ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହା ମଧ୍ୟରେ ଦେଶରେ କୋରୋନା ମୃତ୍ୟୁହାର ହ୍ରାସ ପାଇଛି । ଦେଶରେ କ୍ରମାଗତ କୋରୋନା ମୃତ୍ୟୁ ହାର କମୁଛି । ବର୍ତ୍ତମାନ ଦେଶର କୋରୋନା ମୃତ୍ୟୁହାର 2.28 ପ୍ରତିଶତ ଥିବାବେଳେ କୋରୋନା ସୁସ୍ଥ ହାର 9 ଲକ୍ଷ ପାର କରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମେଡିକାଲରେରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଶୀଘ୍ର ଚିହ୍ନଟ, ଆଇସୋଲେସନ ଏବଂ ଏଫିସିଏଣ୍ଟ କ୍ଲିନିକାଲ ଚିକିତ୍ସା ପରିଚାଳନା ପାଇଁ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ସହଯୋଗରେ ଏହା ସମ୍ଭବ ହୋଇପାରିଛି । ଏଥିସହ ପ୍ରଭାବଶାଳୀ କଣ୍ଟେନମେଣ୍ଟ ରଣନୀତି, ଆଗ୍ରେସିଭ ଟେଷ୍ଟିଙ୍ଗ୍ ଏବଂ ହୋଲିଷ୍ଟିକ ଷ୍ଟାଣ୍ଟାର୍ଡ କେସାର ଆଧାରରେ ଷ୍ଟାଣ୍ଡାରାଇଜ୍ଡ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଚୋକଲ ସହ କୋରୋନା ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି।
କୋରୋନା ମାମଲା ଦୃଷ୍ଟିରୁ ବିଶ୍ବରେ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ କୋରୋନା ମୃତ୍ୟୁହାର ଦୃଷ୍ଟିରୁ ଭାରତ ଭଲ ସ୍ଥିତିରେ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ସେହିପରି ଦେଶରେ ପ୍ରତ୍ୟେକ ଦିନ 30 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ଦେଶରେ କୋରୋନା ସୁସ୍ଥ 9 ଲକ୍ଷ ପାର କରିଛି । ଏବେ ଦେଶର କୋରୋନା ସୁସ୍ଥ ହାର 64 ପ୍ରତିଶତ ରହିଛି ।
ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ ସର୍ବାଧିକ 49931 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 14 ଲକ୍ଷ 35 ହଜାର 453ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 9 ଲକ୍ଷ 17 ହଜାର 568 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 4 ଲକ୍ଷ 35 ହଜାର 114 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏହି ମାରାତ୍ମକ ଭାଇରସ କାରଣରୁ ଏବେସୁଦ୍ଧା 32771 ଆକ୍ରାନ୍ତ ପ୍ରାଣ ହରାଇଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।