ହାଇଦ୍ରାବାଦ:ସାରା ବିଶ୍ବର ଏବେ ଗୋଟିଏ ଲକ୍ଷ୍ୟ କୋଭିଡ ମୁକାବିଲା । ବିଶ୍ବର ଅର୍ଦ୍ଧାଧିକ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥିବା ମହାମାରୀକୁ କିପରି ରୋକାଯିବ । ସେ ଦିଗରେ ଅହରହ ଚାଲିଛି ପରୀକ୍ଷା ନିରୀକ୍ଷା । ଦିନ ରାତି ଏକ କରି ବିଶ୍ବର ବହୁ ବୌଜ୍ଞାନିକ ଓ ଚିକିତ୍ସିକ ଚଲାଇଛନ୍ତି ଗବେଷଣା । ହେଲେ ଏ ଭିତରେ ବଡ ବଡ ରୋଗର ଚିକିତ୍ସାରେ ଦେଖା ଦେଇଛି ସମସ୍ୟା । ଯେଉଁ ରୋଗ କିଛି ବର୍ଷ ତଳେ ଆତଙ୍କ ଖେଳାଇଥିଲା, ଆଜି ସେ ରୋଗ କୋଭିଡ ଯୋଗୁଁ ଅଣଦେଖା ପାଲଟିଛି । ଆଉ ଏପରି ଲାଗି ରହିଲେ ଆଗାମୀ କିଛି ମାସ ଏହା ଭୟଙ୍କର ରୂପ ନେଇପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚେତାଇ ଦେଇଛି ।
ମହାମାରୀ କୋଭିଡକୁ ରୋକିବାକୁ ଯାଇ ଆଜି ଅଣାଦେଖା ପାଲଟିଛି ଏଚଆଇଭି ଓ ଏଡସ ଭଳି ସଂକ୍ରମଣ ରୋଗ । କୋଭିଡ ପାଇଁ ବର୍ତ୍ତମାନ ଔଷଧ ଯୋଗାଣ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହୋଇଛି । ଏଚଆଇଭି ସେବା ବନ୍ଦ ହେବା ସହ ଆଣ୍ଟିଟେରୋଭାଇରାଲ୍ ଥେରାପି ଯୋଗାଇବାରେ ଏବେ ବାଧା ଉପଜୁଛି । ଫଳରେ ତୁରନ୍ତ ଚିକିତ୍ସା ଓ ନିରାକରଣ ଦିଗରେ ଧ୍ୟାନ ଦେବାକୁ ଆବଶ୍ୟକ ହୋଇପଡିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି । ନଚେତ ଆଗାମୀ 6 ମାସ ମଧ୍ୟରେ ବିଶ୍ବର 5 ଲକ୍ଷରୁ ଊର୍ଦ୍ଧ୍ବ ମୃତ୍ୟୁବରଣ କରିବେ ।
ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟେଏସ କହିଛନ୍ତି, ଆଫ୍ରିକାରେ 5 ଲକ୍ଷ ଲୋକେ ଏଡସ୍ ରୋଗରେ ମୃତ୍ୟୁବରଣ କରିବେ ବୋଲି ଆଶଙ୍କା କରାଯାଉଛି । ସମସ୍ତ ଦେଶ ଏଥିପ୍ରତି ଯତ୍ନବାନ ହେବାକୁ ପଡିବ । ଏଚଆଇଭି ପାଇଁ କେତେକ ଦେଶ ଏବେ ପଦକ୍ଷେପ ଗ୍ରହଣ କଲେଣି । ଏହି ସମୟରେ ଅତ୍ୟାବଶ୍ୟକୀୟ ଔଷଧ ହେଉ କି ଚିକିତ୍ସା ଯେମିତି ବାଧାପ୍ରାପ୍ତ ନ ହୁଏ, ସେନେଇ ସମସ୍ତ ସୁବିଧା ଯୋଗାଇବାକୁ କହିଛନ୍ତି ଟେଡ୍ରୋସ ।
ସବ-ସାହରନ ଆଫ୍ରିକାରେ 25.7 ମିଲିୟନ ଲୋକେ ଏଚଆଇଭି ରୋଗରେ ପୀଡିତ । ସେଥି ମଧ୍ୟରୁ 64 ପ୍ରତିଶତ ଆଣ୍ଟିଟେରୋଭାଇରାଲ୍ ଥେରାପି ନେଉଥିଲେ । ହେଲେ ଏବେ ସେମାନଙ୍କ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଛି । ଏହା ସହ ସେମାନଙ୍କ ସ୍ବାସ୍ଥ୍ୟ ଅଧିକ ବିପଦପୂର୍ଣ୍ଣ ହୋଇପଡିଛି ।
ଏହା ସହ ସେ ଆହୁରି କହିଛନ୍ତି, ଏଚ୍.ଆଇ.ଭି.ର ମା'ରୁ ଶିଶୁ ସଂକ୍ରମଣକୁ ରୋକିବାରେ ଯେଉଁ ଲାଭ ମିଳିଥିଲା ତାହା ଏବେ ଓଲଟା ପଡିପାରେ। ପିଲାମାନଙ୍କ ମଧ୍ୟରେ ନୂତନ ଏଚ୍.ଆଇ.ଭି ସଂକ୍ରମଣ ପ୍ରାୟ 104% ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରିଛନ୍ତି ଟ୍ରେଡେସ ।
ସୂଚନାଯୋଗ୍ୟ, 2010 ପର ଠାରୁ ସବ-ସାହରନ ଆଫ୍ରିକାରେ ଏଚଆଇଭି ସଂକ୍ରମଣ ହାର 43 ପ୍ରତିଶତକୁ ହ୍ରାସ ପାଇଥିଲା । 2010 ରେ 250,000 ଓ 2018ରେ 140,000 ସଂକ୍ରମିତ କେବଳ ମା ଠାରୁ ଶିଶୁଙ୍କୁ ହୋଇଥିଲା । କୋଭିଡ 19 ପାଇଁ ଆଗାମୀ 6 ମାସ ପରେ ଏହା ମୋଜାମ୍ବିକରେ 37%, ମାଲ୍ୟାରେ 78%, ଜିମ୍ବାୱେରେ 78% ଏବଂ ଉଗାଣ୍ଡାରେ 104% ବୃଦ୍ଧି ପାଇପାରେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ