ନିହାତି ଆବଶ୍ୟକତା ଅନୁଭବ କରିଛି ।